bjd gruha runa banner

କନେଷ୍ଟବଳଙ୍କ ଠାରୁ ଲୁଟ୍‍ ମାମଲାରେ ଜଣେ ଅଟକ

BSKY banner  750×100

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ଗତକାଲି ରାତିରେ ଜଣେ ପୁଲିସ କନେଷ୍ଟବଳଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ଟଙ୍କା ଓ ସୁନାଚେନ୍‍ ଲୁଟ୍‍ ହେବା ଘଟଣାରେ ପିପିଲି ପୁଲିସ ଆଜି ଜଣେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହେବା ସହ ତା’ଠାରୁ ଏକ ବୁଲେଟ୍‍କୁ ଜବତ କରିଛି।

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାଇ, ଧଉଳି ଥାନାରେ କାର୍ଯ୍ୟରତ କନେଷ୍ଟବଳ ରାକେଶ ପରିଡା ଗତକାଲି ଥାନାରୁ ଡ୍ୟୁଟି ସାରି ବାଇକ ଯୋଗେ ନିଜ ଘର ବଳଙ୍ଗାକୁ ଫେରୁଥିବା ବେଳେ ପିପିଲି ବାଇପାସ ରାସ୍ତାରେ ଲୁଟ୍‍ର ଶିକାର ହୋଇଥିଲେ। ରାତି ପ୍ରାୟ ସାଢେ ୧୧ଟା ସମୟରେ ଦୁଇଜଣ ଯୁବକ ଏକ ବୁଲେଟ୍‍ରେ ପଛରୁ ଆସି ତାଙ୍କୁ ଅଟକାଇବା ସହ ତାଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ଏକ ସୁନାଚେନ୍‍ ଓ ୨୦ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏସଂପର୍କରେ ଶ୍ରୀପରିଡା ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଏସ୍‍ଆଇ ସନ୍ଦୀପ କୁମାର ଦାସ, ଏଏସ୍‍ଆଇ ରବିନ୍ଦ୍ର ନାୟକ, ଗଙ୍ଗାଧର ପ୍ରଧାନ ପ୍ରମୁଖ ବିଭିନ୍ନ ସ୍ଥାନରେ ଚଢାଉ କରି ଜଣେ ଅଭିଯୁକ୍ତକୁ ଆଜି ଧରିବାରେ ସକ୍ଷମ ହୋଇଥିଲେ। ଲୁଟ୍‍ରେ ବ୍ୟବହୃତ ବାଇକ୍‍କୁ ଅଭିଯୁକ୍ତ ଠାରୁ ପୁଲିସ ଜବତ କରିଥିବା ବେଳେ ତଦନ୍ତରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ଅଭିଯୁକ୍ତର ନାମକୁ ପୁଲିସ ଗୋପନ ରଖିବା ସହ ତାକୁ ପଚରାଉଚୁରା ଚଳାଇଛି। ଅନ୍ୟ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସଂପର୍କରେ ଆଇଆଇସି ଶ୍ରୀପୃଷ୍ଟି ସୂଚନା ଦେଇଛନ୍ତି।

Comments are closed.