mission shakti banner

୨୦୨୩ – ସାହିତ୍ୟ ସାଧନା ଓ ସୃଷ୍ଟି

nua o banner

ସମ୍ମାନ ଓ ପୁରସ୍କାର ବିଜୟୀ ସାରସ୍ବତ ସ୍ରଷ୍ଟା
ଜ୍ଞାନପୀଠ ବିଜୟିନୀ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘କୃତିତ୍ବ ସମଗ୍ର ସମ୍ମାନ’ ପ୍ରଦାନ କରାଯାଇଛି। ଭାରତୀୟ ଭାଷା ପରିଷଦର ଏହା ହେଉଛି ସର୍ବୋଚ୍ଚ ସମ୍ମାନ। ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ବିଶିଷ୍ଟ କଥାଶିଳ୍ପୀ ବିଜୟ ନାୟକଙ୍କୁ ‘ବିଷୁବ ପୁରସ୍କାର’ ପ୍ରଦାନ କରାଯାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ଅବସରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କୁ ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ପୁରସ୍କାର’ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ ଶ୍ରୀ ମହାପାତ୍ରଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ଉପଢ଼ୌକନ ଓ ମାନପତ୍ର ଦିଆଯାଇଥିଲା। ଲୋକକବି ତଥା ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନିଙ୍କୁ ‘ଦକ୍ଷିଣ ଓଡ଼ିଶା ଲୋକସଂସ୍କୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ବଲପୁର ବିଶ୍ବବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସରେ ବିଶିଷ୍ଟ ମାଲାୟାଲମ କବି କେ.ଜି.ଶଙ୍କର ପିଲ୍ଲାଇଙ୍କୁ ‘ଗଙ୍ଗାଧର ଜାତୀୟ ପୁରସ୍କାର’ ପ୍ରଦାନ କରାଯାଇଛି। ବିଶିଷ୍ଟ କବୟିତ୍ରୀ ଗାୟତ୍ରୀବାଳା ପଣ୍ଡାଙ୍କୁ ୨୦୨୨ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। କଥାଶିଳ୍ପୀ ତରୁଣକାନ୍ତି ମିଶ୍ରଙ୍କୁ ପୀତାମ୍ବର ମିଶ୍ର ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ ୫୦ ହଜାର ଟଙ୍କା ଅର୍ଥରାଶି, ମାନପତ୍ର ଓ ଉତ୍ତରୀୟ ପ୍ରଦାନ ଦିଆଯାଇଥିଲା।

ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ଫାଉଣ୍ଡେସନ ପକ୍ଷରୁ ଲେଖିକା ଡ. ସୁନୀତି ଦେବୀଙ୍କୁ ‘ଉତ୍କଳ ଭାରତୀ କୁନ୍ତଳାକୁମାରୀ ସାରସ୍ବତ ସମ୍ମାନ’ ପ୍ରଦାନ କରାଯାଇଥିଲା। ସାହିତ୍ୟିକ ଓ ଗବେଷକ ଡ. ତୀର୍ଥାନନ୍ଦ ମିଶ୍ରଙ୍କ ସ୍ମୃତି ଉତ୍ସବରେ ପ୍ରଫେସର ଡ. ବୈଷ୍ଣବ ଚରଣ ସାମଲଙ୍କୁ ‘ଡକ୍ଟର ତୀର୍ଥାନନ୍ଦ ମିଶ୍ର ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। କଥାଶିଳ୍ପୀ ସୁପ୍ରିୟା ପାଲ ଏବଂ ପ୍ରାବନ୍ଧିକ ଡ. ରମେଶ ଚନ୍ଦ୍ର ମଲ୍ଲିକଙ୍କୁ ‘ଆଦିକବି ସାରଳାଦାସ ସାରସ୍ବତ ସମ୍ମାନ’ ପ୍ରଦାନ କରାଯାଇଥିଲା। ସାହିତ୍ୟିକ ତଥା ‘ଗୋକର୍ଣ୍ଣିକା’ ପତ୍ରିକାର ସମ୍ପାଦକ ରମାକାନ୍ତ ଜେନାଙ୍କୁ ‘ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସାରସ୍ବତ ସମ୍ମାନ’ ପ୍ରଦାନ କରାଯାଇଛି। ଭୀମ ଭୋଇ ଚେୟାରର ପ୍ରଫେସର ପ୍ରଦୀପ କୁମାର ପଣ୍ଡା ‘ଅବନୀ ବରାଳ ସାହିତ୍ୟ ସମ୍ମାନ’ ଲାଭ କରିଛନ୍ତି। ରଚନା ପକ୍ଷରୁ ଗାଳ୍ପିକା ହିରଣ୍ମୟୀ ମିଶ୍ରଙ୍କୁ ‘କଥାକାର ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର’, ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍ ତରଫରୁ ଚଳିତବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ବିଶିଷ୍ଟ ଲେଖିକା ପୁଷ୍ପାଞ୍ଜଳି ନାୟକଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଯୁବଲେଖକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଦିଆଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ଏଥର ଗାଳ୍ପିକ ସୁଶୀଳ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା। ତପସ୍ୟା ଫାଉଣ୍ଡେସନ ପକ୍ଷରୁ ତପସ୍ୟା ସୃଜନ ପୁରସ୍କାର ୨୦୨୨ ପାଇଁ ରଞ୍ଜନା ପାଢ଼ୀ ଓ ନିଗମାନନ୍ଦ ଷଡ଼ଙ୍ଗୀଙ୍କ ‘ଗାଁ ଛାଡ଼ିବୁ ନାହିଁ’ ପୁସ୍ତକ ମନୋନୀତ ହୋଇଛିା ଗଙ୍ଗାଧର ମେହେର ସ୍ମୃତି କମିଟି ପକ୍ଷରୁ ନରେନ୍ଦ୍ର କୁମାର ମିଶ୍ରଙ୍କୁ ‘ଗଙ୍ଗାଧର ମେହେର ସମ୍ମାନ’ ପ୍ରଦାନ କରାଯାଇଥିଲା। କବି ଚନ୍ଦ୍ରକୁମାର ମହାନ୍ତି ସ୍ମୃତି ସଂସଦ ପକ୍ଷରୁ ୨୦୨୨ ମସିହା ପାଇଁ କବି ଅଙ୍ଗୁରବାଳା ପରିଡ଼ା ଓ ୨୦୨୩ ମସହା ପାଇଁ କବି ମନୋଜ ମେହେରଙ୍କୁ ‘ଚନ୍ଦ୍ରକୁମାର ମହାନ୍ତି କବିତା ପୁରସ୍କାର’ ପ୍ରଦାନ କରାଯାଇଥିଲା। ଅଖିଳ ମୋହନ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ ଗାଳ୍ପିକା ଚିରଶ୍ରୀ ଇନ୍ଦ୍ରସିଂଙ୍କୁ ସମ୍ମାନଜନକ ‘ଅଖିଳ କଥା ସମ୍ମାନ’ ଓ କବି ପବିତ୍ର ମୋହନ ଦାଶଙ୍କୁ ‘ଜ୍ଞାନଦା କବିତା ସମ୍ମାନ’ ପ୍ରଦାନ କରାଯାଇଛି। ବିଶିଷ୍ଟ ନାଟ୍ୟକାର ସୁବାସଚନ୍ଦ୍ର ମହାପାତ୍ର ଚଳିତବର୍ଷର ମର୍ଯ୍ୟାଦାଜନକ ‘ଆଦି ନାଟ୍ୟକାର ସମ୍ମାନ’ ଲାଭ କରିଛନ୍ତି।

ସୀତାକାନ୍ତ, ପ୍ରତିଭା ଓ ଶ୍ରୀନିବାସଙ୍କୁ ଅତିବଡ଼ୀ ସମ୍ମାନ
ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ସମାନ ହେଉଛି ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ। ୨୦୨୧ ପାଇଁ ପ୍ରଖ୍ୟାତ ଔପନ୍ୟାସିକା ଜ୍ଞାନପୀଠ ବିଜୟିନୀ ତଥା ପଦ୍ମଭୂଷଣ ଡ. ପ୍ରତିଭା ରାୟ, ୨୦୨୨ ବର୍ଷ ପାଇଁ ପ୍ରଖ୍ୟାତ କବି ପଦ୍ମବିଭୂଷଣ ଡ. ସୀତାକାନ୍ତ ମହାପାତ୍ର ଓ ୨୦୨୩ ପାଇଁ ବିଶିଷ୍ଟ ସାହିତ୍ୟିକ ଓ ଅନୁବାଦକ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି, ଫଳକ ଓ ଉପଢୌକନ ପ୍ରଦାନ କରାଯାଇଥିଲା।

ଭୀମ ପୃଷ୍ଟିଙ୍କୁ ଶାରଳା ପୁରସ୍କାର

ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତବର୍ଷ ସୁଖ୍ୟାତ କଥାକାର ଭୀମ ପୃଷ୍ଟି ଲାଭ କରିଛନ୍ତି। ‘ଜମ୍ବୁଲୋକ’ ଉପନ୍ୟାସ ପୁସ୍ତକ ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ। ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଶ୍ରୀନିବାସ ଉଦ୍‌ଗାତାଙ୍କୁ ସାହିତ୍ୟ ଭାରତୀ ସମ୍ମାନ
ଗଙ୍ଗାଧର ଫାଉଣ୍ଡେସନ ପକ୍ଷରୁ ଚଳିତବର୍ଷ ମର୍ଯ୍ୟାଦାଜନକ ‘ସାହିତ୍ୟ ଭାରତୀ ସମ୍ମାନ’ ବିଶିଷ୍ଟ ସାହିତ୍ୟ ସାଧକ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ ପ୍ରଦାନ କରାଯାଇଥିଲା । ତାଙ୍କୁ ସମ୍ମାନ ସ୍ବରୂପ ମାନପତ୍ର, କୋଣାର୍କ ମନ୍ଦିରର ଏକ ଫଳକ ଏବଂ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ଗଙ୍ଗାଧର ରଥଙ୍କ ସ୍ମୃତିରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ’ ଏବଂ ଡକ୍ଟର ଭଗବାନ ଜୟସିଂହଙ୍କୁ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’, ଶ୍ରୀମତୀ ମାନସୀ ଦାସଙ୍କୁ ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’, ‘ସୁବ୍ରତ ରଥ ସ୍ମାରକୀ ପୁରସ୍କାର’ ମୌସୁମୀ ପରିଡ଼ା ଓ ରବିନାରାୟଣ ଦାଶଙ୍କୁ ପ୍ରଦାନ କରାଯାଇଥିଲା।

ଜଷ୍ଟିସ ଦୀପକ ମିଶ୍ରଙ୍କୁ ଉତ୍କଳରତ୍ନ

ଓଡ଼ିଶାର ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ୧୨୧ତମ ବାର୍ଷିକ ଉତ୍ସବରେ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଉତ୍କଳରତ୍ନ’ ଜଷ୍ଟିସ ଦୀପକ ମିଶ୍ରଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ରାଧାମୋହନ ମହାପାତ୍ରଙ୍କୁ ‘ଶୁକଦେବ ଉପନ୍ୟାସ ସମ୍ମାନ’, ସଂଯୁକ୍ତା ମହାନ୍ତିଙ୍କୁ ‘ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ’, ମନ୍ମଥ କୁମାର ଶତପଥୀଙ୍କୁ ‘ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ’, ଡକ୍ଟର କମ୍ବୁପାଣି ଶତପଥୀଙ୍କୁ ‘ଗୋପୀନାଥ ନନ୍ଦ ପ୍ରବନ୍ଧ ସାହିତ୍ୟ ସମ୍ମାନ’, ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତଙ୍କୁ ‘ରାମକୃଷ୍ଣ ନନ୍ଦ ଶିଶୁ-ସାହିତ୍ୟ ସମ୍ମାନ’, ତ୍ରିପୁରା ମିଶ୍ରଙ୍କୁ ‘ ବୈଷ୍ଣବ ପାଣି କଳା ସମ୍ମାନ’, ରମେଶ ଚନ୍ଦ୍ର ରଥଙ୍କୁ ‘ ପ୍ରଫୁଲ୍ଳ ଦାସ ଅନୁବାଦ ସାହିତ୍ୟ ସମ୍ମାନ’, ଡ. ଛାୟାକାନ୍ତ ଷଡ଼ଙ୍ଗୀଙ୍କୁ ‘ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ’, ଚୈତନ୍ୟ କୁମାର ସାହୁଙ୍କୁ ‘ ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ’, ଅପର୍ଣ୍ଣା ମିଶ୍ରଙ୍କୁ ‘ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ’, ସତ୍ୟନାରାୟଣ ମହାପାତ୍ରଙ୍କୁ ‘ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ’ , ଦେବୁ ଚାଟାର୍ଜୀଙ୍କୁ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ’, ଡ. ରମାକାନ୍ତ ମହାପାତ୍ରଙ୍କୁ ‘ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ’, କାହ୍ନୁ ଚରଣ ଲେଙ୍କାଙ୍କୁ ‘ ବିଶ୍ବନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ’, ବାବାଜୀ ଚରଣ ଜେନାଙ୍କୁ ‘ନବରୂପା ରାଜ ଗୀତିକବିତା ସମ୍ମାନ’, ଗୋପୀନାଥ ବେହେରାଙ୍କୁ ‘କବିଚନ୍ଦ୍ର ସଙ୍ଗୀତଗୁରୁ ସମ୍ମାନ’, ସ୍ବରୂପା ଚକ୍ରବର୍ତ୍ତୀଙ୍କୁ ‘ଭିକାରୀ ବଳ କଣ୍ଠଶିଳ୍ପୀ ସମ୍ମାନ’, ବିଶ୍ବକେଶ ତ୍ରିପାଠୀଙ୍କୁ ‘ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ’, ଇଂ ସୌରାଂଶୁ ପଟ୍ଟନାୟକଙ୍କୁ ‘ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ’ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ‘ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଙ୍ଗଠନ ସମ୍ମାନ’, ସୁଜିତ କୁମାର ପଣ୍ଡାଙ୍କୁ ‘କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ବତ ସମ୍ମାନ’, ନଳିନୀକାନ୍ତ ନନ୍ଦ(ଏସ୍‌.ବି ପବ୍ଲିଶର୍ସ)ଙ୍କୁ ‘ଦେବବ୍ରତ କର ପ୍ରକାଶନ ସମ୍ମାନ’, ଡ. ମହେନ୍ଦ୍ର କୁମାର ମିଶ୍ରଙ୍କୁ ‘ନିରଞ୍ଜନ ଦାସ ଭାଷା ସମ୍ମାନ’, ସୁଶାନ୍ତ କୁମାର ନାୟକଙ୍କୁ ‘ବାଗ୍ମୀ ବିଶ୍ବନାଥ କର ସମ୍ପାଦନା ସମ୍ମାନ ’ ଓ ରାଜବଲ୍ଳଭ ସାହୁଙ୍କୁ ‘ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ’ ପ୍ରଦାନ କରାଯାଇଥିଲା।
ସେହିପରି ସାହିତ୍ୟ ସମାଜର ୧୨୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଜ୍ଞାନ ଲେଖକ ଡାକ୍ତର ନିତ୍ୟାନନ୍ଦ ସ୍ବାଇଁଙ୍କୁ ମର୍ଯ୍ୟାଦାନଜନ ‘ଜେମା-ସାମନ୍ତ ସୃଜନୀ ପୁରସ୍କାର’ ପ୍ରଦାନ କରାଯାଇଥିବାବେଳେ ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀଙ୍କୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ବାହୁଡ଼ି ଯାଇଥିବା ଲେଖକ ଲେଖିକା

ପଦ୍ମଶ୍ରୀ ଜୟନ୍ତ ମହାପାତ୍ର, ଗୀତା ମେହେଟ୍ଟା, କବି ଶରତ ଚନ୍ଦ୍ର ପ୍ରଧାନ, ପ୍ରଫେସର ପ୍ରଫୁଲ୍ଳ କୁମାର ଜେନା, କବି ହୁସେନ ରବି ଗାନ୍ଧୀ, ସାହିତ୍ୟିକ ଅନାଦି ଚରଣ ଦାସ, ଦାର୍ଶନିକ ଜିତେନ୍ଦ୍ରନାଥ ମହାନ୍ତି, ସାହିତ୍ୟିକା ଗୀତା ହୋତା, ପଣ୍ଡିତ ଦିବ୍ୟସିଂହ ମିଶ୍ର, ଶିଶୁ ସାହିତ୍ୟିକ ଗିରିଧାରୀ ସ୍ବାଇଁ, ଔପନ୍ୟାସିକ ବଂଶୀଧର ରାଉତ, କବି ତପନ ପଟ୍ଟନାୟକ, ଗୀତିକବି ବିନୋଦିନୀ ଦେବୀ, ଗୀତିକାର ସ୍ବରୂପ ନାୟକ, କବି ଓ ଗାଳ୍ପିକ ପ୍ରବୋଧ କୁମାର ରାଉତ, କବି କୁମାର ହସନ, ପ୍ରାବନ୍ଧିକ ଓ ଔପନ୍ୟାସିକ ଶରତ ଚନ୍ଦ୍ର ମିଶ୍ର, ଗୀତିକବି ବୀରକିଶୋର ସୁବୁଦ୍ଧି, ପ୍ରାବନ୍ଧିକ ତଥା ପ୍ରଫେସର ଶ୍ରୀନିବାସ ମିଶ୍ର, ଶ୍ରୀ ଜଗନ୍ନାଥ ଗବେଷକ ତଥା ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର ପ୍ରମୁଖ।

ନୀଳାଦ୍ରି ଭୂଷଣ ଓ ଅର୍ଚ୍ଚନାଙ୍କୁ ସାରଳା ସମ୍ମାନ
ସାରଳା ସାହିତ୍ୟ ସଂସଦର ୪୨ତମ ବାର୍ଷିକ ଉତ୍ସବ ଅବସରରେ ୨୦୨୨ ପାଇଁ ସାହିତ୍ୟିକ ପ୍ରଫେସର ଡ. ନୀଳାଦ୍ରି ଭୂଷଣ ହରିଚନ୍ଦନ ଏବଂ କଥାଶିଳ୍ପୀ ଡ. ଅର୍ଚ୍ଚନା ନାୟକଙ୍କୁ ୨୦୨୩ ପାଇଁ ସମ୍ମାନଜନକ ‘ସାରଳା ସମ୍ମାନ’ ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ସ୍ବରୂପ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଅର୍ଥରାଶି, ମାନପତ୍ର ଓ ଉତ୍ତରୀୟ ଦିଆଯାଇଥିଲା। ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ୧୦୭ତମ ଜୟନ୍ତୀ ପାଳନ ଅବସରରେ କବି ଅଭୟ ନାୟକଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘ସଚ୍ଚି ରାଉତରାୟ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲ। ଏହି ପୁରସ୍କାର ସ୍ବରୂପ ୨୫ ହଜାର ଟଙ୍କା ା ସେହିପରି ଏହି ଅନୁଷ୍ଠାନ ପକ୍ଷରୁ କବି ଭଗବାନ ଜୟସିଂହଙ୍କୁ ‘ଗୋଦାବରୀଶ ମିଶ୍ର ସମ୍ମାନ’ ଓ ପ୍ରଫେସର ଯତୀନ୍ଦ୍ର ନାୟକଙ୍କୁ ‘ ବିଶ୍ବନାଥ ପଶାୟତ ସମ୍ମାନ’ ପ୍ରଦାନ କରାଯାଇଥିଲା।

ହରିହର ମିଶ୍ରଙ୍କୁ ‘ସତ୍ୟବାଦୀ ସାରସ୍ବତ ସମ୍ମାନ’
‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ବାର୍ଷିକ ସମାରୋହ ଉତ୍ସବରେ ପ୍ରଫେସର ହରିହର ମିଶ୍ରଙ୍କୁ ‘ସତ୍ୟବାଦୀ ସାରସ୍ବତ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ ଶ୍ରୀ ମିଶ୍ରଙ୍କୁ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ସତ୍ୟବାଦୀ କବିତା ସମ୍ମାନ ସୌଭାଗ୍ୟବନ୍ତ ମହାରଣାଙ୍କୁ, ଗଳ୍ପ ପାଇଁ ସୀତେଶ ତ୍ରିପାଠୀ, ପ୍ରବନ୍ଧ ପାଇଁ ଶ୍ରୀଶ ପଟେଲ, ଶିଶୁ ସାହିତ୍ୟ ଓ କବିତା ପାଇଁ ପ୍ରଶାନ୍ତ କୁମାର ନାଥ ଓ ଶିଶୁ ସାହିତ୍ୟ ଗଳ୍ପ ପାଇଁ ଅଶୋକ କୁମାର ପ୍ରଧାନଙ୍କୁ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଯୁବ ପ୍ରତିଭାଙ୍କ ଜୟଯାତ୍ରା
ସାରସ୍ବତ ଜଗତରେ ନବାଗତ ଓ ଯୁବ ସାହିତ୍ୟିକଙ୍କୁ ସ୍ବୀକୃତି ବିଶେଷ ମାନ୍ୟତା ଦାବି କରେ। କାରଣ ଏହି ଉଦୀୟମାନ ଓ ପ୍ରତିଶ୍ରୁତିବଦ୍ଧ ସ୍ରଷ୍ଟା ବାଣୀଭଣ୍ଡାରକୁ ସମୃଦ୍ଧ କରିବାର ଆଶା ସଂଚାର କରନ୍ତି। ଏହି ପରିପ୍ରେକ୍ଷୀରେ ପ୍ରତିଭାବାନ ଯୁବ କଥାଶିଳ୍ପୀ ଡିଲେଶ୍ବର ରଣା ଗଳ୍ପ ପୁସ୍ତକ ‘ସେଁର୍‍ରା’ ଚଳିତବର୍ଷ ମର୍ଯ୍ୟାଦାଜନକ ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ଲାଭ କରିଛନ୍ତି ା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ତାଙ୍କୁ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯିବ। ‘କବି ବସନ୍ତ ମୁଦୁଲି କବିତା ପୁରସ୍କାର’ ୨୦୨୨ ପାଇଁ କବି ନରେନ୍ଦ୍ର ଭୋଇ ଏବଂ ୨୦୨୩ ପାଇଁ କବି ଚିତ୍ତରଞ୍ଜନ ନାୟକ ଲାଭ କରିଛନ୍ତି। ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ୨୦୨୩ରେ ତୃତୀୟ ଅକ୍ଷୟ ସ୍ମୃତି ପୁରସ୍କାର କଥାକାର ନିର୍ମଳ ରାଉତ ‘ଗଲାଣି ତ ଗଲା କଥା’ ଉପନ୍ୟାସ ପାଇଁ ପାଇଛନ୍ତି। ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ତିରିଶ ବର୍ଷ ଭିତରେ ଯୁବକ ଲେଖକ ବର୍ଗରେ ‘ତପସ୍ୟା ସମ୍ଭାବନା ପୁରସ୍କାର’ ଲାଭ କରିଛନ୍ତି ଯିଶୁକ୍ରିଷ୍ଣ ଦାସ ା

ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବର୍ଷ-୨୦୨୩ ପାଇଁ ମୋଟ ୧୦୬ ଜଣଙ୍କୁ ତିନିଟି ବର୍ଗରେ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିଲାବେଳେ ସାହିତ୍ୟ ପାଇଁ ବିଶିଷ୍ଟ ସ୍ତମ୍ଭକାର ତଥା ଭାଷାବିତ୍‌ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ।

ଆଶୁତୋଷ, ଅରୁଣ ଓ ଯୁଗଳଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ବିଶିଷ୍ଟ କବି ଆଶୁତୋଷ ପରିଡ଼ା ତାଙ୍କର କବିତା ପୁସ୍ତକ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ୨୦୨୩ ମସିହାର ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇବାକୁ ମନୋନୀତ ହୋଇଛନ୍ତି। ମାନବିକତା ଓ ପ୍ରଗତିଶୀଳ ଚେତନାର ଚମତ୍କାର ପରିପ୍ରକାଶ ଘଟିଛି ଏହି ପୁସ୍ତକରେ। ସେହିପରି ଓଡ଼ିଶାର ସଂସ୍କୃତ ବିଦ୍ବାନ ତଥା ପ୍ରଫେସର ଅରୁଣ ରଞ୍ଜନ ମିଶ୍ର ତାଙ୍କ କବିତା ସଙ୍କଳନ ‘ଶୂନ୍ୟେ ମେଘଗାନମ୍‌’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିବେ। ଏକାଡେମୀ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ କବି ପରିଡ଼ା ଓ ମିଶ୍ରଙ୍କୁ ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା, ତାମ୍ରଫଳକ ଓ ଉତ୍ତରୀୟ ପ୍ରଦାନ କରାଯିବ। ସେହିପରି ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ଶିଶୁ ସାହିତ୍ୟିକ ଯୁଗଳ କିଶୋର ଷଡ଼ଙ୍ଗୀ ‘ବାଲ୍‌ ସାହିତ୍ୟ ପୁରସ୍କାର’ ତାଙ୍କର ‘ଜେଜେଙ୍କ ଗପ ଗଣ୍ଠିଲି’ ପୁସ୍ତକ ପାଇଁ ଲାଭ କରିଛନ୍ତି। ପୁରସ୍କାର ବାବଦରେ ସେ ପଚାଶ ହଜାର ଟଙ୍କା, ତାମ୍ରଫଳକ ଓ ଉତ୍ତରୀୟ ଲାଭ କରିଥିଲେ।

Comments are closed.