ସହରୀ ଗରିବଙ୍କ ପାଇଁ ନବୀନଙ୍କ ଘୋଷଣା – ୧୦୦କୋଟି

ଭୁବନେଶ୍ବର: ରାଜ୍ୟର ୧୧୪ଟି ପୌରାଞ୍ଚଳର ସହରରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି। ଏଥିରେ ଶ୍ରମଭିତ୍ତିକ କାର୍ୟ୍ୟ ଉପରେ ଗୁରୁତ୍ବ ଦିଆଯାଇଛି। ଏହାଦ୍ବାରା ସହରାଞ୍ଚଳର ୪ଲକ୍ଷ ୫୦ହଜାର ପରିବାର ଉପକୃତ ହେବେ। ଚଳିତ ଏପ୍ରିଲରୁ ଆରମ୍ଭ ହୋଇ ଏହା ଆଗାମୀ ସେପ୍ଟେମ୍ବର ପର୍ୟ୍ୟନ୍ତ ଚାଲିବ। ମିଶନ ଶକ୍ତିର ମା’ମାନଙ୍କ ସହାୟତା ଓ ସହଭାଗିତାରେ ଏହି କାର୍ୟ୍ୟକ୍ରମ କରାଯିବ। ହିତାଧିକାରୀଙ୍କ ମଜୁରି ପ୍ରତି ସପ୍ତାହରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ।

ଶ୍ରମଭିତ୍ତିକ କାର୍ୟ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିବା କାଳରେ କହିଛନ୍ତି ଯେ କୋଭିଡ଼ ସାରା ଦେଶରେ କେବଳ ଏକ ସ୍ବାସ୍ଥ୍ୟ ସମସ୍ୟା ନୁହେଁ; ଏହା ଅନେକ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସୃଷ୍ଟି କରିଛି। ଏହାର ମୁକାବିଲା କରିବା ଏବେ ଜରୁରୀ ହୋଇପଡ଼ିଛି। ବର୍ତ୍ତମାନର ଏହି କଷ୍ଟକର ସମୟରେ ରାଜ୍ୟ ସରକାର ସହରାଞ୍ଚଳର ଗରିବ ଲୋକମାନଙ୍କୁ ରୋଜଗାର ଦେବା ପାଇଁ ‘ଅର୍ବାନ ୱେଜ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ’ ନାମରେ ଏକ ଜରୁରୀକାଳୀନ କାର୍ୟ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ରାଜ୍ୟର ୧୧୪ଟି ପୌରାଞ୍ଚଳଗୁଡ଼ିକରେ ରହୁଥିବା ଶ୍ରମିକ, ଗରିବ ଲୋକ ଓ ଦିନ ମଜୁରିଆ ଶ୍ରେଣୀର ଲୋକଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ। ଏଥିରେ ଡ଼୍ରେନଗୁଡ଼ିକରୁ ମାଟି ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସଫେଇ, ଜଳାଶୟ ଖନନ ଓ ନବୀକରଣ, ପାର୍କ, ଖେଳପଡ଼ିଆ ଓ ଅନ୍ୟାନ୍ୟ ଖୋଲାସ୍ଥାନଗୁଡ଼ିକର ଉନ୍ନତିକରଣ ଏବଂ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ସାମୟିକ କାର୍ୟ୍ୟକ୍ଷେତ୍ର ନିର୍ମାଣ, ବନୀକରଣ, ଶୌଚାଳୟ ନିର୍ମାଣ ଏବଂ ସହରାଞ୍ଚଳର
ସୌନ୍ଦର୍ୟ୍ୟକରଣ ସହିତ ନିର୍ମାଣ ଅବଶେଷର ନିଷ୍କାସନ ସହିତ ଅନ୍ୟାନ୍ୟ ଶ୍ରମଭିତ୍ତିକ ବିକାଶମୂଳକ କାର୍ୟ୍ୟକ୍ରମ ଗ୍ରହଣ କରାଯିବ। ସ୍ଥାନୀୟ ଶିଳ୍ପୀ ଓ କାରିଗରମାନଙ୍କୁ ରୋଜଗାର ଦେବା ପାଇଁ କାନ୍ଥରେ ଚିତ୍ରାଙ୍କନ ପାଇଁ ତିଆରି ସୁଯୋଗ ସୃଷ୍ଟି କରାଯିବ।

prayash

ଏହି ସମସ୍ତ କାର୍ୟ୍ୟକ୍ରମ ସମୟରେ ସାମାଜିକ ଦୂରତ୍ବ ଓ କୋଭିଡ଼୍‌ ମୁକାବିଲା ପାଇଁ ସରକାର ଜାରି କରିଥିବା ବିଭିନ୍ନ ନିର୍ଦେଶାବଳୀ ଅନୁପାଳନ କରାଯିବା ଉପରେ ଗୁରୁତ୍ବ ଦିଆଯିବ। ଏହି କାର୍ୟ୍ୟକ୍ରମ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ଏ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକାରେ ବିଭାଗୀୟ ପ୍ରମୁଖ ସଚିବ ଜି ମାଥିଭାଥନନ ଦର୍ଶାଇଛନ୍ତି ଯେ ଏହି ୨୦ଲକ୍ଷ ଗରିବଙ୍କୁ ସହରାଞ୍ଚଳ ନିଯୁକ୍ତି କାର୍ୟ୍ୟକ୍ରମ(ୟୁଡବ୍ଲୁଇଆଇ)ରେ ଶ୍ରମଭିତ୍ତିକ କାର୍ୟ୍ୟ ଯୋଗାଇ ଦିଆଯିବ। ଏନେଇ ରାଜ୍ୟ ସରକାର ୧୦୦କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ସେଥିରୁ କେବଳ ବିମସିରେ ୧୦କୋଟି ଟଙ୍କା ଖର୍ଚ୍ଚ ହେବାକୁ ରହିଥିବାବେଳେ ସିଏମସି, ଆରଏମସି, ଏସଏମସି, ବିଇଏମସି ପାଇଁ ୫କୋଟି ଲେଖାଏଁ ଏବଂ ପୁରୀ, ବାଲେଶ୍ବର, ବାରିପଦା ଏବଂ ଭଦ୍ରକ ମ୍ୟୁନିସପାଲିଟି ଲାଗି ୧.୬୭କୋଟି ଲେଖାଏଁ ଯୋଗାଇ ଦିଆଯିବ। ଏହାବାଦ୍ ଅନ୍ୟ ୪୪ଟି ପୌରାଞ୍ଚଳରେ ୯୪ଲକ୍ଷ ଟଙ୍କା ଲେଖାଏଁ ଦିଆଯିବାକୁ ରହିଥିବାବେଳେ ୬୧ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୨୧.୯୬ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ତେବେ ଏହି ଅର୍ଥ କିଭଳି ଖର୍ଚ୍ଚ ହେବ ସେନେଇ ଶ୍ରୀ ମାଥିଭାଥନନ୍‌ ସବୁ ଜିଲାପାଳ ଓ ମହାନଗର ନିଗମ କମିସନରଙ୍କୁ ଏକ ମାର୍ଗଦର୍ଶିକାରେ ଅବଗତ କରାଇଛନ୍ତି।

ସେ ଦର୍ଶାଇଛନ୍ତି ଯେ ଉକ୍ତ ଅର୍ଥ ଆସନ୍ତା ୬ମାସ ମଧ୍ୟରେ ଶେଷ ହେବା ଦରକାର। ତେବେ ଏହି ଅର୍ଥରେ ଆଗାମୀ ବର୍ଷାଋତୁ ପୂର୍ବରୁ ବିଭିନ୍ନ କେନାଲ ଖୋଳି ବାଟ ସଫା କରିବା, ରାସ୍ତା, ବର୍ଷାଜଳ ସଂରକ୍ଷଣ କରିବା, ବନ୍ୟାକୁ ଦୃଷ୍ଟିରେ ରଖି ବନ୍ଧ ମରାମତି କରିବା, ପୋଖରୀର ପୁନରୁଦ୍ଧାର କରିବା, ସରକାରୀ ଜମିରେ ବୃକ୍ଷରୋପଣ କରାଯିବ। ଏହାସହିତ ସହରାଞ୍ଚଳର ବିଦ୍ୟୁତିକରଣ, ପାନୀୟଜଳ ବ୍ୟବସ୍ଥା, ଶୌଚାଳୟ, ଡଷ୍ଟବିନ୍, ପାର୍କର ସୌନ୍ଦର୍ୟ୍ୟକରଣ, ଗୋଷ୍ଠୀଗୃହ ଆଦି କରାଯିବ। ଏଥିରେ ସବୁ ୱାର୍ଡର ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଓ ବସ୍ତିବାସିନ୍ଦାଙ୍କୁ ସାମିଲ କରାଯିବ।

ମହାନଗର ଓ ପୌରାଞ୍ଚଳ କର୍ତ୍ତୃପକ୍ଷ ତାଙ୍କ ଅଞ୍ଚଳରେ କିପ୍ରକାର କାର୍ୟ୍ୟ କରିବେ ତା’ର ଏକ ରିପୋର୍ଟ ପ୍ରସ୍ତୁତ କରିବେ। ଏନେଇ ସାଧାରଣର ଜନସଚେତନତା ମଧ୍ୟ କରାଯିବା ନିହାତି ଆବଶ୍ୟକ। ତେବେ ଏନେଇ ଯେଉଁ ସବୁ କାର୍ୟ୍ୟ କରାଯିବ ତା ପାଇଁ ଟେଣ୍ଡର କରାଯିବାର ଆବଶ୍ୟକତା ନାହିଁ। ବିନା ଟେଣ୍ଡରରେ କାର୍ୟ୍ୟାଦେଶ ଦେଇ ହେବ ବୋଲି ସଚିବ ଶ୍ରୀ ମାଥିଭାଥନନ ଦର୍ଶାଇଛନ୍ତି। ତେବେ କୌଣସି ଜିନିଷପତ୍ର କିଣିବା ବେଳେ ପୌରାଞ୍ଚଳ କର୍ତ୍ତୃପକ୍ଷ ନିଜେ କିଣିବେ। ଏଥିରେ କୌଣସି ସହଭାଗିତା ସଂସ୍ଥାକୁ ସାମିଲ କରାଯିବ ନାହିଁ। ସମସ୍ତ ଦେୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ। ଏଥିପାଇଁ ପୌରାଞ୍ଚଳ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଆକାଉଣ୍ଟ ବହି ପ୍ରସ୍ତୁତ କରିବେ ଏବଂ ସେପ୍ଟେମ୍ବର ୩୦ ସୁଦ୍ଧା କାର୍ୟ୍ୟାଦେଶର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରିବାକୁ ଶ୍ରୀ ମାଥିଭାଥନନ ଦର୍ଶାଇଛନ୍ତି।

Comments are closed.