ଫେବୃଆରୀ ୧ରୁ ସଂରକ୍ଷଣ ଲାଗୁ
ନୂଆଦିଲ୍ଲୀ : ସାଧାରଣ ବର୍ଗର ଅର୍ଥନୈତିକ ଅନଗ୍ରସରଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ପ୍ରତିଶତ ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା ଆସନ୍ତା ଫେବୃଆରୀ ୧ରୁ କାର୍ଯ୍ୟକାରୀ ହେବ। କେନ୍ଦ୍ର କାର୍ମିକ ଓ ପୟଶିକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏ ସଂକ୍ରାନ୍ତରେ ସମସ୍ତ ବିଭାଗକୁ ନିର୍ଦେଶନାମା ଜାରି କରାଯାଇଛି। ଫେବୃଆରୀରୁ େକନ୍ଦ୍ର ସରକାରଙ୍କ ଅଧୀନରେ ଯେଉଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ସେଥିରେ ସଂରକ୍ଷଣ ଲାଗୁ ହେବ ବୋଲି ଏଥିରେ କୁହାଯାଇଛି। ପ୍ରତି ବିଭାଗକୁ ସ୍ବତନ୍ତ୍ର ଭାବେ ନିଯୁକ୍ତି ସଂକ୍ରାନ୍ତ ବିଧିବ୍ୟବସ୍ଥାର ସାରଣୀ ପଠାଯିବ ବୋଲି ଏଥିରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସଂରକ୍ଷଣ ସଂକ୍ରାନ୍ତ ୧୨୪ତମ ସମ୍ବିଧାନ ସଂଶୋଧନ ବିଧେୟକ ଗତ ୯ତାରିଖରେ ସଂସଦରେ ଗୃହୀତ ହୋଇଛି।
କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ବିଜ୍ଞପ୍ତି ଅନୁସାରେ ବାର୍ଷିକ ୮ଲକ୍ଷରୁ କମ୍ ରୋଜଗାର କରୁଥିବା ଏବଂ ଏସ୍ସି, ଏସ୍ଟି, ଓବିସି ବ୍ୟବସ୍ଥାରେ ସଂରକ୍ଷଣ ସୁବିଧା ଲାଭ କରୁ ନଥିବା ସାଧାରଣ ବର୍ଗର ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ କେନ୍ଦ୍ର ସରକାରୀ ଚାକିରିରେ ସଂରକ୍ଷଣ ଲାଗୁ ହେବ। ଏହା ବ୍ୟତୀତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ମାନବସମ୍ବଳ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ବିଜ୍ଞପ୍ତି ଜାରି ହେବ। ସମ୍ପୃକ୍ତ ପ୍ରାର୍ଥୀଙ୍କୁ ତହସିଲଦାରସ୍ତରୀୟ ଅଧିକାରୀଙ୍କଠାରୁ ରୋଜଗାର ଓ ସମ୍ପତ୍ତି ସଂକ୍ରାନ୍ତ ପ୍ରମାଣପତ୍ର ଆଣିବାକୁ ପଡ଼ିବ।