‘ପବିତ୍ର ଗୃହ’ରେ ଅପକର୍ମ

0

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ଗ୍ରାମରେ ‘ହ୍ୟାପି ଆଣ୍ଡ୍ ହୋଲି ହୋମ୍ ସୋସାଇଟି’ ସଂସ୍ଥା ପକ୍ଷରୁ ଚଳାଯାଉଥିବା ‘ଗୁଡ଼ ନିଉଜ୍ ଇଣ୍ଡିଆ ଡ୍ରିମ ସେଣ୍ଟର’ ନାମକ ଶିଶୁ ଆଶ୍ରୟ ଗୃହ (ସେଲ୍‌ଟର ହୋମ)ରେ ଯୌନ ଶୋଷଣ ଘଟଣା ଅତି ଦୁର୍ଭାଗ୍ୟଜନକ। ଏହା କେବଳ ଆମ ସାମାଜିକ ରୁଗ୍ଣତାକୁ ପଦାରେ ପକାଇନାହିଁ, ପ୍ରାଶାସନିକ ଓ ସରକାରୀ ଅବ୍ୟବସ୍ଥାକୁ ମଧ୍ୟ ରେଖାଙ୍କିତ କରିଛି। ବର୍ତ୍ତମାନ ସୁଦ୍ଧା ଏହି ଆଶ୍ରୟ ଗୃହର ଅଧ୍ୟକ୍ଷ, ଶାଖା ପରିଚାଳକ ଓ ଅନ୍ୟ ଜଣକୁ ପୁଲିସ ଗିରଫ କରିଛି। ଏହି ଘଟଣାରେ କେବଳ ଏହି ତିନିଜଣ ସମ୍ପୃକ୍ତ ନଥିବେ; କାରଣ ସଂପୃକ୍ତ ସଂସ୍ଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି ୨୬ଟି ଆଶ୍ରୟ ଗୃହ ଖୋଲିଛି। ଅଧିକାଂଶ ବେଆଇନ ଭାବେ ଚାଲିଥିବା ଜଣାପଡ଼ିଲାଣି। ତେଣୁ ସେଗୁଡ଼ିକର ମଧ୍ୟ ତୁରନ୍ତ ଯାଞ୍ଚ ହେବା ଆବଶ୍ୟକ। ପରିତାପର ବିଷୟ ଯେ ଜିଲାପାଳଙ୍କ କାର୍ଯ୍ୟାଳୟର ନାକତଳେ ଏହି ବେଆଇନ ଆଶ୍ରୟ ଗୃହଟି ଚାଲିଥିବାବେଳେ ତାକୁ ବନ୍ଦ କରିବା ପାଇଁ କିମ୍ବା ଏହାର ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଜିଲା ଶିଶୁ ସୁରକ୍ଷା ସମିତି ମଧ୍ୟ ଏ ବିଷୟରେ କିଭଳି ସୂଚନା ପାଇଲେ ନାହିଁ! ଯଦି ଉକ୍ତ ଆଶ୍ରୟ ଗୃହର ଶାଖା ପରିଚାଳକ ନିଜେ ଅକଳରେ ପଡ଼ି ଏ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇନଥାନ୍ତେ, ହୁଏତ ଏହା ଏ ପର୍ଯ୍ୟନ୍ତ ଜନଅଗୋଚରରେ ରହିଥାଆନ୍ତା। ଏହି ବେଆଇନ ସଂସ୍ଥା ପରିଚାଳନାରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବା ଅସମ୍ଭବ ନୁହେଁ। ପ୍ରଶାସନର ଲାଞ୍ଚଖିଆ ସ୍ବଭାବ ମଧ୍ୟ ଏଥିପାଇଁ ଦାୟୀ। ଉତ୍କୋଚ ଗ୍ରହଣ କରି ସବୁ ପ୍ରକାର ଆଇନ ଉଲ୍ଲଙ୍ଘନ କରୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ନାହିଁ। ଏହି ମାମଲାରେ ବେଆଇନ କାର୍ଯ୍ୟ ହୋଇଥିବା ସ୍ପଷ୍ଟ; କାରଣ ଢେଙ୍କାନାଳ ସହରରେ ଏହି ସଂସ୍ଥା ୨୦୧୧ ମସିହାରୁ ଏଭଳି ଏକ ଆଶ୍ରୟ ଗୃହ ଚଳାଇଥିଲା, ଯାହାକୁ ୨୦୧୫ରେ ପ୍ରଶାସନ ବେଆଇନ ଘୋଷଣା କରିବା ସହ ସେଠାରେ ରହୁଥିବା ପିଲାଙ୍କୁ ଘରକୁ ପଠାଇଦେଇଥିଲା। ପରବର୍ତ୍ତୀ ସମୟରେ ସମାଜ କଲ୍ୟାଣ ନିର୍ଦେଶକଙ୍କ ଏକ ନିର୍ଦେଶନାମା ବଳରେ ଏହା ଶିଶୁଗୃହ ବଦଳରେ ଶିକ୍ଷାକେନ୍ଦ୍ର ନାମରେ ଚାଲୁଥିଲା। ଏହାର ଅର୍ଥ ହେଲା ଆଇନକୁ ମୋଡ଼ିମାଡ଼ି ଯେମିତି ହେଉ ଏହାକୁ ଚଳାଇବାରେ ସରକାରୀ ଅଧିକାରୀ ସହାୟତା କଲେ। ସେତେବେଳେ କିଶୋର ନ୍ୟାୟ ଆଇନ ଓ ଶିଶୁଙ୍କ ସୁରକ୍ଷା ପାଇଁ ଥିବା ଆଇନଗୁଡ଼ିକ ପ୍ରତି କେତେ ଦୃଷ୍ଟି ଦିଆଯାଇଥିଲା, ତାହା ଅନୁସନ୍ଧାନର ବିଷୟ। ପ୍ରଶାସନ ପକ୍ଷରୁ ଢେଙ୍କାନାଳ ସହରରୁ ଉଚ୍ଛେଦ କରାଯିବାପରେ ବେଲଟିକିରିରେ ଏହାକୁ ଖୋଲିବା ପାଇଁ ଯେଉଁ ସରକାରୀ ଅଧିକାରୀମାନେ ସାହାଯ୍ୟ ସହାୟତା କରିଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।
ସ୍ଥାନୀୟ ପ୍ରଶାସନ ଓ ସରକାର ଏବେ ଅବଶ୍ୟ ଚେତିଛନ୍ତି ଓ ତୁରନ୍ତ ପଦକ୍ଷେପ ନେବାକୁ ଆରମ୍ଭ କରିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସମସ୍ତ ବେଆଇନ ଆଶ୍ରୟ ଗୃହକୁ ବନ୍ଦ କରିବାକୁ ନିର୍ଦେଶ ଦେବା ସହ ରାଜ୍ୟରେ ବେଆଇନ ଭାବେ ଚାଲିଥିବା ଅନ୍ୟାନ୍ୟ ଆଶ୍ରୟ ଗୃହକୁ ମଧ୍ୟ ବନ୍ଦ କରାଯିବ ବୋଲି କହିଛନ୍ତି। କିନ୍ତୁ ଏପରି କରିବା କେବଳ ସାମୟିକ ଓ ଅପରିଣାମଦର୍ଶୀ ପଦକ୍ଷେପ ସାବ୍ୟସ୍ତ ହୋଇପାରେ। ରାଜ୍ୟରେ ଏପରି କେତେ ଶିଶୁ ଆଶ୍ରୟ ଗୃହ ରହିଛି, ସେ ସମ୍ପର୍କରେ ସରକାରଙ୍କ ପାଖରେ କିଛି ତଥ୍ୟ ଅଛି କି? ମନ୍ତ୍ରୀ କେବଳ ସୂଚନା ଦେଇଛନ୍ତି ଯେ ରାଜ୍ୟରେ କିଶୋର ନ୍ୟାୟ ଆଇନ ଅଧୀନରେ ପଞ୍ଜୀକୃତ ହୋଇଥିବା ୨୭୦ଟି ଶିଶୁଯତ୍ନ (ଚାଇଲ୍ଡ କେୟାର୍) ଗୃହ ରହିଛି। ହଠାତ୍ ବେଆଇନ ଆଶ୍ରୟ ଗୃହକୁ ବନ୍ଦ କରିଦେଲେ ସେଠାରେ ରହୁଥିବା ନିରାଶ୍ରୟ ପିଲାଙ୍କୁ ସରକାର ଥଇଥାନ କରିପାରିବେ ତ? ସେଭଳି ବ୍ୟବସ୍ଥା ସରକାରଙ୍କ ପାଖରେ ରହିଛି ତ? ପୁଣି କେବଳ ପଞ୍ଜୀକରଣ କରିଦେବା ବଡ଼ କଥା ନୁହେଁ, ପଞ୍ଜୀକୃତ ଶିଶୁ ଗୃହଗୁଡ଼ିକ କିପରି ଚାଲିଛି, ସେ ନେଇ ସରକାର ଅବଗତ ଅଛନ୍ତି କି? ସେଗୁଡ଼ିକର ନିୟମିତ ଯାଞ୍ଚ ହେଉଛି କି? ଶିଶୁ ଓ କିଶୋରଙ୍କ କ୍ଷେତ୍ରରେ ଯେଉଁ ସମ୍ବେଦନଶୀଳତା ରହିବା କଥା, ଏସବୁ ଗୃହମାନଙ୍କରେ ଅଛି ନା ନାହିଁ, ତାହା ଅନୁସନ୍ଧାନର ବିଷୟ। ଅସହାୟ ଶିଶୁ ବା କିଶୋରୀଙ୍କୁ ଆଶ୍ରୟ ଦେବା ଓ ସେମାନଙ୍କୁ ଶିକ୍ଷାଦୀକ୍ଷା ପ୍ରଦାନ କରିବା ଏକ ମହତ୍‌ ଓ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିଶ୍ଚୟ; କିନ୍ତୁ ସେମାନଙ୍କ ଅସହାୟତାର ସୁଯୋଗ ନେଇ ଯାବତୀୟ ଅପକର୍ମ ହେଉଥିବା ଦୃଷ୍ଟିଗୋଚର ହେଉଛି। ତେଣୁ ସରକାର ନିଜେ ହିଁ ଏପରି ଅସହାୟ ଶିଶୁ-କିଶୋରଙ୍କ ଦାୟିତ୍ବ ନେବା ଉଚିତ। ବିଶେଷକରି ସମାଜର ଅସହାୟା ବାଳିକାମାନଙ୍କର ଥଇଥାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ। ଅବଶ୍ୟ ସରକାରୀ ସେବାଶ୍ରମଗୁଡ଼ିକରେ ମଧ୍ୟ ଆମେ ଅତୀତରେ ବିଭିନ୍ନ ପ୍ରକାରର ଅପକର୍ମ, ଏପରିକି ଯୌନ ନିର୍ଯାତନା ଭଳି ଘଟନା ଘଟିଥିବା ଦେଖିଛୁ। ଯେଉଁମାନଙ୍କୁ ଏସବୁ ସେବାଶ୍ରମଗୁଡ଼ିକର ଦାୟିତ୍ବ ଦିଆଯାଉଛି, ସେମାନଙ୍କ ବ୍ୟକ୍ତିତ୍ବକୁ ପରଖିନିରେଖି ନିଯୁକ୍ତି ଦିଆଯାଉ। ମହିଳାମାନଙ୍କୁ ଏହି ଦାୟିତ୍ବ ଦେବା ଉଚିତ ହେବ।
ଉଲ୍ଲେଖନୀୟ, ନିକଟ ଅତୀତରେ ବିହାରରେ ଠିକ୍ ଏହିଭଳି ଘଟନା ଘଟିଥିଲା। ସେଠାକାର ବହୁ ଶିଶୁ ଆଶ୍ରୟ ଗୃହର ଅନ୍ତେବାସୀଙ୍କୁ କେବଳ ଡରାଇ ଧମକାଇ ରଖାଯାଉନଥିଲା, ସେମାନଙ୍କୁ ବଳାତ୍କାର ମଧ୍ୟ କରାଯାଉଥିଲା। ମୁମ୍ବଇର ‘ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ’ (ଟିସ୍)ର ଏକ ରିପୋର୍ଟ ମାଧ୍ୟମରେ ଏହା ଲୋକଲୋଚନକୁ ଆସିବା ପରେ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା। ଏହି ମାମଲାରେ ବିହାର ସରକାରର ଜଣେ ମନ୍ତ୍ରୀଙ୍କ ସ୍ବାମୀ ସଂପୃକ୍ତ ଥିବାରୁ ସରକାର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଥିଲା। ଦୁଇଦିନ ତଳେ ସର୍ବୋଚ୍ଚ ନ୍ୟାୟାଳୟ ଏଥିପାଇଁ ବିହାର ସରକାର ଓ ପୁଲିସ ପ୍ରଶାସନକୁ କଠୋର ଭାଷାରେ ଭର୍ତ୍ସନା କରିବା ସହିତ ଏହି ଘଟଣା ସମ୍ପର୍କିତ ସମସ୍ତ ୧୬ଟି ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଛନ୍ତି। ଏଥିରୁ ଓଡ଼ିଶା ସରକାରଙ୍କୁ ମଧ୍ୟ କିଛି ଶିଖିବାର ଅଛି। ପ୍ରାଶାସନିକ ଓ ରାଜନୈତିକ ପ୍ରୋତ୍ସାହନ ବିନା ଏପରି ବେଆଇନ କାର୍ଯ୍ୟ ବର୍ଷବର୍ଷ ଧରି ଚାଲୁରହିବା ସମ୍ଭବ ନୁହେଁ। ପୁଣି ମିଶନାରୀ ସଂସ୍ଥା ଦ୍ବାରା ଚାଲୁଥିବାରୁ ବେଲଟିକିରି ଶିଶୁ ଆଶ୍ରୟ ଗୃହକୁ ବିଦେଶୀମାନେ ଆସୁଥିବା ଏବଂ ସେମାନେ ମଧ୍ୟ ଅପକର୍ମରେ ସଂପୃକ୍ତ ଥିବାର ଗୁରୁତର ଅଭିଯୋଗ ଆସିଛି। ସରକାର ଅବିଳମ୍ବେ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ଦରକାର। ଅସହାୟ ପିଲାଙ୍କର ଉପଯୁକ୍ତ ଥଇଥାନ ଓ ଶିକ୍ଷାର ବ୍ୟବସ୍ଥା ମଧ୍ୟ ସରକାରଙ୍କ ଦାୟିତ୍ବ।

kalyan agarbati
Leave A Reply