ବଳାତ୍କାର ଓ ଏସିଡ୍‍ ପୀଡ଼ିତାଙ୍କୁ ସବୁ ରାଜ୍ୟରେ ମିଳିବ ସମାନ ସହାୟତା

0

ନୂଆଦିଲ୍ଲୀ: ବଳାତ୍କାର ଏବଂ ଏସିଡ୍‍ ଆକ୍ରମଣରେ ପୀଡ଼ିତା ଗରିବ ମହିଳାଙ୍କୁ ସବୁ ରାଜ୍ୟରେ ମିଳିବ ସମାନ ପରିମାଣର ଆର୍ଥିକ ସହାୟତା। କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପରେ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ ଏ ସମ୍ପର୍କିତ ବିସ୍ତୃତ ଯୋଜନା ପ୍ରଣୟନ କରିଛନ୍ତି। ବଳାତ୍କାର ପୀଡ଼ିତାଙ୍କୁ ସର୍ବନିମ୍ନ ୩ ଲକ୍ଷ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୧୦ ଲକ୍ଷ ଟଙ୍କା ମିଳିବ। ସେହିପରି ଏସିଡ୍‍ ପୀଡ଼ିତାଙ୍କୁ ସର୍ବନିମ୍ନ ୫ ଲକ୍ଷ ଟଙ୍କା ଓ ସର୍ବାଧିକ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏଥିରେ ଉଲ୍ଲେଖ ରହିଛି। ଗରିବ ପୀଡ଼ିତାଙ୍କ ଆଇନଗତ ମାମଲା ଜନିତ ଖର୍ଚ୍ଚ ଭରଣା ପାଇଁ ସର୍ବଭାରତୀୟ ସ୍ତରରେ ଏକକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଉକ୍ତ ନିର୍ଦେଶ ଆଧାରରେ କେନ୍ଦ୍ର ସରକାର ଉପରୋକ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ଯୋଜନାରେ ଉଲ୍ଲେଖିତ ବ୍ୟବସ୍ଥା ଅନୁଯାୟୀ, ବଳାତ୍କାରର ଶିକାର ହୋଇଥିବା ମହିଳାଙ୍କୁ ସର୍ବନିମ୍ନ ୪ ଲକ୍ଷ ଟଙ୍କା ଓ ସର୍ବାଧିକ ୭ ଲକ୍ଷ ଟଙ୍କା ମିଳିବାକୁ ଥିବା ବେଳେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତାଙ୍କୁ ସର୍ବନିମ୍ନ ୫ ଲକ୍ଷ ଟଙ୍କା ଓ ସର୍ବାଧିକ ୧୦ ଲକ୍ଷ ଟଙ୍କା ଦିଆଯିବ। ବଳାତ୍କାରର ଶିକାର ହୋଇ ମୃତ୍ୟୁ ଘଟିଲେ ପୀଡ଼ିତାଙ୍କ ପରିବାରକୁ ସର୍ବନିମ୍ନ ୫ ଲକ୍ଷ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ। ଅସ୍ୱାଭାବିକ ଯୌନ ନିର୍ଯାତନା ପାଇଁ ପୀଡ଼ିତାଙ୍କୁ ସର୍ବନିମ୍ନ ୪ ଲକ୍ଷ ଟଙ୍କା ଓ ସର୍ବାଧିକ ୭ ଲକ୍ଷ ଟଙ୍କା ଦିଆଯିବ। ନିର୍ଯାତନା ଯୋଗୁଁ ଗର୍ଭପାତ ଘଟିଲେ ସମ୍ପୃକ୍ତ ମହିଳାଙ୍କୁ ସର୍ବନିମ୍ନ ୨ ଲକ୍ଷ ଟଙ୍କା ଓ ସର୍ବାଧିକ ୩ ଲକ୍ଷ ଟଙ୍କା ଦିଆଯିବ।

prayash

ବଳାତ୍କାର ଯୋଗୁଁ ଗର୍ଭବତୀ ହେଲେ ପୀଡ଼ିତାଙ୍କୁ ସର୍ବନିମ୍ନ ୩ ଲକ୍ଷ ଟଙ୍କା ଓ ସର୍ବାଧିକ ୪ ଲକ୍ଷ ଟଙ୍କା ମିଳିବ। ସେହିପରି ଏସିଡ୍‍ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାଙ୍କୁ ସର୍ବନିମ୍ନ ୭ ଲକ୍ଷ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୮ ଲକ୍ଷ ଟଙ୍କା ମିଳିବ। ୫୦% ଆହତ କ୍ଷେତ୍ରରେ ସର୍ବନିମ୍ନ ୫ ଲକ୍ଷ ଟଙ୍କା ଓ ସର୍ବାଧିକ ୮ ଲକ୍ଷ ଟଙ୍କା ମିଳିବ। ନାବାଳିକାଙ୍କ କ୍ଷେତ୍ରରେ ଏହି ସହାୟତା ରାଶି ୫୦% ଅଧିକ ହେବ। ସେହିପରି ଯଦି ପୀଡ଼ିତା ଉଭୟ ବଳାତ୍କାର ଓ ଏସିଡ୍‍ ଆକ୍ରମଣର ଶିକାର ହୋଇଥାନ୍ତି ତେବେ ଉଭୟ କ୍ଷେତ୍ରରେ ପ୍ରଯୁଜ୍ୟ ସହାୟତା ରାଶି ଯୁଗ୍ମ ଭାବେ ମିଳିବ।

ଏସିଡ୍‍ ଆକ୍ରମଣ ଘଟଣାର ୧୫ ଦିନ ମଧ୍ୟରେ ୧ ଲକ୍ଷ ଟଙ୍କା ଓ ଦୁଇ ମାସ ମଧ୍ୟରେ ୨ ଲକ୍ଷ ଟଙ୍କା ମିଳିବ। ବାକି ସହାୟତା ରାଶି ପରବର୍ତ୍ତୀ ସମୟରେ ମିଳିବ। ସେହିପରି ବଳାତ୍କାର ପୀଡ଼ିତାଙ୍କ କ୍ଷେତ୍ରରେ ଏଫ୍‍ଆଇଆର ଦାଖଲ ହେବା ମାତ୍ରେ ୫ ହଜାର ଟଙ୍କା ପୀଡ଼ିତା କିମ୍ବା ତାଙ୍କ ପରିବାରକୁ ଦିଆଯିବ।

ବିଭିନ୍ନ ରାଜ୍ୟରେ ବଳାତ୍କାରୀ ପୀଡ଼ିତାଙ୍କ ସହାୟତା ରାଶି ଭିନ୍ନ ଭିନ୍ନ ରହିଛି। ଓଡ଼ିଶାରେ ଏହି ସହାୟତା ରାଶି ୧୦ ହଜାର ଥିବା ବେଳେ ଗୋଆରେ ୧୦ ଲକ୍ଷ ଟଙ୍କା ରହିଛି। ତେଣୁ ସମଗ୍ର ଦେଶରେ ଏକପ୍ରକାର ସହାୟତା ରାଶି ପ୍ରଦାନ ବ୍ୟବସ୍ଥା କରିବାକୁ ଜଷ୍ଟିସ୍‍ ମଦନ ବି ଲୋକୁର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।

Leave A Reply