ବାଉଁଶ ଶିଳ୍ପର ବିକାଶ ଲାଗି ୧୨.୫୬କୋଟିର ଯୋଜନା ଅନୁମୋଦିତ
ଭୁବନେଶ୍ୱର:ରାଜ୍ୟରେ ବାଉଁଶ ଚାଷକୁ କିଭଳି ଜୀବନଜୀବିକାର ମାଧ୍ୟମ ରୂପେ ପରିଗଣିତ କରିହେବ ସେନେଇ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ବାଉଁଶ ଚାଷ ଓ ବାଉଁଶ ଶିଳ୍ପର ବିକାଶ ଲାଗି ମଙ୍ଗଳବାର ରାଜ୍ୟ ସରକାର ୧୨.୫୬କୋଟି ଟଙ୍କାର କାର୍ଯ୍ୟ ଯୋଜନା ଅନୁମୋଦନ କରିଛନ୍ତି। ଏହାସହିତ ପ୍ରତ୍ୟେକ ଘରୋଇ ଜମିରେ କିଭଳି ଲୋକେ ବାଉଁଶ ଚାଷ କରିବେ ସେନେଇ ପ୍ରୋତ୍ସାହନ ରାଶି ବଢ଼ାଇବା, ସ୍ୱତନ୍ତ୍ର ବାଶଁଶ ନୀତି କରିବାକୁ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।
ସଚିବାଳୟରେ ମୁଖ୍ୟଶାସନ ସଚିବ ଶ୍ରୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ବାଉଁଶ ମିଶନର ପ୍ରଥମ କାର୍ଯ୍ୟନିର୍ବାହୀ ବୈଠକରେ ଏହି ନୂତନ ଚାଷ କୌଶଳ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ଏବଂ ଆର୍ଥିକ ପ୍ରୋତ୍ସାହନ ଦେଇ ବାଉଁଶ ଶିଳ୍ପକୁ ସୁଦୃଢ଼ୀକରଣ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓଡ଼ିଶା ବାଉଁଶ ମିଶନ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଓ ଆର୍ଥିକ ଦିଗ ଉପରେ ଅବଗତ କରାଇଥିଲେ। ରାଜ୍ୟରେ କାଠ ତିଆରି ଆସବାବପତ୍ରର ବେଆଇନ ପ୍ରସ୍ତୁତକୁ ବନ୍ଦ କରି ଏଦିଗରେ ଆଇନାନୁମୋଦିତ ନିଯୁକ୍ତି ସୁଯୋଗ ସମ୍ବଳିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଦିଗରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି। ତେବେ ଏଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଏବଂ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରିବା ଦିଗରେ ବିଭାଗ ଦୃଷ୍ଟି ଦେବାକୁ ଶ୍ରୀ ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି।
ବାଉଁଶ ମିଶନ ପ୍ରକଳ୍ପ ନିର୍ଦେଶକ ସୁରେନ୍ଦ୍ର ପ୍ରସାଦ ମହାପାତ୍ର ଦର୍ଶାଇଥିଲେ ଯେ ୨୦୦୭-୦୮ରୁ ୨୦୧୬-୧୭ ମଧ୍ୟରେ ବାଉଁଶ ମିଶନର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାନ୍ୱୟନ କରାଯାଇଛି। ଯାହାଫଳରେ ୧୦ହଜାରରୁ ୧୨ହଜାର ବର୍ଗ କିମିକୁ ବାଉଁଶ ଜଙ୍ଗଲ ବୃଦ୍ଧି ପାଇଛି। ବର୍ତ୍ତମାନ ୬୬ଟି ସାଧାରଣ ଉଦ୍ୟୋଗ ନର୍ସରୀ, ୨୮ଟି ଘରୋଇ ନର୍ସରୀ, ୪୧ଟି କିଷାନ ନର୍ସରୀ ଏବଂ ୪୭ଟି ମହିଳା ନର୍ସରୀ ବାଉଁଶ ଚାଷର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଚଳିତବର୍ଷଠାରୁ ନୂତନ ବାଉଁଶ ନୀତି ରାଜ୍ୟ ସରକାର କାର୍ଯ୍ୟକାରୀ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହାର କାର୍ଯ୍ୟାନ୍ୱୟନ ପାଇଁ ଜାତୀୟ ବାଉଁଶ ମିଶନ ୬୦ଭାଗ ଓ ରାଜ୍ୟ ସରକାର ୪୦ଭାଗ ପାଣ୍ଠି ଯୋଗାଇଦେବେ। ଘରୋଇ ଜମିରେ ବାଉଁଶ ଚାଷ ପାଇଁ ପୂର୍ବରୁ ଚାଷୀ ହେକ୍ଟର ପିଛା ୧୦ହଜାର ୫୦୦ଟଙ୍କାର ସହାୟତା ପାଉଥିଲେ। ଏଣିକି ଏହି ସହାୟତା ରାଶିକୁ ୫୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଚାରା ରୋପଣ, ପ୍ରାମାଣିକ ର୍ପଦର୍ଶନୀ କେନ୍ଦ୍ର ପ୍ରତିଷ୍ଠା, ବାଉଁଶରୁ ମୂଲ୍ୟଯୁକ୍ତ ଦ୍ରବ୍ୟ ଉତ୍ପାଦନ, ବାଜର ଭିତ୍ତିଭୂମି ସୃଷ୍ଟି, ଚାଷୀ ଓ ଶିଳ୍ପୀମାନଙ୍କ ଦକ୍ଷତା ବିକାଶ ଆଦି ବାର୍ଷିକ ଯୋଜନାରେ ସ୍ଥାନ ପାଇଥିବା ଶ୍ରୀ ମହାପାତ୍ର ଦର୍ଶାଇଥିଲେ। ବୈଠକରେ ଅର୍ଥବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ତୁହିନକାନ୍ତ ପାଣ୍ଡେ, ପ୍ରଧାନ ମୁଖ୍ୟବନ ସଂରକ୍ଷକ ଦେବବ୍ରତ ସ୍ୱାଇଁ, କୃଷିବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।