ସୁନ୍ଦର ଜାଗା, ଭଲ ଲୋକ

0

ନବୀନ ପଟ୍ଟନାୟକ

prayash

ଗତ କେତେ ସପ୍ତାହ ଧରି ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ପ୍ରସିଦ୍ଧ ଅନେକ ବ୍ୟକ୍ତିଙ୍କୁ ଆତିଥେୟତା ପ୍ରଦାନ କରିଛି। ଭୁବନେଶ୍ବରରେ ଅନୁଷ୍ଠିତ ମେକ୍‌-ଇନ୍‌-ଓଡ଼ିଶା କାର୍ଯ୍ୟକ୍ରମରେ ବିଶିଷ୍ଟ ଭାରତୀୟ ଶିଳ୍ପପତିମାନେ ଏକାଠି ହୋଇଥିଲେ। ସେହିପରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ବିଶ୍ବପ୍ରସିଦ୍ଧ କଳାକାର, ସାଂସ୍କୃତିକ ତଥା କ୍ରୀଡ଼ା ଜଗତର ଖ୍ୟାତନାମା ବ୍ୟକ୍ତିତ୍ବ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ୧୬ଟି ଦେଶର ଖେଳାଳି, କର୍ମକର୍ତ୍ତା ତଥା ଉଚ୍ଚ ପଦାଧିକାରୀମାନେ ମଧ୍ୟ ଏହି ସମୟରେ ଓଡ଼ିଶା ଭ୍ରମଣରେ ଆସିଛନ୍ତି। ନିକଟରେ ସ୍ମାର୍ଟ ସିଟି ଭୁବନେଶ୍ବରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଉଦ୍‌ଘାଟିତ ପୁରୁଷ ହକି ବିଶ୍ବକପ୍‌ ସଫଳତାର ସହ ଶେଷ ହୋଇଛି। ଏସବୁ କାର୍ଯ୍ୟକ୍ରମ ମଧ୍ୟରେ ମୁଁ ଓଡ଼ିଶା ତରଫରୁ ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଯେତେବେଳେ ଭେଟିଛି, ସେତେବେଳେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ବାରମ୍ବାର ପ୍ରତିଧ୍ବନିତ ହୋଇଛି, ‘କେଡ଼େ ସୁନ୍ଦର ଏ ଜାଗା, କେତେ ଭଲ ଲୋକ।’ ଘନ ଅରଣ୍ୟାନୀ, ସ୍ନିଗ୍ଧ, ମନୋରମ ବେଳାଭୂମି ଏବଂ କାଳଜୟୀ କୀର୍ତ୍ତିରାଜିରେ ବିମଣ୍ଡିତ ଓଡ଼ିଶା ବାସ୍ତବିକ ଧରାପୃଷ୍ଠରେ ଏକ ସୁନ୍ଦର ଭୂମି; ବାସ୍ତବିକ ଏହା ଈଶ୍ବରଙ୍କର ଉପହାର। ତା’ ସହିତ ଓଡ଼ିଆ ଜାତିର ଭଲପଣିଆ…..। ଏହା ମୋତେ ଭାବପ୍ରବଣ କରିଦେଇଛି।
ଭଲଲୋକଙ୍କ ସାନ୍ନିଧ୍ୟ ସବୁବେଳେ ଉତ୍ସାହପ୍ରଦ। ଏହା ଏକ ଅନନ୍ୟ ଅନୁଭବ। ଭଲପଣ ମଣିଷକୁ ସହଜ କରିବା ସହିତ ବ୍ୟକ୍ତି ଭିତରେ ଥିବା ସର୍ବୋତ୍କୃଷ୍ଟ ଗୁଣକୁ ପ୍ରକାଶ କରିବାପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ। ଓଡ଼ିଶା ଆସୁଥିବା ଲୋକମାନେ ଆମର ଭଲ ଗୁଣ ଦ୍ବାରା ଏତେ ଗଭୀର ଭାବରେ ପ୍ରଭାବିତ ଯେ ସେମାନେ ଅନ୍ୟ ସ୍ଥାନକୁ ଗଲେ ଏହି ଭଲ ପାଇବାର ଅଭାବକୁ ଅନୁଭବ କରି ଆମକୁ ସେମାନଙ୍କ ସହିତ ତୁଳନା କରିବସୁଛନ୍ତି। ଏହି ଭଲ ପାଇବାର ଅଭାବ ଦ୍ବାରା ମଣିଷପଣିଆର କ୍ଷତି ହୋଇଛି।
ମୁଁ ଭାବେ ଆମ ଓଡ଼ିଆଙ୍କ ବ୍ୟବହାରର ୪ଟି ମୌଳିକ ଦିଗ ଆମର ଭଲପଣିଆର ପରିପ୍ରକାଶ କରେ। ପ୍ରଥମଟି ହେଉଛି, ଅନ୍ୟମାନଙ୍କ ପ୍ରତି ଆମର ସମ୍ମାନବୋଧ। ଆମର ପୂର୍ବପୁରୁଷଙ୍କର ସମସ୍ତଙ୍କ ପ୍ରତି ଗଭୀର ସମ୍ମାନ ରହିଥିଲା- ସେ ସଜୀବ ହେଉ ବା ନିର୍ଜୀବ। ଏହା ସେମାନଙ୍କ ବୌଦ୍ଧିକ ଜ୍ଞାନ ବା ପାଣ୍ଡିତ୍ୟର ଉଦାହରଣ ନଥିଲା, ବରଂ ଏହା ସେମାନଙ୍କ ଅାଧ୍ୟାତ୍ମିକ ଅନୁଭବରୁ ହିଁ ଆସିଥିଲା। ଆଧ୍ୟାତ୍ମିକ ଅନୁଭୂତିରୁ ଆମେ ଜାଣୁ ଯେ ଆମର ସମସ୍ତ ବସ୍ତୁ ସହିତ ସମ୍ପର୍କ ରହିଛି, ତେଣୁ ଆମେ ସମସ୍ତଙ୍କୁ ସମ୍ମାନର ସହିତ ଦେଖିବା ଉଚିତ।
ଆମର ବ୍ୟବହାରର ପରବର୍ତ୍ତୀ ଦିଗଟି ହେଉଛି ବିନମ୍ରତା। ଦେଖିବାକୁ ଗଲେ, ବିନମ୍ରତା ବିନା କେହି ଅନ୍ୟର ସମ୍ମାନଭାଜନ ହୋଇପାରିବ ନାହିଁ। ଦୁର୍ଭାଗ୍ୟବଶତଃ, ବିନମ୍ରତାକୁ ଅନେକ ସମୟରେ ଭୟାଳୁ ଓ ଆଜ୍ଞାବହ ସ୍ବଭାବର ପରିପ୍ରକାଶ ବୋଲି ଧରି ନିଆଯାଏ। ମୋ ମତରେ କିନ୍ତୁ ଏହା ଠିକ୍‌ ନୁହେଁ। ଆମର ଗଭୀର ଆତ୍ମବିଶ୍ବାସରୁ ହିଁ ବିନମ୍ରତାର ଜନ୍ମ। ବିନମ୍ରତାର ଏପରି ଏକ ଶକ୍ତି ରହିଛି ଯାହାକି ପରିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିଥାଏ। ବାସ୍ତବରେ, ବିନମ୍ରତା ହେଉଛି ଅଧିକ ଶକ୍ତିଶାଳୀ। ବିନମ୍ରତା ନଥିଲେ ଆମେ ଭଲ କଥା ଗ୍ରହଣ କରିବାର ଶକ୍ତି ହରାଇଥାଉ। କଥାରେ ଅଛି, ଗିରିଶୃଙ୍ଗ ଯେତେ ଉଚ୍ଚ ଓ ଦୃଢ଼ ହେଲେ ବି ବୁନ୍ଦାଏ ବର୍ଷାଜଳ ଧାରଣ କରିବାର କ୍ଷମତା ତାହାର ନଥାଏ। ଅପରପକ୍ଷରେ ଉପତ୍ୟକାରେ ଥିବା ହ୍ରଦ ହିଁ କେବଳ ବର୍ଷାଜଳ ଧାରଣ କରିପାରେ। ତେଣୁ କୌଣସି ଉତ୍ତମ ବିଚାର ଧାରଣ କରିବାକୁ ହେଲେ ଆମର ମନ ହ୍ରଦ ଭଳି ହେବା ଆବଶ୍ୟକ।
ତୃତୀୟ ମୌଳିକ ଦିଗଟି ହେଉଛି ସରଳତା। ଓଡ଼ିଆ ଲୋକ ସରଳ। ସରଳ ହେବା ଅର୍ଥ ନିର୍ବୋଧ ନୁହେଁ। ଏହା କୁହାଯାଇପାରେ ଯେ ଶ୍ରେଷ୍ଠ ବ୍ୟକ୍ତି ହିଁ ସବୁଠାରୁ ସରଳ। ନମ୍ରତା ଆକର୍ଷିତ କରେ। ଉଚ୍ଚ ଆଦବକାଇଦା ମଣିଷ ମଧ୍ୟରେ ଦୂରତା ସୃଷ୍ଟି କରେ। ଏସବୁ ବ୍ୟତୀତ ମୋ ବିବେଚନାରେ ଚତୁର୍ଥ ଦିଗଟି ହେଉଛି ଶିଷ୍ଟାଚାରୀ ହେବା ପାଇଁଁ ଆମ ମଧ୍ୟରେ କିଛି ପରିମାଣର କ୍ଷମା ଗୁଣ ମଧ୍ୟ ରହିବା ଜରୁରୀ। ଭଲ ଲୋକମାନେ ସହଜରେ କ୍ଷମା କରିଦିଅନ୍ତି। କ୍ଷମାର ଆତ୍ମଶୋଧନ ଶକ୍ତି ରହିଛି। ମଣିଷପଣିଆ କାଳେକାଳେ ବଞ୍ଚିରହିଛି; କାରଣ କେବେକେବେ କେଉଁଠି ନା କେଉଁଠି ଆମେ କ୍ଷମା ଦେଇଛୁ। ଆମେ ଯେତେବେଳେ କ୍ଷମା କରିବାର ଶକ୍ତି ହରାଇ ବସୁ, ସେତେବେଳେ ପରିବାର, ସମାଜ ଓ ଦେଶ ଭାଙ୍ଗିଯାଏ।
ମୁଁ ଚାହେଁ ଆମେ ସମସ୍ତେ ଜାଣିବା ଦରକାର ଯେ ଆମ ସୌଜନ୍ୟ ଏବେ ଦୁନିଆର ନଜରକୁ ଆସିଛି। ଏହାକୁ ଦୁନିଆ ପସନ୍ଦ ମଧ୍ୟ କରିଛି। ଏହା ସମଗ୍ର ଓଡ଼ିଆ ଜାତିର ସାମୂହିକ ତଥା ସାମଗ୍ରିକ ଚରିତ୍ର। ଯଦି ପାଖରେ ଟଙ୍କା ଅଛି, ତେବେ ଆପଣ ସୁଦୃଶ୍ୟ ସଡ଼କ, ଗଗନଶ୍ଚୁମ୍ବୀ ଅଟ୍ଟାଳିକା, ବନ୍ଦର, କାରଖାନା ଓ ବଡ଼ବଡ଼ ବ୍ୟବସାୟ ପ୍ରତିଷ୍ଠାନ ସବୁକିଛି ଗଢ଼ିପାରିବେ; ଭଲ ମଣିଷପଣିଆକୁ କିନ୍ତୁ ଟଙ୍କାରେ ମୂଲ କରାଯାଇପାରିବ ନାହିଁ। ଏହା ଅମୂଲ୍ୟ। ଆମେ ବହୁତ ଭାଗ୍ୟବାନ ଯେ ପିଢ଼ି ପରେ ପିଢ଼ି ଆମ ପୂର୍ବପୁରୁଷମାନେ ଆମକୁ ସମ୍ମାନବୋଧ, ବିନମ୍ରତା, ସରଳତା ଓ କ୍ଷମାଶୀଳତା ଆଦି ସଦ୍‌ଗୁଣ ଶିଖେଇଛନ୍ତି। ଏହାକୁ ଆମେ ଉତ୍ତରାଧିକାର ସୂତ୍ରରେ ପାଇଛୁ। ଏହିସବୁ ସୁଗୁଣଗୁଡ଼ିକ ମିଶି ଆମକୁ ସୌଜନ୍ୟଶୀଳ କରିଛି ଏବଂ ଏହା ଆମର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆମେମାନେ ଉତ୍ତରାଧିକାର ସୂତ୍ରରେ ପାଇଥିବା ମହତ୍‌ ସଂସ୍କାର ପାଇଁ ନିଜକୁ ଗୌରବାନ୍ବିତ ମନେ କରିବା ଉଚିତ। ଏହା କୌଣସି ନିର୍ଦିଷ୍ଟ ବ୍ୟକ୍ତିବିଶେଷ ବା ନିର୍ଦିଷ୍ଟ ସମୟର ଉପଲବ୍ଧି ନୁହେଁ। ଶତାବ୍ଦୀଶତାବ୍ଦୀ ଧରି ସମୟର କଷଟି ପଥରରେ ପରୀକ୍ଷିତ ଏହା ଆମର ସାମୂହିକ ଉତ୍ତରାଧିକାର। ଓଡ଼ିଆ ଜାତିର ଭଲପଣିଆ ହେଉଛି ଓଡ଼ିଆଙ୍କ ଶ୍ରେଷ୍ଠ ପରିଚୟ। ଏଇ ଭଲପଣିଆ ସବୁକାଳେ ଆମ ପରିଚୟ ହୋଇ ରହିବା ଉଚିତ।
(ଲେଖକଙ୍କ ଦ୍ବାରା ଇଂରାଜୀରେ ରଚିତ ପ୍ରବନ୍ଧର ମର୍ମାନୁବାଦ)

kalyan agarbati
Leave A Reply