ଜନକପୁର – ଅଯୋଧ୍ୟା ବସ୍‍ ସେବା ଉଦ୍‍ଘାଟିତ

0

କାଠମାଣ୍ଡୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ନେପାଳ ଗସ୍ତରେ ଯାଇ ଶୁକ୍ରବାର ସକାଳେ ଜନକପୁରରେ ପହଞ୍ଚିଛନ୍ତି । ନେପାଳ ପ୍ରତିରକ୍ଷା ମନ୍ତ୍ରୀ ଈଶ୍ୱର ପୋଖରାଲ୍‍, ଦୁଇଟି ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ନୋପଳରେ ଥିବା ଭାରତ ରାଷ୍ଟ୍ରଦୂତ ମନଜିତ୍‍ ସିଂ ପୁରୀ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ।
ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନେପାଳର ଜନକପୁର ଓ ଭାରତର ଅଯୋଧ୍ୟା ମଧ୍ୟରେ ସିଧାସଳଖ ବସ୍‍ ଚଳାଚଳକୁ ମିଳିତ ଭାବେ ଉଦ୍‍ଘାଟନ କରିଛନ୍ତି । ଉଦ୍‍ଘାଟନୀ ଉତ୍ସବରେ ଉଦ୍‍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ରାମାୟଣ ସର୍କିଟ୍‍ ସ୍ଥାପନ ଲାଗି ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ । ଏହାଦ୍ୱାରା ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ମଜବୁତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତକାଳରେ ସେ ସେଠାକାର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସହ ଦ୍ୱିପାକ୍ଷିକ ସ୍ୱାର୍ଥଜଡିତ ବିଷୟ ଆଲୋଚନା କରିବା ସହ ନେପାଳ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଭେଟିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ଓଲି ମିଳିତଭାବେ ଅରୁଣ ତୃତୀୟ ଜଳବିଦ୍ୟୁତ୍‍ ପ୍ରକଳ୍ପର ଶିଳାନ୍ୟାସ କରିବେ । ନିକଟରେ ଶ୍ରୀ ଓଲି ନୂଆଦିଲ୍ଲୀ ଗସ୍ତ ଅବସରରେ ଶ୍ରୀ ମୋଦିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ସବୁ ପ୍ରସଙ୍ଗ ଉପରେ ଅଧିକ ମତ ବିନିମୟ କରିବା ସହ ଦ୍ୱ ିପାକ୍ଷିକ ସମ୍ପର୍କକୁ ନିବିଡ କରି ଅଂଶୀଦାର ଭିତ୍ତିରେ ଆଗେଇ ଚାଲିବାକୁ ଦୁଇ ନେତା ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି ।
କାଠମାଣ୍ଡୁ ଗସ୍ତ ପୂର୍ବରୁ ଏକ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ତାଙ୍କର ଏହି ଗସ୍ତ ଭାରତ ନେପାଳ ପୁରୁଣା ମୈତ୍ରୀ ଓ ସୁସମ୍ପର୍କକୁ ଅଧିକ ନିବିଡ କରିବା ପାଇଁ ଅଭିପ୍ରେତ। ପଡୋଶୀଙ୍କୁ ପ୍ରଥମ ଅଗ୍ରାଧିକାର ଦେବାକୁ ଭାରତ ଯେଉଁ ନୀତି ଆପଣେଇଛି, ତାହାକୁ ଆଗକୁ ବଢାଇବା ପାଇଁ ଉଚ୍ଚସ୍ତରରେ ଦ୍ୱିପାକ୍ଷିକ ଆଲୋଚନା ଓ ସମ୍ପର୍କ ରକ୍ଷାର ଗୁରୁତ୍ୱ ଅଧିକ । ତାଙ୍କ ସରକାର ଏହି ନୀତିକୁ ‘ସବ୍‍କା ସାଥ, ସବ୍‍କା ବିକାଶ’ ନ୍ୟାୟରେ ବଜାୟ ରଖିଛନ୍ବୋତି ବୋଲି ଶ୍ରୀ ମୋଦି କହିଛନ୍ତି । ‘ସମୃଦ୍ଧ ନେପାଳ ଓ ସୁଖୀ ନେପାଳୀ’ ଲକ୍ଷ୍ୟ ପୂରଣ ପାଇଁ ନେପାଳ ସରକାର ଯେଉଁ କାର୍ଯ୍ୟକ୍ରମସବୁ ହାତକୁ ନେଇଛନ୍ତି ତାହାର ଉପଯୁକ୍ତ କାର୍ଯ୍ୟାନ୍ୱୟନରେ ଭାରତ ଜଣେ ଦାୟିତ୍ୱବାନ ଅଂଶୀଦାରଭାବେ କାର୍ଯ୍ୟ କରିବ ।

Leave A Reply