ମାର୍ଚ୍ଚ ୨୩ରେ ବିଜେପି ସାଂସଦଙ୍କ ବୈଠକ

0

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପାଇଁ ବିଜେପି ତାର ପ୍ରସ୍ତୁତି ଆରମ୍ଭ କରିଛି। ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ମାର୍ଚ୍ଚ ୨୩ରେ ସମସ୍ତ ବିଜେପି ସାଂସଦଙ୍କ ବୈଠକ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆହୂତ ଏହି ବୈଠକରେ ବିଜେପିର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଯୋଗଦେବେ। ସାଧାରଣ ନିର୍ବାଚନ ସହିତ ଚଳିତବର୍ଷ ଶେଷ ଆଡକୁ ହେବାକୁ ଯାଉଥିବା ବିଭିନ୍ନ ଉପ-ନିର୍ବାଚନ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ହେବ। ଏହି ବୈଠକରେ ମୋଦିଙ୍କ ସହିତ ଦଳର ମୁଖ୍ୟ ଅମିତ ଶାହା ଯୋଗଦେବେ। ଦଳ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଇତି ମଧ୍ୟରେ ୪ବର୍ଷ ପୂରଣ ହେଲାଣି। ଏହି ଚାରିବର୍ଷ ମଧ୍ୟରେ ସରକାର କେଉଁ ସବୁ ସଫଳତା ହାସଲ କରିଛନ୍ତି ତାହା ସାଂସଦମାନଙ୍କୁ ଅବଗତ କରାଯିବ। ଏହା ସହିତ ନିର୍ବାଚନ ରଣନୀତି ପାଇଁ ସାଂସଦମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା ପୂର୍ବକ ମତାମତ ଗ୍ରହଣ କରିବେ। ସାଧାରଣ ନିର୍ବାଚନ ପାଇଁ କିପରି ସର୍ବଶ୍ରେଷ୍ଠ ରଣନୀତି ପ୍ରସ୍ତୁତ କରାଯାଇପାରିବ ତା’ ଉପରେ ପ୍ରତ୍ୟେକ ସାଂସଦ ମତ ରଖିବେ। ଗତମାସରେ ଉଦଘାଟନ ହୋଇଥିବା ଦଳର ନୂଆ ମୁଖ୍ୟ କାର୍ଯ୍ୟାଳୟରେ ଏହି ବୈଠକ ହେବ। ଉତ୍ତର-ପୂର୍ବାଞ୍ଚଳର ତିନିଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦଳର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଉତ୍ସାହିତ ବିଜେପି ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ହୋଇଛି।

Leave A Reply