www.samajalive.in
Sunday, December 7, 2025
23.1 C
Bhubaneswar

ସ୍ବାଗତଯୋଗ୍ୟ ପଦକ୍ଷେପ

ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ବହୁ ପ୍ରକାରର ହଟଚମଟଭରା ପ୍ରଚାର କରି ନିଜ ସପକ୍ଷରେ ଜନମତ ସୃଷ୍ଟି ନିମନ୍ତେ ଚେଷ୍ଟା କରିଥା’ନ୍ତି। ସାମାଜିକ ଗଣମାଧ୍ୟମର ଆବିର୍ଭାବ ହେବାପରେ ଏପରି ହଟଚମଟ ଖୁବ୍‌ ସହଜରେ ଓ ଶସ୍ତାରେ କରିହେଉଥିବାରୁ ଏହାର ପରିମାଣ ବଢ଼ିଛି। କେବଳ ଆମ ଦେଶ ନୁହେଁ, ବିଶ୍ବର ବହୁ ଦେଶରେ ବିଗତ କେଇ ବର୍ଷ ହେଲା ଏହି ଅସୁସ୍ଥ ପ୍ରକ୍ରିୟା ଦେଖିବାକୁ ମିଳୁଛି। ମିଛ ଖବର, ନକଲି ଫଟୋ, ମିଥ୍ୟା ସୂଚନା ଦେଇ ଭୋଟରଙ୍କ ମନକୁ ନିଜ ଆଡ଼କୁ ଆକର୍ଷିତ କିମ୍ବା ଅନ୍ୟ ରାଜନୈତିକ ଦଳ ଆଡ଼କୁ ବିକର୍ଷିତ କରିବାର ଅପଚେଷ୍ଟା ହେଉଛି। ଏହି କାରଣରୁ ଏବେ ପୃଥିବୀର ଦୁଇଟି ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ସଂସ୍ଥା ଫେସ୍‌ବୁକ୍ ଓ ଗୁଗୁଲ୍ ବମ୍ବେ ଉଚ୍ଚ ନ୍ୟାୟାଳୟରେ ରାଜନୀତିକ ବିଜ୍ଞାପନ ସମ୍ପର୍କରେ ଯେଉଁ ସ୍ବୀକାରୋକ୍ତି ରଖିଛନ୍ତି, ତାହା ବେଶ୍ ଗୁରୁତ୍ବପୂର୍ଣ୍ଣ। ସେମାନେ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ କୌଣସି ପ୍ରକାରର ବିଦେଶୀ ହସ୍ତକ୍ଷେପକୁ ରୋକିବା ପାଇଁ ରାଜନୀତିକ ବିଜ୍ଞାପନ ସମ୍ପର୍କିତ ନିୟମାବଳୀରେ ପରିବର୍ତ୍ତନ କରାଯାଇଛି। ଫେସ୍‌ବୁକ୍ ପକ୍ଷରୁ କୁହାଯାଇଛି ଯେ ରାଜନୀତିକ ବିଜ୍ଞାପନଦାତାଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବା ସହ ସେଥିପାଇଁ କେତେ ଅର୍ଥ ଖର୍ଚ ହୋଇଛି, ସେ ନେଇ ବିବରଣୀ ମଧ୍ୟ ସର୍ବସାଧାରଣରେ ପ୍ରକାଶ କରାଯିବ। ଏହା ବ୍ୟତୀତ ଫେସ୍‌ବୁକ୍‌ରୁ ନକଲି ଆକାଉଣ୍ଟଗୁଡ଼ିକୁ ଠାବ କରାଯାଇ ସେଗୁଡ଼ିକୁ ହଟାଇବାର ବ୍ୟବସ୍ଥା କରାଯାଉଛି। ଏହାଦ୍ବାରା ମିଛ ଖବର ପ୍ରସାରଣକୁ ରୋକିହେବ ବୋଲି କୁହାଯାଇଛି। ସେହିପରି ଗୁଗୁଲ ପକ୍ଷରୁ କୁହାଯାଇଛି ଯେ ରାଜନୀତିକ ବିଜ୍ଞାପନ ପାଇଁ ଅନୁମୋଦନ ଓ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବ। ଏହାଛଡ଼ା ଭୋଟଗ୍ରହଣର ୪୮ ଘଣ୍ଟା ପୂର୍ବରୁ ଗୁଗୁଲ ରାଜନୀତିକ ବିଜ୍ଞାପନ ଦେବା ବନ୍ଦ କରିବ।
ଏଥିରେ ସନ୍ଦେହ ନାହିଁ ଯେ ଏଭଳି ପଦକ୍ଷେପ ସ୍ବଚ୍ଛତା ଓ ନିରପେକ୍ଷତା ଦୃଷ୍ଟିରୁ ନିହାତି ଜରୁରୀ ଥିଲା। ସାମାଜିକ ଗଣମାଧ୍ୟମ ରାଜନୀତିକ ଦଳଙ୍କ ପାଇଁ ଲଢ଼େଇର ନୂଆ ବିସ୍ତୀର୍ଣ୍ଣ ମଇଦାନ ପାଲଟିଛି, ଏହା ଆମ ଦେଶରେ ୨୦୧୪ ସାଧାରଣ ନିର୍ବାଚନରୁ ହିଁ ଜଣାପଡ଼ିଯାଇଥିଲା। ତେବେ ସେଥିରେ ସତ୍ୟଖବର ଅପେକ୍ଷା ମିଛଖବର ଓ ମିଥ୍ୟା ସୂଚନା ଅଧିକ ପ୍ରସାରିତ ହେବାର ସୁଯୋଗ ଥିବାରୁ ତାହା ବେଶି ଦେଖିବାକୁ ମିଳିଥିଲା। ଚଳିତବର୍ଷର ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ସେହି ଅସୁସ୍ଥ ପ୍ରକ୍ରିୟା ଏବେଠାରୁ ଆରମ୍ଭ ହୋଇଗଲାଣି। ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭୋଟରଙ୍କୁ ଭ୍ରଷ୍ଟ କରିବାଭଳି ବିଭିନ୍ନ ପ୍ରକାରର ମିଥ୍ୟା ସୂଚନା ଓ ବିଜ୍ଞାପନ ପ୍ରସାରିତ ହେଉଥିବା ଦେଖିବାକୁ ମିଳୁଛି। ଏହା ବନ୍ଦ ହେବା ନିହାତି ଜରୁରୀ। ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଲୋକେ, ବିଶେଷକରି ଭୋଟରମାନେ ଅଧିକ ସଚେତନ ହେବା ଆବଶ୍ୟକ। ସେମାନେ କୌଣସି ତଥ୍ୟ ବା ସୂଚନା କିମ୍ବା ବିଜ୍ଞାପନକୁ ଗ୍ରହଣ କରିନେବା ପୂର୍ବରୁ ତା’ର ସତ୍ୟାସତ୍ୟ ନିଜେ ପରୀକ୍ଷା କରିବା ଉଚିତ। ନିଜେ ଭ୍ରମରେ ପଡ଼ି ଅନ୍ୟ ମନରେ ଭ୍ରମ ସୃଷ୍ଟି କରିବାରୁ ବିରତ ହେବା ବର୍ତ୍ତମାନର ବଡ଼ ଆହ୍ବାନ। ଅତୀତରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଓ ବ୍ରିଟେନରେ ବ୍ରେକ୍‌ଜିଟ୍ ଭୋଟ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଆସିଥିବା ମିଥ୍ୟା ସୂଚନାର କୁପ୍ରଭାବରୁ ସେଠାକାର ଲୋକେ ଏଯାଏଁ ମୁକ୍ତ ହୋଇପାରୁନାହାନ୍ତି। ତେଣୁ ସମ୍ପୃକ୍ତ କମ୍ପାନୀଙ୍କ ପଦକ୍ଷେପ ତ ସ୍ବାଗତଯୋଗ୍ୟ; ତା’ସହ ଭାରତର ପ୍ରତ୍ୟେକ ଭୋଟର ଏ ନେଇ ସଚେତନ ହେବା ବିଧେୟ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories