କେଉଁ ରାଶିରେ କେଉଁ ଗ୍ରହ, ଜାଣନ୍ତୁ ୨୦୨୪ର ଗ୍ରହସ୍ଥିତି

ପଣ୍ଡିତ ରଞ୍ଜନ କୁମାର ମହାପାତ୍ର

ଏ ବର୍ଷ ଆରମ୍ଭରୁ ରବି, ମଙ୍ଗଳ ଧନୁ ରାଶିରେ; ଶନି କୁମ୍ଭ ରାଶିରେ, ରାହୁ ମୀନ ରାଶିରେ, ବୃହସ୍ପତି ମେଷ ରାଶିରେ, କେତୁ କନ୍ୟା ରାଶିରେ ଅବସ୍ଥାନ କରୁଥିଲାବେଳେ ଚନ୍ଦ୍ର ପ୍ରତି ୨ ଦିନ ୧୫ ଦଣ୍ଡ ସମୟରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଗମନ କରିବେ। ରବି, ବୁଧ ଓ ଶୁକ୍ର ବର୍ଷକ ମଧ୍ୟରେ ଗତିଶୀଳ ହୋଇ ପ୍ରାୟତଃ ବର୍ଷ ଶେଷବେଳକୁ ଦ୍ବାଦଶ ରାଶି ପରିକ୍ରମା କରିସାରିଥିବେ। ସେହିପରି ମଙ୍ଗଳ ଧନୁ ରାଶିରେ ଅବସ୍ଥାନ କରି ବର୍ଷକ ମଧ୍ୟରେ କର୍କଟ ରାଶି ପର୍ଯ୍ୟନ୍ତ ଗମନ କରିବେ। ବୃହସ୍ପତି ୨୦୨୪ ମସିହା ମେ ମାସ ୧ ତାରିଖରେ ବୃଷ ରାଶିକୁ ଗମନ କରିବେ। ସେହିପରି ନୂତନ ବର୍ଷ ଆରମ୍ଭ ପୌଷ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ସୋମବାର, ମଘା ନକ୍ଷତ୍ର ସିଂହ ରାଶି ପଡୁଥିବାରୁ ଦେଶ ତଥା ରାଜ୍ୟ ପାଇଁ ଏହା ମଧ୍ୟମ ଫଳ ପ୍ରଦାନ କରିବ।

ସାଧାରଣତଃ ଜ୍ୟୋତିଷ ଗଣନା ଅନୁସାରେ ବର୍ଷର ଫଳାଫଳ ଗଣନା ସୂର୍ଯ୍ୟଙ୍କ ଉତ୍ତରାୟଣ ବା ମକର ସଂକ୍ରାନ୍ତିରୁ କରାଯାଉଥିଲାବେଳେ କେହିକେହି ନବବର୍ଷରୁ ଓ ଓଡ଼ିଶାରେ ବିଷୁବ ସଂକ୍ରାନ୍ତିରୁ ନୂତନ ପାଞ୍ଜିଚଳନ ଓ ବର୍ଷଗଣନା କରାଯାଇଥାଏ। ମକର ସଂକ୍ରାନ୍ତିକୁ ଗଣନା କରି ଗଣନା ଦିବସ ଭାବେ ଫଳାଦେଶ କଲାବେଳକୁ ମକର ସଂକ୍ରାନ୍ତିର ଗ୍ରହ ଅବସ୍ଥାନ ଅନୁସାରେ ଏ ଦିନ ସୋମବାର ପୌଷମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି, ଶତଭିଷା ନକ୍ଷତ୍ର ଓ କୁମ୍ଭଚନ୍ଦ୍ର ପଡୁଥିବାରୁ ଏହା ମଧ୍ୟ ଦେଶ ତଥା ରାଜ୍ୟ ପାଇଁ କିଛିଟା ପ୍ରତିଶ୍ରୁତି ଆଣିଦେବ। ଚଳିତ ବର୍ଷ ଗ୍ରହମାନଙ୍କର ଅବସ୍ଥିତି ଓ ଫଳାଫଳ ଯୁଦ୍ଧର ବିଭୀଷିକା, ପ୍ରାକୃତିକ ବିପର୍ଯ୍ୟୟ, ଗ୍ରୀଷ୍ମତାପ ଶୀତର ଲହରୀ, ଲଘୁଚାପ ଜନିତ ବର୍ଷା, ମରୁଡ଼ିର ପରିସ୍ଥିତି, ଦୁର୍ଘଟଣାଜନିତ ମୃତ୍ୟୁ, ‘ଧନହାନି’, ବିଜୁଳି ଆଘାତରେ ମୃତ୍ୟୁ ଚିନ୍ତାର କାରଣ ହୋଇପାରେ। ନିତ୍ୟ ବ୍ୟବହୃତ ସାମଗ୍ରୀର ମୂଲ୍ୟବୃଦ୍ଧି, ଖାଦ୍ୟପଦାର୍ଥ ଓ ତୈଳଜାତୀୟ ପଦାର୍ଥର ମୂଲ୍ୟବୃଦ୍ଧି ସର୍ବସାଧାରଣଙ୍କ ପାଇଁ ସମସ୍ୟା ଆଣିପାରେ। ପ୍ରତିକାର ତଥା ବିପଦରୁ ମୁକ୍ତିପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ଦୁର୍ଗା, ଶ୍ରୀଲକ୍ଷ୍ମୀନୃସିଂହ, ଶ୍ରୀଶିବ ଓ ହନୁମାନଙ୍କ ଆରାଧନା ଓ ପୂଜା ସହ ଗାୟତ୍ରୀ ମନ୍ତ୍ର, ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ତ୍ର, ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଉଚିତ। ବିଷ୍ଣୁ ସହସ୍ରନାମ, ଆପଦୁଉଦ୍ଧାର ବଟୁକ ଭୈରବ କବଚ, ସପ୍ତଶତୀ ଚଣ୍ଡୀ, ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ପାଠ କରିବା ଉଚିତ। ଭଗବାନଙ୍କ ଦୟାରୁ ଦେଶ, ରାଜ୍ୟ ତଥା ଜନସାଧାରଣଙ୍କ ପାଇଁ ୨୦୨୪ ମସିହା ମଙ୍ଗଳମୟ ହେଉ- ଏହା ହିଁ କାମନା।

Comments are closed.