ତଳମୁଣ୍ଡରେ ହେବ ୭ ବ୍ୟାରେଜ

0

– ମହାନଦୀ ପାଇଁ ସରକାରଙ୍କ ବିସ୍ତୃତ ଯୋଜନା

ଭୁବନେଶ୍ୱର : ଛତିଶଗଡ଼ ସରକାର ବେନିୟମ ଭାବେ ମହାନଦୀର ଉପରମୁଣ୍ଡରେ ଏକାଧିକ ବ୍ୟାରେଜ ନିର୍ମାଣ କରିବା ଫଳରେ ଓଡ଼ିଶାରେ ମହାନଦୀକୁ ଜଳ ପ୍ରଭାବ କମିଛି। ପିଇବାପାଣି, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଛି। ଏହାକୁ ଏଡାଇବା ପାଇଁ ରାଜ୍ୟ ସରକାର ବିସ୍ତୃତ ଯୋଜନା ହାତକୁ ନେଇଛନ୍ତି। ସମୁଦ୍ରକୁ ବହିଯାଉଥିବା ଜଳର ଉପଯୋଗ ପାଇଁ ସରକାର ହୀରାକୁଦରୁ ପାରାଦ୍ୱୀପ ମଧ୍ୟରେ ୭ଟି ବ୍ୟାରେଜ ନିର୍ମାଣ କରିବେ। ଏହାବ୍ୟତୀତ ମହାନଦୀର ଶାଖା ଏବଂ ଉପ ନଦୀରେ୨୨ଟି ପ୍ରକଳ୍ପ କରାଯିବ। ଏ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି।

ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଆଇଆଇଟି,ରୁର୍‍କି ସହ ଆଲୋଚନା ଚାଲିଛି। ଜଳସମ୍ପଦ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଚାରି ବର୍ଷରେ ଜଳସମ୍ପଦ ବିଭାଗର ସଫଳତା ପ୍ରସଙ୍ଗରେ ସମୀକ୍ଷା କରିଥିଲେ। ଆଜି ବିଭାଗର ସଫଳତା ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ମହାନଦୀ ପ୍ରସଙ୍ଗରେ ବିସ୍ତୃତ ସୂଚନା ଦେଇ କହିଥିଲେ, ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରିବା ଫଳରେ ଓଡ଼ିଶା ମହାନଦୀରୁ ଯେତିକି ପାଣି ପାଇବା କଥା ତାହା ପାଉନାହିଁ। ମହାନଦୀ ଓ ଏହାର ଅବବାହିକାରେ ଥିବା ନଦୀଗୁଡ଼ିକ ଉପରେ ସିଧାସଳଖ ପ୍ରଭାବ ପଡ଼ିଛି। ମହାନଦୀର ୫୨ ପ୍ରତିଶତ ଜଳ ସମୁଦ୍ରରେ ମିଶୁଛି। ଏହାକୁ ଉପଯୋଗୀ କରିବା ନେଇ ବ୍ୟାରେଜ ନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ମିଳିଥିବା ସୂଚନା

ଅନୁଯାୟୀ ସମ୍ବଲପୁରର ଦେଓଗାଁ, ସୁବର୍ଣ୍ଣପୁରର ଗୋଧନେଶ୍ୱର ଓ କପାସିଙ୍ଗା, ବୌଦ୍ଧର ଖଇରମାଳ, ଅନୁଗୋଳର ମଣିଭଦ୍ରା ଓ ସୁବଳୟା ଏବଂ ମୁଣ୍ଡଳି ବ୍ୟାରେଜ ତଳ ମୁଣ୍ଡରେ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏହି ଅବସରରେ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଥିବା ମହାନଦୀ ଜଳ ବିବାଦର ସମାଧାନ ନେଇ ଗଠିତ ଟ୍ରାଇବୁନାଲକୁ କେନ୍ଦ୍ର ଜଳସମ୍ପଦ
ବିଭାଗ ଗତ ଏପ୍ରିଲ୧୭ ତାରିଖରେ ଟର୍ମ ଅଫ ରିଫରେନ୍ସ ଦେଇଛନ୍ତି। କେନ୍ଦ୍ରରୁ ଏହା ଆସିଲେ ଟ୍ରାଇବ୍ୟୁନାଲରେ ଓଡ଼ିଶା ତା’ର ଦାବି ରଖିବ।
ଜଳସମ୍ପଦ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଭାଗର ସଫଳତା ସମ୍ପର୍କରେ ସୂଚନା ଦେଇ କହିଥିଲେ, ଜଳସେଚନର ସୁବିଧା ପାଇଁ ରାଜ୍ୟ ସରକାର ମହାନଦୀର ବିଭିନ୍ନ ଶାଖା ନଦୀ ଓ ଉପ ନଦୀରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। ବହୁ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଫଳରେ ରାଜ୍ୟର ୪୦ଲକ୍ଷ ୫୭ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇପାରିଛି। ବିଗତ ୪ ବର୍ଷ ମଧ୍ୟରେ ୭ଲକ୍ଷ ହେକ୍ଟର ଅଧିକ ଚାଷ ଜମି ପାଇଁ ଜଳସେଚନ ସୁବିଧା ସୃଷ୍ଟି କରାଯାଇଛି। ଚଳିତବର୍ଷ ଖରିଫରେ ରୁକୁରା, ରେତ, ତେଲେଙ୍ଗିରି ଓ ଲୋୟର ଇନ୍ଦ୍ର ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇ କେବିକେ ଏବଂ ପଶ୍ଚିମ ଓଡ଼ିଶାର ୫୪ହଜାର ୧୦୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ। ରେଙ୍ଗାଳି ପ୍ରକଳ୍ପର ବାମ ପାର୍ଶ୍ବ କେନାଲ କାର୍ଯ୍ୟ ଆରମ୍ଭ ହୋଇଛି। ପାର୍ବତିଗିରି ବୃହତ ଉଠା ଜଳସେଚନ, ଗଭୀର ନଳକୂପ, ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର, ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା, ବନ୍ୟା ନିୟନ୍ତ୍ରଣ ପାଇଁ କରାଯାଉଥିବା ବିଭିନ୍ନ ଯୋଜନା, ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ, ସହରାଞ୍ଚଳ ଛାତ ଉପରେ ବର୍ଷାଜଳ ଅମଳ ପ୍ରକଳ୍ପ ଯୋଜନା ତ୍ୱରାନ୍ୱିତ ହୋଇଛି। ବିଗତ ୪ ବର୍ଷ ମଧ୍ୟରେ ଜଳସମ୍ପଦ ବିଭାଗ ଦ୍ୱାରା ଜଳସେଚନ ପ୍ରକଳ୍ପ ନିର୍ମାଣ, ସେସବୁର ପରିଚାଳନା, ରକ୍ଷଣାବେକ୍ଷଣ, ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ କାର୍ଯ୍ୟ ପାଇଁ ଯୋଜନା ଓ ଅଣ ଯୋଜନା ପାଣ୍ଠିରୁ ସମୁଦାୟ ୨୬ହଜାର ୮୯୮ କୋଟି ଟଙ୍କା ବ୍ୟୟ କରାଯାଇଥିବା ସେ ସୂଚନା ଦେଇଛନ୍ତି।

Leave A Reply