+୨ ଜୁନିୟର କଲେଜରେ ନାମଲେଖା ; ଅନଲାଇନ୍‍ ଆବେଦନ ପ୍ରକ୍ରିୟା ଆରମ୍ଭ

0
ଜୁନ୍‍ ୨୩ରେ ପ୍ରଥମ ମେଧାତାଲିକା, ଜୁଲାଇ ୧୯ରୁ ପାଠପଢ଼ା

ଭୁବନେଶ୍ୱର : +୨ ଜୁନିୟର କଲେଜରେ ଅନଲାଇନ୍‍ ଆବେଦନ ପ୍ରକ୍ରିୟା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ  ପକ୍ଷରୁ ଗୁରୁବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଚଳିତ ଶିକ୍ଷାବର୍ଷରେ ଜୁନିୟର କଲେଜଗୁଡ଼ିକରେ ନାମଲେଖା ଲାଗି ଅଫ୍‍ଲାଇନ୍‍ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିବାବେଳେ କେବଳ ଅନ୍‍ଲାଇନ୍‍ରେ ନାମଲେଖା ହେବ। ଅନ୍‍ଲାଇନ୍‍ କମନ୍‍ ଆପ୍ଲିକେସନ୍‍ ଫର୍ମ(ସିଏଏଫ୍‍) ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଗତବର୍ଷ ଉଚ୍ଚଶିକ୍ଷା ବିଭାଗରୁ ଜୁନିୟର କଲେଜଗୁଡ଼ିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଆସିଥିବାରୁ ପ୍ରଥମଥର ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୮-୧୯ ଶିକ୍ଷାବର୍ଷ ଲାଗି ଯୁକ୍ତ ଦୁଇ ଜୁନିୟର କଲେଜଗୁଡ଼ିକ ନିମନ୍ତେ ନାମଲେଖା ପ୍ରକ୍ରିୟା ଆୟୋଜନ କରିଛି।

ତେବେ ସିଏଏଫ୍‍ ଜରିଆରେ ଅନ୍‍ଲାଇନ୍‍ରେ ଛାତ୍ରଛାତ୍ରୀ ଆବେଦନ କରିବା ଶେଷ ତାରିଖ ଜୁନ୍‍ ୧୭ ରଖାଯାଇଛି। ଅନ୍‍ଲାଇନ୍‍ ସିଏସ୍‍ଏସ୍‍ ଆବେଦନ ଫର୍ମ, ଆବେଦନ ଫି’ ଓ ଆବଶ୍ୟକ କାଗଜାତ ସାମ୍‍ସ ରିସୋର୍ସ ସେଣ୍ଟରରେ ଦାଖଲ କରିବା ଶେଷ ତାରିଖ ଜୁନ୍‍ ୧୮ ରହିଛି। ନାମଲେଖା ପାଇଁ ପ୍ରଥମ ମନୋନୟନ ମେଧାତାଲିକା ଜୁନ୍‍ ୨୩ରେ ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ଜୁନ୍‍ ୨୫ରୁ ୨୮ ମଧ୍ୟରେ ନାମଲେଖାଇପାରିବେ। ଜୁନ୍‍ ୨୯ରେ ପ୍ରଥମ ପର୍ଯ୍ୟାୟ ମନୋନୟନ ତାଲିକା ଅନୁଯାୟୀ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଅପ୍‍ଡେଟ୍‍ କରାଯିବ। ଏହାପରେ ଜୁଲାଇ ୩ରେ ଦ୍ୱିତୀୟ ପର୍ଯ୍ୟାୟ ମନୋନୟନ ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ ଜୁଲାଇ ୪ରୁ ୬ ମଧ୍ୟରେ ନାମଲେଖାଇପାରିବେ। ବଳକା ସିଟ୍‍ରେ ସ୍ପଟ୍‍ ନାମଲେଖା ପାଇଁ ଜୁଲାଇ ୧୩ରେ ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ ସେହିଦିନ ସ୍ପଟ୍‍ ନାମଲେଖା ପାଇଁ ଚୂଡ଼ାନ୍ତ ମନୋନୟନ ତାଲିକା ପ୍ରକାଶ ପାଇବ। ଜୁଲାଇ ୧୫ରୁ ୧୭ ମଧ୍ୟରେ ସ୍ପଟ୍‍ ନାମଲେଖା ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଜୁନିୟର କଲେଜଗୁଡ଼ିକରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜୁଲାଇ ୧୯ରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଇ-ନାମଲେଖା ହେଲ୍‍ପଡେକ୍ସ ଟୋଫ୍ରି ନମ୍ବର ୧୫୫୩୩୫, ୧୮୦୦-୬୭୭୦ ଜାରି କରାଯାଇଛି।

ରାଜ୍ୟର ସମସ୍ତ ଯୁକ୍ତ ଦୁଇ ଜୁନିୟର କଲେଜ, ସେଲ୍‍ଫ ଫାଇନାନ୍‍ସିଂ କଲେଜ, ସଂସ୍କୃତ(ଉପଶାସ୍ତ୍ରୀ) ଓ ଧନ୍ଦାମୂଳକ ପାଠ୍ୟକ୍ରମ ଲାଗି ‘ଷ୍ଟୁଡେଣ୍ଟ ଏକାଡେମିକ୍‍ ମ୍ୟାନେଜ୍‍ମେଣ୍ଟ ସିଷ୍ଟମ୍‍’(ସାମ୍ସ) ଅଧୀନରେ ନାମଲେଖା ହେବ। ଏହି ପ୍ରକ୍ରିୟାରେ ଛାତ୍ରଛାତ୍ରୀଙ୍କୁ ‘କମନ୍‍ ଆପ୍ଲିକେସନ୍‍ ଫର୍ମ (ସିଏଏଫ୍‍)ରେ ଅନ୍‍ଲାଇନ୍‍ରେ ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ସାମ୍ସ ରିସୋର୍ସ ସେଣ୍ଟର ଖୋଲାଯିବ। ଛାତ୍ରଛାତ୍ରୀ କେବଳ ଅନ୍‍ଲାଇନ୍‍ରେ ଆବେଦନ କରିପାରିବେ। ଅନ୍‍ଲାଇନ୍‍ରେ ଆବେଦନକାରୀ କମ୍ପ୍ୟୁଟରରୁ ପ୍ରିଣ୍ଟ କପି, ଆବଶ୍ୟକ କାଗଜାତ, ନାମଲେଖା ଫି ଆଦି ସାମ୍ସ ରିସୋର୍ସ ସେଣ୍ଟରରେ ଦାଖଲ କରିପାରିବେ। ଅଫ୍‍ଲାଇନ୍‍ ଆବେଦନପତ୍ର ଆଦୌ ଗ୍ରହଣ କରାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦେଶକ ସୁନ୍ଦରଲାଲ୍‍ ସିଲ୍‍ ସୂଚନା ଦେଇଛନ୍ତି।

Leave A Reply