ପାଟଣା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଶାନ୍ତିପୁର୍ଣ୍ଣ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀରେ ଆଜି ଭୋଟ ଗ୍ରହଣ ଆପାତତଃ ଶାନ୍ତିପୁର୍ଣ୍ଣ ରହିଛି। କାଁ ଭାଁ ଗଣ୍ଡଗୋଳ ସତ୍ତ୍ବେ କୌଣସି ବି ସ୍ଥାନରେ ବୁଥ ଜବରଦଖଲ ଅଥବା ଗଣ୍ଡଗୋଳ କାରଣରୁ ଭୋଟ ଗ୍ରହଣ ବନ୍ଦ ରହିବା ଭଳି ଘଟଣା ଘଟିନାହିଁ। ତେବେ କେତେକ ବୁଥରେ ଇଭିଏମ ସ୍ୱଳ୍ପ ସମୟ ପାଇଁ ଅଚଳ ବା କାମ ନକରିବା ଭଳି ସମସ୍ୟାର ତ୍ୱରିତ ସମାଧାନ କରାଯାଇଥିଲା। ଭୋଟ ଗ୍ରହଣ ସମୟରେ ବୁଥ ନଂ ୨୧୩ ଓ ୨୧୪ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗ୍ରାମର ବାସିନ୍ଦା ତଥା ଜଣେ ବି.ଏସ.ଏଫ ଯବାନ ଜଣେ କାର୍ଯରତ ପୁଲିସକୁ ଧକ୍କା ମାରିବା ସହ ଗଣ୍ଡଗୋଳ କରିବାରୁ ପାଟଣା ପୁଲିସ ତାଙ୍କୁ ଥାନାକୁ ଉଠାଇ ନେଇ ଯାଇଥିଲା। ସେହିପରି ଉଦୟପୁର ବୁଥରେ ଗଣ୍ଡଗୋଳ କରୁଥିବା କାରଣରୁ ପାଟଣା ପୁଲିସ ୪ ଜଣକୁ ଥାନାକୁ ଉଠାଇ ଆଣିଥିଲା।

ତେବେ କେତେକ ଭୋଟ ଗ୍ରହଣ କେନ୍ଦ୍ରରେ ଅଧିକ ଭୋଟର ଥିବାରୁ ଓ ତ୍ୱରିତ ମତଦାନରେ ବିଳମ୍ବ ହୋଉଥିବାରୁ ୨୦୮ ନଂ କଟାବେଡା ବୁଥ, ବାଇକଳା ୧୫୦ ନଂ, ଜାମୁଦା ୧୨୬ ନଂ ବୁଥ ଆଦିରେ ରାତି ୮ଟା ପରେ ମଧ୍ୟ ଭୋଟ ଗ୍ରହଣ ଚାଲିଥିବା ଦେଖାଯାଇଛି। ନିଜ ନିଜର ଭୋଟ ଦେବା ପରେ କେନ୍ଦୁଝର ଲୋକସଭା ବିଜେପି ପ୍ରାର୍ଥୀ ଅନନ୍ତ ନାୟକ, କଂଗ୍ରେସ ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାଏକ, ପାଟଣା ବିଧାନସଭା ବିଜେଡି ପ୍ରାର୍ଥୀ ଜଗନ୍ନାଥ ନାଏକ, ବିଜେପି ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ ଓ କଂଗ୍ରେସ ପ୍ରାର୍ଥୀ ହୃଷିକେଶ ନାଏକ ପ୍ରମୁଖ ନିଜ ଅଞ୍ଚଳରେ କିଛି ବୁଥ ପରିଦର୍ଶନ କରିବା ସହ ସାଧାରଣ ଜନତାକୁ ଭେଟିଥିବା ଦେଖାଯାଇଥିଲା। ପାଟଣା ନିର୍ବାଚନ ମଣ୍ଡଳୀରେ ସଂଧ୍ୟା ୫ଟା ସୁଦ୍ଧା ୬୫.୨୫ ପ୍ରତିଶତ ଭୋଟ ଗ୍ରହଣ ସମ୍ପୂର୍ଣ ହୋଇଥିବା ବେଳେ ଏହା ୭୦ ପ୍ରତିଶତରୁ ଅଧିକ ହେବା ଆଶା କରାଯାଉଛି।

ପାଟଣା ବିଧାନସଭା ଆସନର ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥୀ ଜଗନ୍ନାଥ ନାଏକ ଓ ଭାରତୀୟ ଜନତା ଦଳର ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ ନିଜ ନିଜର ବୁଥରେ ମତଦାନ କରିଛନ୍ତି। ବିଜେଡି ପ୍ରାର୍ଥୀ ଶ୍ରୀ ନାଏକ କଣ୍ଟିଆପଡ଼ା ପଞ୍ଚାୟତ ମାନପୁର ବିଦ୍ୟାଳୟ ନିର୍ବାଚନୀ ମଣ୍ଡଳୀ ବୁଥ ନଂ ୧୧୭ରେ ନିଜର ମତଦାନ କରିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଶ୍ରୀ ନାଏକ ତୁରୁମୁଙ୍ଗା ଠାରେ ନିର୍ବାଚନ ମଣ୍ଡଳୀର ବୁଥ ସଂଖ୍ୟା ୯୮ ରେ ନିଜ ମତଦାନ କରିଥିବା ଦେଖାଯାଇଛି।

Comments are closed.