bjd gruha runa

ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ, ସଙ୍କଟରେ ହରିୟାଣାର ବିଜେପି ସରକାର

BJD Bijuli 480×75 Mob

ନୂଆଦିଲ୍ଲୀ: ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ। ସଙ୍କଟରେ ହରିୟାଣାର ବିଜେପି ସରକାର। କଂଗ୍ରେସକୁ ସମର୍ଥନ ପାଇଁ ୩ ସ୍ବାଧୀନ ବିଧାୟକ ଘୋଷଣା କରିଛନ୍ତି। ଅପର ପକ୍ଷରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ଦାବି ପାଇଁ କଂଗ୍ରେସ ଦାବି କରିଛି।

ହରିୟାଣାରେ ବଡଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି। ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ଚାଲିଥିବା ବିଜେପି ଶାସିତ ହରିୟାଣା ସରକାରଙ୍କ ଠାରୁ ୩ଜଣ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି। ଏହି ତିନି ସ୍ୱାଧୀନ ବିଧାୟକ କଂଗ୍ରେସକୁ ସମର୍ଥନ କରିଛନ୍ତି। ଦାଦରିରୁ ସୋମବୀର ସାଙ୍ଗଓ୍ୱାନ, ନୀଲୋଖେଡିରୁ ଧର୍ମପାଲ ଗୋନ୍ଦର ଓ ପୁଣ୍ଡରିରୁ ରଣଧୀର ଗୋଲନ୍‌ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ସମର୍ଥନ କରୁଥିବା ନେଇ ଘୋଷଣା କରିଛନ୍ତି। ସେପଟେ ବାଦଶାହପୁର ବିଧାୟକ ରାକେଶ ଦୌଲତାବାଦ ମଧ୍ୟ କଂଗ୍ରେସକୁ ସମର୍ଥନ କରିପାରନ୍ତି ବୋଲି ଆଲୋଚନା ହେଉଛି।

ହରିଆଣା ବିଧାନସଭାରେ ୯୦ଟି ଆସନ ରହିଛି। ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ୪୦, କଂଗ୍ରେସ ୩୨ ଓ ଜେଜେପି ୧୦ ଏବଂ ୮ ସ୍ୱାଧୀନ ବିଧାୟକ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ହୋଇଥିବା ୮ ଜଣ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୭ ଜଣ ବିଜେପିକୁ ସମର୍ଥନ କରିଥିଲେ। ଏଠାରେ ବିଜେପି ଏବଂ ଜେଜେପି ମେଣ୍ଟରେ ସରକାର ଗଠନ ହୋଇଥିଲା। ପରବର୍ତ୍ତୀ ସମୟରେ ମେଣ୍ଟ ଭାଙ୍ଗି ଯାଇଥିଲା।  ଫଳରେ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ବିଜେପିର ସରକାର ଚଳାଉଥିଲା। ୩ଜଣ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିଥିବାରୁ ଏଠାରେ ଯେକୌଣସି ମୁହୂର୍ତ୍ତରେ ବି ସରକାର ଭାଙ୍ଗି ଯିବା ଆଶଙ୍କା ରହିଛି।

କଂଗ୍ରେସ ରାଜ୍ୟ ସଭାପତି ଉଦୟଭାନ କହିଛନ୍ତି ଯେ ଜେଜେପି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ହରିୟାଣାରେ ବିଜେପି ସରକାର ଚଳାଉଥିଲା। କିନ୍ତୁ ଜେଜେପି ସହ ମେଣ୍ଟ ଭାଙ୍ଗି ସାରିଥିବାବେଳେ ୩ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ତେଣୁ ଏଠାରେ ଆଜି ବିଜେପି ସରକାରଙ୍କ ପାଖରେ ଆଉ ସଂଖ୍ୟା ଗରିଷ୍ଠତା ନାହିଁ। ତେଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଦେବା ଉଚିତ।

Comments are closed.