ଶାରଦୀୟ ଦୁର୍ଗା ପୂଜାରେ ସୁଭଦ୍ରା ଭେଟି
ରେଙ୍ଗାଲିକ୍ୟାମ୍ପ: ରାଜ୍ୟ ସରକାର ସୁଭଦ୍ରା ଯୋଜନା ଗତ ସେପ୍ଟେମ୍ବର ୪ ତାରିଖରୁ ଶୁଭାରମ୍ଭ କରିଛନ୍ତି। ଏହା ସତ୍ତ୍ୱେ ମହିଳାଙ୍କ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସଚେତନ ସୃଷ୍ଟି ହୋଇ ପାରିଲା ନାହିଁ। ପୂର୍ବରୁ ସୁଭଦ୍ରା ଯୋଜନାରେ ଆବେଦନ ନେଇ ଆଧାର ନମ୍ୱର ଓ ବ୍ୟାଙ୍କ ଏକାଉଣ୍ଟରେ ଫୋନ ନମ୍ୱର ଲିଙ୍କ ନେଇ ବାଧ୍ୟତା ନଥିବା ବିଷୟରେ କୁହାଯାଇଥିଲା। ଏହା ସହ ଫିଙ୍ଗର୍ ପ୍ରିଣ୍ଟ କିମ୍ବା ଓଟିପି କିମ୍ବା ଆଖି ସ୍କାନର୍ ମାଧ୍ୟମରେ ସୁଭଦ୍ରା ଯୋଜନାରେ ଜନ ସେବା କେନ୍ଦ୍ରରେ ଆବେଦନ କରିବା ନେଇ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଇଥିଲା। ଏହା ସତ୍ତ୍ୱେ ବ୍ୟାଙ୍କ, ପୋଷ୍ଟାଲ ଓ ଆଧାର କେନ୍ଦ୍ରରେ ଫୋନ ନମ୍ୱର ଲିଙ୍କ ନେଇ ଭିଡ ଦେଖିବାକୁ ମିଳିଛି। ଅସଲ କଥା ହେଉଛି, ଆଧାର ସହ ମୋବାଇଲ ନମ୍ୱର୍ ଲିଙ୍କ, କେ ୱାଇ ସି ଅପଡେଟ ଆବଶ୍ୟକ ପଡ଼ୁଥିବା ବେଳେ ଅନେକ ମହିଳା ଜାଣି ପାରୁ ନାହାନ୍ତି ଯେ ତାଙ୍କର କୋଉ ନଂ ସହ ଆଧାର ଲିଙ୍କ ରହିଛି, କାରଣ ଅନେକ ମୋବାଇଲ ନମ୍ୱର୍ ରହୁଥିବାରୁ କେଉଁ ମୋବାଇଲରେ କେବେ ଆଧାର ସହ ଲିଙ୍କ ହୋଇଥିଲା ସେମାନେ ଜାଣିପାରୁ ନାହାନ୍ତି । ଏହା ବ୍ୟତୀତ ଜଣେ ମହିଳାଙ୍କ ନାମରେ ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟ ରହିଛି। କିନ୍ତୁ ସେ ସବୁକୁ ସେମାନେ ଠିକ ଭାବରେ ପରିଚାଳିତ କରି ନ ଥିବାରୁ କୋଉଟା ଚାଲୁଛି ତ ଆଉ କୋଉଟା ବନ୍ଦ ହୋଇ ପଡ଼ିଛି ତାହା ବି ସେମାନଙ୍କୁ ଜଣାନାହିଁ। ତେଣୁ ଏସବୁ ପଚାରିବାକୁ ସେମାନେ ଭିଡ଼ କରୁଛନ୍ତି ବ୍ୟାଙ୍କ୍ ଓ ସହଜ କେନ୍ଦ୍ରରେ। ଯାହା ଫଳରେ ସୁଭଦ୍ରା ଯୋଜନା ପାଇଁ ଯେଉଁ କାମ ନିହାତି ଭାବରେ ଦରକାର, ସେ କାମକୁ ବ୍ୟାଙ୍କ୍ ଓ କମ୍ପ୍ୟୁଟର କେନ୍ଦ୍ରରେ ହୋଇପାରି ନାହିଁ। ଏହା କେବଳ ସଚେତନତାର ଅଭାବ। ମହିଳାଙ୍କ ପାଇଁ ସବିଶେଷ ତଥ୍ୟ ପାଇବା ପାଇଁ ବ୍ଲକର ପ୍ରାୟ ଅଧିକାଂଶ ଗାଆଁ ମାନଙ୍କରେ ବିଭିନ୍ନ ବ୍ୟାଙ୍କ ଗୁଡ଼ିକର ଗ୍ରାହକ ସେବା କେନ୍ଦ୍ର (ସିଏସ ସି) ମାନ ଖୋଲାଯାଇଛି। କିନ୍ତୁ ସେଠାକୁ ନ ଯାଇ ମହିଳା ମାନେ ମୁଖ୍ୟ ବ୍ୟାଙ୍କକୁ ଚାଲି ଆସୁଛନ୍ତି।ଉପାନ୍ତ ଅଞ୍ଚଳ ତଥା ଅନ୍ୟାନ୍ୟ ଅଞ୍ଚଳରେ ମହିଳା ମାନେ ସଠିକ୍ ଭାବେ ସଚେତନ ନଥିବା ଯୋଗୁଁ ଆଜି ଏଭଳି ସ୍ଥିତି ଦେଖା ଯାଇଥିବା ବୁଦ୍ଧିଜିବୀ ମାନେ ମତପ୍ରକାଶ କରିଛନ୍ତି। ବର୍ତମାନ ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଓଟିପି କିମ୍ବା ଆଖି ସ୍କାନର କିମ୍ବା ଫିଙ୍ଗର ପ୍ରିଣ୍ଟ ବିନା ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲେ ସୁଦ୍ଧା ମହିଳା ମାନେ ଏବେବି ସଚେତନ ନୁହନ୍ତି। ଫଳରେ ଏକାଉଣ୍ଟରେ ଫୋନ ନମ୍ୱର ଲିଙ୍କ ପାଇଁ ବ୍ୟାଙ୍କରେ ଭିଡ ଜମୁ ଥିବା ବେଳେ ଆଧାରରେ ଫୋନ ନମ୍ୱର ଲିଙ୍କ କରିବା ନେଇ ପୋଷ୍ଟ କାର୍ଯ୍ୟାଳୟ ଓ ଆଧାର କେନ୍ଦ୍ରରେ ପ୍ରବଳରୁ ଅତି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ୫୦ ହଜାର ଟଙ୍କା ପାଇବା ପାଇଁ ମହିଳାଙ୍କ ଆଖିରେ ଆଉ ନିଦ ନାହିଁ। ସମସ୍ତ କାର୍ଯ୍ୟାଳୟ ୧୦ଟା ବେଳେ ଖୋଲୁ ଥିବା ବେଳେ ମହିଳା ମାନେ ସାଢେ ୭ରୁ ଆସି ବ୍ୟାଙ୍କ ଓ ପୋଷ୍ଟ ଅଫିସ ଆଗରେ ଲାଇନ ଲାଗୁଛନ୍ତି। ବର୍ତ୍ତମାନ ଶାରଦୀୟ ଦୁର୍ଗାପୂଜାରେ ଲୋକଙ୍କର ଭିଡ଼ ଯେତିକି ପରିମାଣରେ ଦେଖିବାକୁ ମିଳୁ ନାହିଁ , ସୁଭଦ୍ରା ଯୋଜନା ପାଇଁ ତାଠାରୁ ଅଧିକ ସଂଖ୍ୟକ ଭିଡ଼ ହେଉଛି। ତେଣୁ ଏଭଳି ପରିସ୍ଥିତିରେ ମହିଳାଙ୍କୁ ସଚେତନ କରିବାର ଆବଶ୍ୟକତା ଅଧିକ ରହିଛି।
Comments are closed.