ରତନ ଟାଟା ସମାଧାନ ଉଦ୍ୟମ କରନ୍ତୁ: ଧର୍ମେନ୍ଦ୍ର
ଭୁବନେଶ୍ୱର: ରାୟଗଡ଼ା ଜିଲା ଥେରୁବାଲି ସ୍ଥିତ ଇମ୍ଫାରେ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବାକୁ ରତନ ଟାଟା ଉଦ୍ୟମ କରନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଝାଇ ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ରତନ ଟାଟାଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଇମ୍ଫା ଘଟଣାକୁ ପଶ୍ଚିମବଙ୍ଗର ସିଙ୍ଗୁର ଘଟଣା ସହିତ ତୁଳନା କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଥେରୁବାଲି ସ୍ଥିତ ଇମ୍ଫାରେ ସୃଷ୍ଟି ହୋଇଥିବା ଅଚଳବସ୍ଥା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୋଧମୂଳକ ଭାବନା ଦାୟୀ। ଏହା ରାଜ୍ୟର ଶିଳ୍ପ ଓ ପୁଞ୍ଜି ନିବେଶ ବାତାବରଣର ପରିପନ୍ଥୀ। ଏହି ସ୍ଥିତି ଦକ୍ଷିଣ ଓଡ଼ିଶାରେ ବାମବାଦୀ ଉଗ୍ରପନ୍ଥୀଙ୍କୁ ପ୍ରୋତ୍ସାହିତ କରିବାର ଆଶଙ୍କା ରହିଛି। ରତନ ଟାଟା ଏବେ ଓଡ଼ିଶାରେ ଥିବା ବେଳେ ଇମ୍ଫାର ଅଚଳାବସ୍ଥା ଦୂର ପାଇଁ ଉଦ୍ୟମ କଲେ ତାହାର ପ୍ରଭାବ ସୁଦୂର ପ୍ରସାରୀ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।