BJD Bijuli 480×75 Mob

୨୦୨୩: ଓଲିଉଡ଼ ଖବର

BJD Bijuli 480×75 Mob

‘ରାମ୍‌’ ରୁ ମହାଭାରତ
ଦଶହରା ଅବସରରେ ପ୍ରେକ୍ଷାଳୟକୁ ଆସିଥିବା ଅରିନ୍ଦମ୍‌ଙ୍କ ଅଭିନୀତ ଓଡ଼ିଆ ଚଳଚିତ୍ର ‘ରାମ୍‌’କୁ ପଶ୍ଚିମ ଓଡ଼ିଶାରେ ଚଲାଇ ନ ଦିଆଯିବା ପ୍ରତିବାଦରେ ଆରମ୍ଭ ହୋଇଯାଇଥିଲା ମହାଭାରତ। କିଛି ପ୍ରଯୋଜକ ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ଘୋଷଣା କରିବା ପରେ ସ୍ଥିତି ଅଧିକ ଜଟିଳ ହୋଇଥିଲା। ସାମାଜିକ ଗଣମାଧ୍ୟମରେ ଆରୋପ-ପ୍ରତ୍ୟାରୋପ, ମତ-ମନ୍ତବ୍ୟ ସମସ୍ତ ସୀମା ଟପି ଯାଇଥିଲା। ଏହି ସମୟରେ କିଛି ରାଜନେତା ଓଡ଼ିଶା ବିଭାଜନର କଥା ବି ଉଠାଇଥିଲେ। ମହାମାରୀ ପରେ ଅଣ୍ଟା ସଳଖୁଥିବା ଓଲିଉଡର ଛବି ଧୀରେଧୀରେ ମଳିନ ପଡ଼ିବା ଆରମ୍ଭ କରିଥିଲା। ନୂଆ ପ୍ରଯୋଜିକା ସନଲିସା ପଟେଲଙ୍କ ‘ପ୍ରଥା’ ଚଳଚିତ୍ର ଏହି କଳି ସମୟରେ ବଳି ପଡ଼ିଯାଇଥିଲା। ଅନ୍ୟ କିଛି ଚଳଚ୍ଚିତ୍ର ବି ଏହି ଘଟଣା ଯୋଗୁଁ ପ୍ରଭାବିତ ହୋଇଥିଲା।

ସଫଳତାର ଫର୍ଦ
୨୩ର ଚିତ୍ର ମଧ୍ୟରେ ଅଧିକ ଚର୍ଚ୍ଚାରେ ରହିଛି- ଫାଲ୍‌ଗୁନ ଚୈତ୍ର, ଡେଲିଭରି ବୟ, ଧୋରେ ବାବୁ ଧୋ, ଶଲାବୁଢ଼ାର ବଦ୍‌ଲା, ନିୟତି, ପୁଷ୍କରା, ମାଇଣ୍ଡଗେମ୍‌, ସମୀକ୍ଷା, ମାଲ୍ୟଗିରି, କଟକ-ଶେଷରୁ ଆରମ୍ଭ, ରାମ୍‌, ପ୍ରଥା, ମାଇଁ ସୁଇଟ୍‌ ହାଉସୱାଇଫ୍‌ ପ୍ରଭୃତି ଅନ୍ୟତମ। ‘ଦମନ’ ଓ ‘ପ୍ରତୀକ୍ଷା’ର ସଫଳତା ପରେ ଏହି ରାସ୍ତାକୁ ଅନେକ ଆପଣାଇଛନ୍ତି। ବିଶେଷ କରି ତିନି ଅକ୍ଷର ବିଶିଷ୍ଟ ଚିତ୍ର ନିର୍ମାଣ କରିବା ଦିଗରେ ଅଧିକାଂଶ ନଜର ଦେଇଛନ୍ତି। ସବୁଠାରୁ ବଡ଼ କଥା ହୋଇଛି ମୌଳିକ କାହାଣୀ ଖୋଜିବା। ଏ ସବୁ ଦିଗକୁ ଦୃଷ୍ଟି ଦେଇ ନିର୍ମିତ ହୋଇଥିବା ଚିତ୍ରକୁ ଦର୍ଶକ ବେଶ୍‌ ପ୍ରଶଂସା କରିଛନ୍ତି।

ଆଶ୍ବସ୍ତ ଅନୁଭବ
ସାଂସଦ-ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦରେ ନୂଆ ମୋଡ଼ ଆସିଛି। ହାଇକୋର୍ଟ ଅନୁଭବଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି। ପରିବାର ଅଦାଲତର ବିବାହ ବିଚ୍ଛେଦ ରାୟକୁ ମଧ୍ୟ ଖାରଜ କରିଛନ୍ତି। ଫଳରେ ବର୍ଷ ବ୍ୟାପୀ ମାନସିକ ଦୁଶ୍ଚିନ୍ତାରେ କାଳାତିପାତ କରୁଥିବା ଅନୁଭବ ଆଶ୍ବସ୍ତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ତାଙ୍କ ନୂଆ ଚିତ୍ର ‘କୁହୁଡ଼ି’ର ଶୀର୍ଷକ ଘୋଷଣା କରିବା ସହ ପ୍ରାଥମିକ କାର୍ଯ୍ୟାରମ୍ଭ କରିଛନ୍ତି।

ଦମ୍‌ ଦେଖାଇଲା ‘ମାଇଣ୍ଡଗେମ୍‌’
ଆରମ୍ଭରୁ ବିବାଦରେ ଫସିଥିବା ଅଭିନେତା ମନୋଜ ମିଶ୍ରଙ୍କ ଚିତ୍ର ‘ମାଇଣ୍ଡଗେମ୍‌’ ଦମ୍‌ ଦେଖାଇଥିଲା। ଓଡ଼ିଆ ସାଙ୍ଗକୁ ସମ୍ବଲପୁରୀରେ ଏହି ଚିତ୍ର ମୁକ୍ତିଲାଭ କରି ସଫଳତା ସାଉଁଟିଥିଲା। ଆୟରଲାଣ୍ଡର ଡବଲିନ୍‌ରେ ଏହି ଚିତ୍ର ମୁକ୍ତିଲାଲ କରିଥିଲା। ସେଠାରେ ରହୁଥିବା ଓଡ଼ିଶାର ମୂଳ ନିବାସୀ ଏହି ଚିତ୍ରକୁ ବେଶ୍‌ ପସନ୍ଦ କରିଥିଲେ। ବଲିଉଡ ଅଭିନେତା ୟଶପାଲ ଶର୍ମା, ଅତୁଲ କୁଲକର୍ଣ୍ଣି, ଟଲିଉଡ ଅଭିନେତା ତାନିକେଲା ଭର୍‌ନି, ଓଡ଼ିଆ ଅଭିନେତା ଚିନ୍ମୟ ମିଶ୍ର, ଅଭିନେତ୍ରୀ ଅନୁ ଚୌଧୁରୀ, ପୁଷ୍ପା ପଣ୍ଡା ପ୍ରମୁଖ ଏଥିରେ ଅଭିନୟ କରିଥିଲେ। ରାଜେଶ ଟଚରିଭର ନିର୍ଦେଶିତ ଏହି ଚିତ୍ରର ପ୍ରଯୋଜନା କରିଥିଲେ ଶ୍ରୀଧର ମାର୍ଥା।

ପ୍ରଶଂସା ସାଉଁଟିଲା
ଅନୁପମ ପଟ୍ଟନାୟକଙ୍କ ନିର୍ଦେଶିତ ‘ପ୍ରତୀକ୍ଷା’ ଚିତ୍ର ବେଶ୍‌ ପ୍ରଶଂସା ସାଉଁଟିଛି। ମଧ୍ୟବିତ୍ତ ପରିବାରରେ ବାପପୁଅଙ୍କ ସମ୍ପର୍କ ଓ ଚାକିରି ପାଇଁ କେମିତି ପୁଅ ସମସ୍ୟା ସାମ୍ନା କରେ ସେହି କାହାଣୀକୁ ଏଥିରେ ଦର୍ଶାଯାଇଛି। କଥାକାର ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ‘ବାପା’ର କାହାଣୀକୁ ନେଇ ଚଳଚ୍ଚିତ୍ର ତିଆରି ହୋଇଛି। ୨୦୨୨ ଡିସେମ୍ବର ୨ରେ ଏହା ମୁକ୍ତିଲାଭ କରିଥିଲା। ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ଫିଚର ଫିଲ୍ମ ବର୍ଗରେ ‘ପ୍ରତୀକ୍ଷା’କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରିଥିଲେ। ସେହିପରି ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)ରେ ମଧ୍ୟ ଏହି ଚିତ୍ର ପ୍ରଦର୍ଶିତ ହୋଇଥିଲା।

ଚର୍ଚ୍ଚାରେ ଟେଲି-ଓଟିଟି ଫିଲ୍ମ
ପ୍ରେକ୍ଷାଳୟ ସାଙ୍ଗକୁ ଟକ୍କର ଦେଇ ଏହି ବର୍ଷ ଅନେକ ଟେଲି ଫିଲ୍ମ ଓ ଓଟିଟି ପ୍ଲାଟ୍‌ଫର୍ମ ପାଇଁ ଚିତ୍ର ନିର୍ମାଣ ହୋଇଛି। ଯାହା ପ୍ରେକ୍ଷାଳୟ ପାଇଁ ସମସ୍ୟା ବଢ଼ାଇଛି ସତ କିନ୍ତୁ ସଂଖ୍ୟା ବୃଦ୍ଧିରେ ସହାୟକ ହୋଇଛି। ବିଶେଷକରି ତରଙ୍ଗ ଓ ଜୀ ସାର୍ଥକ୍‌ ପ୍ରତିଦ୍ବନ୍ଦ୍ବିତା ଭିତ୍ତିରେ ଏକାଧିକ ଚିତ୍ର ନିର୍ମାଣ କରିଛନ୍ତି। ଯେଉଁଥିରେ ଓଲିଉଡର ନାମୀ କଳାକାର, ନିର୍ଦେଶକ ଓ ସଙ୍ଗୀତକାର ବି କାମ କରିଛନ୍ତି। ସେହିପରି ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ର ନୂତନ ୱେବ୍‌ ସିରିଜ୍ ‘ବାରଙ୍ଗ ୧୯୯୯’ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଏହାର ନିର୍ଦେଶନା ଦେଇଛନ୍ତି ଅଜୟ ପାଢ଼ୀ। ୭ ଅଧ୍ୟାୟ ବିଶିଷ୍ଟ ଏହି ସିରିଜ୍ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ରାଜନୈତିକ ଚକ୍ରବ୍ୟୂହ ଏବଂ ନାରୀ ଶକ୍ତିର ରୂପରେଖକୁ ମଧ୍ୟ ଦର୍ଶାଇଛି।

ରାସ୍ତାକୁ ଓହ୍ଲାଇଲେ
ମନୋଜ ମିଶ୍ରଙ୍କୁ ନେଇ ବିବାଦ ତେଜିବା ପରେ ଓଡ଼ିଆ ଚଳଚ୍ଚିତ୍ରର ସମସ୍ୟାକୁ ନେଇ ରାସ୍ତାକୁ ପ୍ରଥମେ ଓହ୍ଲାଇଥିଲେ ‘ପ୍ରଥା’ର ପ୍ରଯୋଜିକା ସନଲିସା। ପରେ ତାଙ୍କୁ ଓଲିଉଡର କଳାକାର, ନିର୍ଦେଶକ, ପ୍ରଯୋଜକ ଓ କିଛି ରାଜନେତା ବି ସାଥ୍‌ ଦେଇଥିଲେ। ଚଳଚ୍ଚିତ୍ର ଶିଳ୍ପର ସମସ୍ୟା ନେଇ ଶିଳ୍ପ ସଚିବଙ୍କ ସହ ଆଲୋଚନା କରାଯାଇଥିଲା। ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ଆନ୍ଦୋଳନ ମାଧ୍ୟମରେ ୫ଦଫା ଦାବି ସହ ଓଡ଼ିଆ ଚିତ୍ରର ବିକାଶରେ ବାଧକ ସାଜୁଥିବା ବିଭିନ୍ନ ଦିଗରେ ସମସ୍ୟା ବିଷୟରେ ସମସ୍ତେ ମତ ରଖିଥିଲେ। ତାହା ପ୍ରଶାସନିକ ଅଧିକାରୀ ଶୁଣି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଦୁନିଆର ବିଭିନ୍ନ ବ୍ୟକ୍ତିଗତ ମନ୍ତବ୍ୟକୁ ନେଇ ଉପୁଜିଥିବା ବାଦ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବା ଲକ୍ଷ୍ୟ ନେଇ ନଭେମ୍ବର ୧ ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ମାଷ୍ଟରକ୍ୟାଣ୍ଟିନ ନିକଟରେ ଏକ ମହମବତି ଶୋଭାଯାତ୍ରା କରାଯାଇଥିଲା।

‘ପୁଷ୍କରା’ର ମହକ
ଓଡ଼ିଆ ଚିତ୍ର ‘ପୁଷ୍କରା’ ୫୦ ଦିନ ପୂରଣ କରି ରେକର୍ଡ କରିଥିଲା। ଏହି ଚିତ୍ର ଯେତେବେଳେ ମୁକ୍ତିଲାଭ କରିଥିଲା ସେତେବେଳେ ଶାହରୁଖ୍ ଖାଁଙ୍କ ଫିଲ୍ମ ‘ଯବାନ୍’ ଚାଲିଥିଲା। ସେ ସମୟରେ ‘ପୁଷ୍କରା’କୁ ପ୍ରେକ୍ଷାଳୟକୁ ଆଣିବା ବଡ଼ ରିସ୍କ ଥିଲା। କିଛି ପ୍ରେକ୍ଷାଳୟ ସେ ରିସ୍କ ନେଇଥିଲେ। ତା’ର ସୁଫଳ ମଧ୍ୟ ମିଳିଥିଲା। ଅଳ୍ପ କେତେଟି ପ୍ରେକ୍ଷାଳୟ ଓ ଶୋ’ରୁ ଆରମ୍ଭ ହୋଇ ‘ପୁଷ୍କରା’ ଆଶାତୀତ ସଫଳତା ପାଇଲା- ପ୍ରେକ୍ଷାଳୟ, ଶୋ’ ସଂଖ୍ୟା ବଢ଼ିଲା। କେବଳ ଓଡ଼ିଶା ନୁହେଁ, ବେଙ୍ଗାଲୁରୁ, ହାଇଦରାବାଦ, ଚେନ୍ନଇ ସମେତ ତାମିଲନାଡୁର ଅନ୍ୟ ସହରରେ ମଧ୍ୟ ଫିଲ୍ମଟି ସଫଳତାର ସହିତ ଚାଲିଲା।

ନୂଆ ରୂପରେ
ଚଳିତ ବର୍ଷ ଅନେକ କଳାକାର ନୂଆ ରୂପରେ ପରଦାରେ ଦେଖା ଦେଇଥିଲେ। ‘ପୁଷ୍କରା’ ଚିତ୍ରରେ ସବ୍ୟସାଚୀ, ସୁପ୍ରିୟା, ‘କଟକ-ଶେଷରୁ ଆରମ୍ଭ’ରେ ସିଦ୍ଧାନ୍ତ, ଦେବାଶିଷ, ‘ମାଇଣ୍ଡଗେମ୍‌’ରେ ମନୋଜ ମିଶ୍ର, ‘ମାଲ୍ୟଗିରି’ରେ ବାବୁଶାନ, ଅମ୍ଳାନ, ଶିବାନୀ, ସୂର୍ଯ୍ୟମୟୀ, ‘ରାମ୍‌’ରେ ଅରିନ୍ଦମ, ‘ଧୋରେ ବାବୁ ଧୋ’ରେ ହରିହର ମହାପାତ୍ର, ‘ପ୍ରଥା’ରେ ସ୍ବରାଜ ଓ ଶୀତଲ ଓ ‘ଲଭ୍‌ ଇନ୍‌ ଲଣ୍ଡନ୍‌’ରେ ଅନୁଭବ ପ୍ରମୁଖଙ୍କୁ ଭିନ୍ନ ଓ ନୂଆ ରୂପରେ ଦର୍ଶକ ଦେଖିବାକୁ ପାଇଥିଲେ। ଅଭିନେତ୍ରୀ ଅର୍ଚ୍ଚିତା ‘ନମସ୍ତେ କମଳା ମାଗୋ’ ଟେଲିଚିତ୍ରରେ ଏକ ନୂଆ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ସେହିପରି ‘ପ୍ରତିଶୋଧ’ରେ ଏଲିନା, ‘ଆଇପିଏସ୍‌ ଦୁର୍ଗା’ରେ ସୂର୍ଯ୍ୟମୟୀ ବି ନୂଆ ରୂପରେ ଦେଖା ଦେଇଥିଲେ। ମିଳିଥିବା ଚରିତ୍ରକୁ ଏହି କଳାକାରମାନେ ସୁନ୍ଦର ଭାବେ ନିଭାଇଥିଲେ।

ଖାସ୍‌ ଖବର

  • ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକ ଅଦାଲତରୁ ଜାମିନ ପାଇବା ପରେ ଝାରପଡ଼ା ଜେଲ୍‌ରୁ ମୁକୁଳିଥିଲେ।
  • ‘ନବ କଳେବର’ ଚିତ୍ରର ସୁଟିଂ ସମୟରେ ଅଭିନେତା ଶ୍ରୀତମ ଦାସ ଘୋଡ଼ାରୁ ପଡ଼ି ଆହତ ହୋଇଥିଲେ।
  • କାଷ୍ଟିଂ କାଉଚ୍‌ ଅଭିଯୋଗକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ମଧ୍ୟରେ ବିବାଦ ତେଜିଥିଲା। ପ୍ରକୃତି ଏନେଇ ମୁମ୍ବଇରେ ସଞ୍ଜୟଙ୍କ ବିରୋଧରେ ଏତଲା ଦେଇଥିଲେ।
  • ମୁମ୍ବଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ତାଙ୍କର ଜଣେ ସହ କଳାକାର ସଙ୍ଗିନ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ସୌରିନ ବର୍ଷ ବ୍ୟାପି ବିବାଦରେ ଛନ୍ଦି ହୋଇଥିଲେ।
  • ଟଲିଉଡରେ ଓଡ଼ିଆ ଝିଅର କମାଲ। ବ୍ଲକ୍‌ବଷ୍ଟର ମୁଭି ‘ମଙ୍ଗଲଭରମ’ରେ କୋରାପୁଟ ସେମିଳିଗୁଡ଼ା ଗାଦବା ସମ୍ପ୍ରଦାୟର ଆଦିବାସୀ ଝିଅ ସୁମନ ଖିଲେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ।
  • ଅନ୍ତର୍ଜାତୀୟ ଶିଶୁ ଓ ପାରିବାରିକ ମନୋରଞ୍ଜନ ସଂସ୍ଥା ‘ଟୁନ୍‌ଜ ମିଡ଼ିଆ ଗ୍ରୁପ୍‌’ ଏବଂ ଓଡ଼ିଶାର ‘ଏଲି ଆନିମେସନ୍ସ’ର ମିଳିତ ସହଭାଗିତାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ପ୍ରଥମ ଓଡ଼ିଆ ଆନିମେସନ୍‌ ସିରିଜ୍‌ ତିଆରି କରାଯାଇଛି।
  • ଓଡ଼ିଆ ଚଳଚ୍ଚିତ୍ର ‘ରାମ୍‌’ର ମୂଳ ଭିଡିଓକୁ ଜଣେ ବ୍ୟକ୍ତି ନିଜର ୟୁ ଟ୍ୟୁବ୍‌ ଚ୍ୟାନେଲରେ ପୋଷ୍ଟ କରିବା ମହଙ୍ଗା ପଡ଼ିଥିଲା। ଏହି ଘଟଣାରେ ଗଞ୍ଜାମ ଜିଲାର ଶିବରାମ ନାହାକକୁ ପୁଲିସ ବାନ୍ଧିଥିଲା।
  • ନ୍ୟାସ୍‌ନାଲ୍‌ ଫିଲ୍ମ ଡେଭଲପ୍‌ମେଣ୍ଟ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଏଫ୍‌ଡିସି) ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ର ‘ବାଘୁଣୀ’ (ଡ୍ୟାନ୍ସ ଲାଇକ୍ ଏ ଟାଇଗର) ସମେତ ୧୧ଟି ଦେଶରୁ ୨୦ଟି ଫିଚର ଫିଲ୍ମ ପ୍ରୋଜେକ୍ଟକୁ ଗୋଆ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମନୋନୀତ କରାଯାଇଛି।
  • ଓଡ଼ିଆ ଅଭିନେତା-ନିର୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ୍‌ ଅଫ୍‌ ଡ୍ରାମାର ନିର୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି।
  • ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତିଙ୍କୁ ଭଦ୍ରକର ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଭୁବନେଶ୍ବର ନୂଆପଲ୍ଲୀ ପୁଲିସ ଗିରଫ କରିଥିଲା। ସେହିପରି ଅଭିନେତା ବିରଞ୍ଚି ମଧ୍ୟ ପୁଲିସକୁ ଆକ୍ରମଣ ଅଭିଯୋଗରେ ବନ୍ଧା ହୋଇଥିଲେ।
  • ପ୍ରଖ୍ୟାତ ସଙ୍ଗୀତ ଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ଗୀତକୁ ନେଇ ଓଡ଼ିଆ ଚିତ୍ର ‘ଖୋକାଭାଇ ତମ ପାଇଁ’ର ପ୍ରସ୍ତୁତି ଆରମ୍ଭ।
  • ଓଡ଼ିଆ ଚିତ୍ରର ସମୀକ୍ଷା କଲେ ପାକିସ୍ତାନୀ ୟୁ ଟ୍ୟୁବର।
  • ଓଡ଼ିଆ ଚିତ୍ର ‘ବସ୍‌’ରେ ଅଭିନୟ କରି ଅଭିନେତ୍ରୀ ବର୍ଷା ପୁଣିଥରେ ଚର୍ଚ୍ଚାକୁ ଆସିଥିଲେ।
  • ଅଶ୍ବନୀ ତ୍ରିପାଠୀଙ୍କ ନିର୍ଦେଶିତ ଚିତ୍ର ‘ଡେଲିଭରି ବୟ’କୁ ରାଜ୍ୟ ସରକାର ଶୁଳ୍କ ମୁକ୍ତ କରିଥିଲେ।
  • ହକି ବିଶ୍ବ କପ୍‌ର ଆନ୍ଥେମ୍‌ ପ୍ରସ୍ତୁତ କରିଥିଲେ ସଙ୍ଗୀତକାର ପ୍ରେମ୍‌ ଆନନ୍ଦ। ଉଦ୍‌ଘାଟନୀ ଉତ୍ସବରେ ଆକର୍ଷଣ ସାଜିଥିଲେ ସବ୍ୟସାଚୀ ଓ ଅର୍ଚ୍ଚିତା।
  • ଚଳଚ୍ଚିତ୍ର ଓ ଟେଲିଭିଜନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନିର୍ମାତା ଅକ୍ଷୟ ପରିଜାଙ୍କୁ ଦୁବାଇ ସରକାରଙ୍କ ଦ୍ବାରା ଗୋଲ୍‌ଡେନ ଭିସା ପ୍ରଦାନ।
  • ସତ୍ୟ ଘଟଣା ଉପରେ ଆଧାରିତ ‘ଦମନ’ ପରେ ‘ଚନ୍ଦ୍ରମା’କୁ ନେଇ ପ୍ୟାନ୍‌ ଇଣ୍ଡିଆରେ ଚର୍ଚ୍ଚା।
  • ଜୀ ସାର୍ଥକ୍‌ର ଚିତ୍ର ‘ବନ୍ଦିନୀ’ରେ ଭିନ୍ନ ଭୂମିକାରେ ନଜର ଆସିଥିଲେ ରିୟା ଦେ।
  • ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଚିତ୍ର ‘ଶଲାବୁଢ଼ା’ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ପ୍ରସାରିତ ହୋଇଥିଲା।
  • ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କ ଦ୍ବାରା ଅନୁପ୍ରାଣିତ ଚିତ୍ର ‘ସାର୍‌ ମାଡାମ ସରପଞ୍ଚ’ ଚର୍ଚ୍ଚାକୁ ଆସିଥିଲା।
  • କିନ୍ନରଙ୍କ ଜୀବନୀକୁ ନେଇ ନିର୍ମିତ ଚିତ୍ର ‘ଟି’ ପ୍ରଶଂସିତ ହୋଇଥିଲା।
  • ଅନୁଭବଙ୍କ ଅଭିନୀତ ‘ଲଭ୍‌ ଇନ୍‌ ଲଣ୍ଡନ’ ଚିତ୍ର ଲାଭାଂଶ ଅର୍ଥର ୧୦ ଭାଗ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ ଘୋଷଣା
  • ‘ପ୍ରିୟେ ତୁ ମୋ ସିଏ’ରେ ଜାତିପ୍ରଥାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା।
  • ୨୦୧୯ ପାଇଁ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

Comments are closed.