ଡକାୟତି ଅଭିଯୁକ୍ତକୁ ୭ବର୍ଷ ଜେଲ, ଫେରାର ୫ଅଭିଯୁକ୍ତଙ୍କ ବିରୋଧରେ ଗିରଫ ପରୱାନା
କେନ୍ଦୁଝରଗଡ : ହରିଚନ୍ଦନପୁର ଥାନା ଅଞ୍ଚଳରେ ୨୮ ଅକ୍ଟୋବର ୨୦୧୬ରେ ହୋଇଥିବା ଡକାୟତି ମାମଲାର ଅଭିଯୁକ୍ତ ନିଲୁ ବିରୁଆକୁ କେନ୍ଦୁଝର ମୁଖ୍ୟ ବିଚାର ବିଭାଗୀୟ ଅଦାଲତ ଗୁରୁବାର ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାରେ ଗିରଫ ହୋଇ ଜାମିନରେ ଥିବା ୫ଅଭିଯୁକ୍ତ ଗିରଫ ପରେ ଜାମିନରେ ଥାଇ ଅଦାଲତରେ ହାଜର ହେଉନଥିବା କାରଣରୁ ଫେରାର ଅଭିଯୁକ୍ତ ଘସିପୁରା ଥାନା ଅଞ୍ଚଳର ଜଗବନ୍ଧୁ ପୃଷ୍ଟି, ଝାରଖଣ୍ଡ ରାଜ୍ୟର ଚାଇଁବସା ଅଞ୍ଚଳର ରୁପା ବରଜ, ଅଜୟ ହେମ୍ବ୍ରମ୍, ରବି ଗଡସରା ଓ ସୁନାରାମ ସିଙ୍କୁଙ୍କ ବିରୋଧରେ ଅଦାଲତ ପୁଣିଥରେ ଗିରଫ ପରୱାନା ଜାରି କରିଛନ୍ତି । ସିଦ୍ଧାର୍ଥ ଶଙ୍କର ପଣ୍ଡା ତାଙ୍କର ଦୁଇ ସାଙ୍ଗ ଜିତେନ୍ ପ୍ରସାଦ ଓ ବିଶ୍ୱନାଥ ପ୍ରତାପଙ୍କ ସହ ଦୁଇଟି ବାଇକ୍ ଯୋଗେ ଭୁବନେଶ୍ୱରରୁ ଝାରଖଣ୍ଡ ଅଭିମୁଖେ ଯାତ୍ରା କରିବା ସମୟରେ ୨୮ ଅକ୍ଟୋବର ୨୦୧୬ ଅପରାହ୍ନରେ ହରିଚନ୍ଦପୁର ଥାନା ଅଧିନ ରେମାଳ ଡ୍ୟାମ ନିକଟରେ ବାଇକ୍ ଛିଡା କରି ଡ୍ୟାମ ବୁଲି ଦେଖିବା ସମୟରେ ଘସିପୁରା ଥାନା ଅଞ୍ଚଳର ଜଗବନ୍ଧୁ ପୃଷ୍ଟିଙ୍କ ସମେତ ଝାରଖଣ୍ଡ ରାଜ୍ୟର ଚାଇଁବସା ଅଞ୍ଚଳର ରୁପା ବରଜ, ଅଜୟ ହେମ୍ବ୍ରମ୍, ରବି ଗଡସରା ଓ ସୁନାରାମ ସିଙ୍କୁ ଏବଂ ଝାରଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲା ଲାମଜରି ଗ୍ରାମର ନିଲୁ ବିରୁଆ ପ୍ରଥମେ ବନ୍ଧୁକ ଦେଖାଇ ବ୍ୟବହୃତ ବାଇକ୍ ଲୁଟିବାକୁ ଚେଷ୍ଟା କରିବା ଘଟଣାକୁ ବିରୋଧ କରିବାକୁ ଦୁର୍ବୃତ୍ତ ମାନେ ଜିତେନଙ୍କ ଉପରକୁ ଗୁଳି ଚଳାଇଥିବା ବେଳେ ବିଶ୍ୱନାଥଙ୍କ ମୁଣ୍ଡକୁ ଆକ୍ରମଣ କରି ରକ୍ତାକ୍ତ କରି ୨ଟି ବାଇକ୍, ୩ଟି ହେଲମେଟ୍, ୪ଟି ମୋବାଇଲ ଫୋନ ଓ ନଗଦ ୧୨୬୦୦ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ପୁଲିସ ଏହି ଘଟଣାରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସମସ୍ତ ଅଭିଯୁକ୍ତ ଜାମିନରେ ଆସିଥିଲେ। ଜାମିନରେ ଆସିଥିବା ୬ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ନିଲୁ ବିରୁଆ ଅଦାଲତରେ ହାଜର ହେଉଥିବା ବେଳେ ଜାମିନରେ ଆସି ଅନ୍ୟ ୫ ଅଭିଯୁକ୍ତ ଅଦାଲତରେ ହାଜର ହେଉନଥିବାରୁ ଅଦାଲତ ପକ୍ଷରୁ ଏହି ସମସ୍ତ ୫ଜଣଙ୍କ ବିରୋଧରେ ପୁଣିଥରେ ଗିରଫ ପରୱାନା ଜାରି କରାଯାଇଥିବା ବେଳେ ଅଭିଯୁକ୍ତ ନିଲୁ ବିରୁଆଙ୍କ ଶୁଣାଣୀ କାର୍ଯ୍ୟ ଜାରି ରହିଥିଲା। ମୋଟ ୨୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି କେନ୍ଦୁଝର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ରଞ୍ଜୁଲତା ଲେଙ୍କା ଅଭିଯୁକ୍ତ ନିଲୁ ବିରୁଆକୁ ଦୋଷୀ ସାବ୍ୟସ୍ତ କରି ୭ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୪ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୨ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ଅଶୋକ କୁମାର ଦାସ ମକଦ୍ଦମା ପରିଚାଳନା କରୁଥିଲେ।
Comments are closed.