ଫୁଲବାଣୀ: ସଦର ଥାନା ଅନ୍ତର୍ଗତ ମିଣିଆ ନିକଟ ଜଙ୍ଗଲରୁ ବୁଧବାର ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ହେଲେ ଫିରିଙ୍ଗିଆ ଥାନା ଖଜୁରୀପଡା ଗ୍ରାମର ସାରଳା ବେହେରା। ସାରଳା ଗତ ମାସ ୨୧ ତାରିଖରୁ ନିଖୋଜ ଥିଲେ। ଏ ନେଇ ଗତ ୨୩ ତାରିଖରେ ତାଙ୍କ ବାପା ନବଘନ ବେହେରା ସଦର ଥାନାରେ ଏତଲା ଦେଇଥିଲେ।
ଏତଲା ମୁତାବକ, ସାରଳା ମିଣିଆ ପଞ୍ଚାୟତ ତାଡିକେଜୁ ଗ୍ରାମର କୁନା ଦିଗାଲଙ୍କୁ ବିବାହ କରିଥିଲେ। ତେବେ ସେ ସାରଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସହ ମରଣାନ୍ତକ ଆକ୍ରମଣ କରିଥିବା ବାପା ନବଘନ ଅଭିଯୋଗ କରିଛନ୍ତି। କୁନା ଅନ୍ୟ ଝିଅମାନଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ମଧ୍ୟ ଅଭିଯୋଗ କରିଛନ୍ତି ସାରଳାଙ୍କ ବାପା। ଏ ନେଇ ଏକ ମାମଲା ଅଦାଲତରେ ବିଚାରାଧୀନ ଥିବା ସେ ଏତାଲରେ ଦର୍ଶାଇଛନ୍ତି। ସାରଳା ନିର୍ଯାତନାର ପ୍ରତିବାଦ କରି ବାପ ଘରକୁ ଚାଲି ଯାଇଥିଲେ। ତେବେ କୁନା ଅନ୍ୟ ଏକ ଝିଅକୁ ଆଣି ଘରେ ରଖିଥିବା ଖବର ପାଇ ସେ ଗତ ମାସରେ ଶାଶୁ ଘରକୁ ଯାଇଥିଲେ। ୨୧ ତାରିଖ ଦିନ କୁନାଙ୍କ ଭାଇ ସାରଳା ଘରୁ କୁଆଡେ ଚାଲି ଯାଇଥିବା ନେଇ ନବଘନଙ୍କୁ ଫୋନ କରି ଜଣାଇଥିଲେ। ସାରଳାଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ସଦର ଥାନାରେ ଏତଲା ଦେଇଥିଲେ। ଆଜି ସକାଳେ କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ଗଳିତ ମୃତଦେହ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଆସି ମୃତଦେହ ଚିହ୍ନଟ କରିଥିଲେ। ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ନେଇ ଥାନାରେ ଏକ ମାମଲା(୧୯୪/୨୪) ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି।



