ଦେଶଦ୍ରୋହ ଆଇନର ଅପବ୍ୟବହାର

0

ଆମ ଦେଶରେ ରାଜଦ୍ରୋହ ବା ଦେଶଦ୍ରୋହ ଆଇନର ଅପବ୍ୟବହାର ବଢ଼ିଚାଲିବା ଚିନ୍ତାର ବିଷୟ। ଆହୁରି ଦୁଃଖର ବିଷୟ ହେଲା, ଗତ କେଇବର୍ଷ ହେଲା ସେଭଳି କିଛି ଯଥେଷ୍ଟ କାରଣ ନଥାଇ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ଏହି ଔପନିବେଶିକ ଆଇନକୁ ପୁଲିସ ପ୍ରୟୋଗ କରିଛି। ଭାରତ ଭଳି ଏକ ପରିପକ୍ବ ଓ ଉଦାର ଗଣତନ୍ତ୍ର ପାଇଁ ଏହି ଆଇନ ଯେ କ୍ରମେ ଅନାବଶ୍ୟକ ହୋଇପଡ଼ିଲାଣି, ତାହା ବୁଝିବାର ସମୟ ଆସିଛି। ଗତ ମଙ୍ଗଳବାର ପୁଲିସ ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟର ୧୪ ଜଣ ଛାତ୍ରଙ୍କ ଉପରେ ଦେଶଦ୍ରୋହ ଆଇନର ଧାରା ପ୍ରୟୋଗ କରି ସେମାନଙ୍କ ନାଁରେ ମୋକଦ୍ଦମା ରୁଜୁ କରିଛି। ସେମାନଙ୍କ ନାମରେ ଅଭିଯୋଗ ଯେ ସେମାନେ ଜଣେ ଟିଭି ଚ୍ୟାନେଲ କର୍ମଚାରୀ ଓ ବିଜେପି ଯୁବଶାଖାର କେତେକ ସଦସ୍ୟଙ୍କୁ ପିଟାମରା କରିଥିଲେ। କେବଳ ଏହି କାରଣ ପାଇଁ ଦେଶଦ୍ରୋହ ଆଇନର ଧାରା ଲାଗୁ କରିବା ଗ୍ରହଣୀୟ ମନେହେଉନାହିଁ। ତେବେ ଏହା ପ୍ରଥମ ଥର ନୁହେଁ। ରାଜଦ୍ରୋହ ବା ଦେଶଦ୍ରୋହ ଆଇନ ଭାବେ ଖ୍ୟାତ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ୧୨୪କ ବ୍ରିଟିଶ ଅମଳରେ ତିଆରି ହୋଇଥିଲେ ହେଁ ଏହାକୁ ଅତି ସାଧାରଣ ଭାବେ ମନଇଚ୍ଛା ଅପବ୍ୟବହାର କରାଯାଉଥିବା ଦେଖାଯାଉଛି। ବିଶେଷକରି ବିଭିନ୍ନ ରାଜନୈତିକ ଦଳ ଏହାକୁ ନିଜର ସ୍ବାର୍ଥସାଧନ ପାଇଁ ବ୍ୟବହାର କରିଆସିଛନ୍ତି। କୌଣସି ଫେସ୍‌ବୁକ୍ ପୋଷ୍ଟ୍, ନେତାଙ୍କୁ ସମାଲୋଚନା ବା ବ୍ୟଙ୍ଗ, ପାକିସ୍ତାନ କ୍ରିକେଟ୍‌ ଦଳର ପ୍ରଶଂସା, ଜାତୀୟ ସଙ୍ଗୀତ ଗାନବେଳେ ଠିଆ ନହେବା ଆଦି ଘଟନାକୁ ନେଇ ମଧ୍ୟ ବହୁ ଲୋକଙ୍କ ଉପରେ ଏହି କଠୋର ଆଇନକୁ ପ୍ରୟୋଗ କରାଯାଇଛି।
ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ଯଦି ଆମେ ଦେଖିବା, ସେଠାରେ ଗଣ୍ଡଗୋଳ ଓ ପିଟାମରା ହୋଇଥିବା କୁହାଯାଉଛି। ଏଭଳି ଅପରାଧ ପାଇଁ ଆଇପିସିର ନିର୍ଦିଷ୍ଟ ଧାରା ରହିଛି। ତା’ ସତ୍ତ୍ବେ ଦେଶଦ୍ରୋହ ଆଇନର ଧାରା ସେମାନଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ୧୯୬୨ ମସିହାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ଆଇନର ବ୍ୟବହାର ଉପରେ କେତେକ କଟକଣା ଲଗାଇବା ସହ ଗୋଟିଏ ଅତ୍ୟାବଶ୍ୟକ ସର୍ତ୍ତ ରଖିଥିଲେ। ସେହି ସର୍ତ୍ତଟି ହେଲା, କେହି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ହିଂସା ଘଟାଇଲେ କିମ୍ବା ହିଂସାକୁ ଉସୁକାଉଥିଲେ ତା’ ବିରୋଧରେ ରାଜଦ୍ରୋହ ଆଇନ ଲାଗୁ କରାଯାଇପାରିବ। ଅଧିକାଂଶ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଗୁରୁତ୍ବପୂର୍ଣ୍ଣ ରାୟକୁ ଉଲ୍ଲଙ୍ଘନ କରାଯାଇଥିବା ଦେଖାଯାଉଛି। ଆମେ ଏଇ ନିକଟ ଅତୀତ କଥା ଯଦି ଦେଖିବା, ତେବେ ତିନିବର୍ଷ ତଳେ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଦଶ ଜଣ ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ଏହି ଆଇନର ପ୍ରୟୋଗ ହୋଇଥିଲା। ୨୦୧୬ରେ ଦେଶରେ ଏହିପରି ୩୩ଟି ମାମଲା ରୁଜୁ ହୋଇଥିଲା, ଯେଉଁଥିରୁ ୧୨ଟି ମାମଲା କେବଳ ହରିୟାଣାର। ସେହିପରି ୭୩ ଓ ୨୦୧୪ରେ ୫୫ ଜଣଙ୍କୁ ଏହି ଆଇନରେ ଗିରଫ କରାଯାଇଥିଲା।
କହିବା ବାହୁଲ୍ୟ ଯେ କ୍ଷମତାସୀନଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ନିର୍ଦେଶ ବା ଆଦେଶରେ ପୁଲିସ ଦେଶର ନାଗରିକମାନଙ୍କ ବିରୋଧରେ ଏହି ଆଇନଟିକୁ ମନଇଚ୍ଛା ପ୍ରୟୋଗ କରିଆସୁଛି, ଯାହା ସମ୍ପୂର୍ଣ୍ଣ ଅନୁଚିତ। ଯଦି କେହି ଦେଶ ବା ରାଷ୍ଟ୍ର ବିରୋଧରେ ପ୍ରକୃତରେ କିଛି କାର୍ଯ୍ୟ କରୁଛି, ସେଥିପାଇଁ ଅନ୍ୟ ଆଇନ ମଧ୍ୟ ରହିଛି, ଯାହା ସେମାନଙ୍କୁ ଦଣ୍ଡିତ କରିବାପାଇଁ ଯଥେଷ୍ଟ। କୌଣସି ନେତାଙ୍କୁ ସମାଲୋଚନା କରିବା ବା କାହାକୁ ବିରୋଧ କରିବା ଦେଶଦ୍ରୋହ ହୋଇନପାରେ। ଏହି କାରଣରୁ ଗତବର୍ଷ ଆଇନ ଆୟୋଗ ମଧ୍ୟ ନିଜର ୩୫ ପୃଷ୍ଠାର ଏକ ଦଲିଲରେ ସ୍ପଷ୍ଟ କରିଦେଇଥିଲେ ଯେ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ହିଂସା ସୃଷ୍ଟି କରୁଥିବାର ନିର୍ଦିଷ୍ଟ ପ୍ରମାଣ ଥିଲେଯାଇ ପୁଲିସ ଦେଶଦ୍ରୋହ ଆଇନ ପ୍ରୟୋଗ କରିପାରିବ। ସମାଲୋଚନା ଓ ମତାନ୍ତର ଭାରତୀୟ ଗଣତନ୍ତ୍ର ପାଇଁ ନିହାତି ଜରୁରୀ; ତାକୁ ରୋକିବା ପାଇଁ ଏହି ଆଇନର ପ୍ରୟୋଗ ଦେଶପାଇଁ ହାନିକାରକ। ଏହି ପରିପ୍ରେକ୍ଷୀରେ ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ୧୯୮୯ର ଏକ ଯୁଗାନ୍ତକାରୀ ମାମଲା ‘ଟେକ୍ସାସ୍ ବନାମ ଜନସନ’ର ଫଇସଲା ବେଶ୍ ଉଦାହରଣୀୟ। ସେହି ମାମଲାର ଅଭିଯୁକ୍ତ ଗ୍ରେଗୋରୀ ଲୀ ଜନସନ ଆମେରିକାର ଜାତୀୟ ପତାକାକୁ ପୋଡ଼ିଥିବା ଅଭିଯୋଗ ହୋଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ପତାକାପୋଡ଼ି ମଧ୍ୟ ନାଗରିକଙ୍କୁ ଅଭିବ୍ୟକ୍ତିର ସ୍ବାଧୀନତାରେ ଦିଆଯାଇଥିବା ସୁରକ୍ଷାକବଚ ଭିତରେ ଆସୁଛି। ଭାରତୀୟ ଗଣତନ୍ତ୍ରରେ ଅଭିବ୍ୟକ୍ତିର ସ୍ବାଧୀନତାକୁ ହରଣ କରିବା ପାଇଁ ଶାସକଗୋଷ୍ଠୀ ଉଦ୍ୟମ କରିଆସିଥିବାବେଳେ ଦେଶଦ୍ରୋହ ଆଇନର ଉଚ୍ଛେଦ ସହଜ ହେବନାହିଁ ନିଶ୍ଚୟ। ତଥାପି ଯେଭଳି ବ୍ୟାପକ ଅପବ୍ୟବହାର ହେଉଛି, ଏହି ଔପନିବେଶିକ ଆଇନର ଉଚ୍ଛେଦ ପାଇଁ ଦାବି ଆଦୌ ଅଯଥାର୍ଥ ନୁହେଁ। ଅନ୍ତତଃ ନିର୍ଦିଷ୍ଟ ପ୍ରମାଣ ନପାଇବା ପର୍ଯ୍ୟନ୍ତ କାହା ଉପରେ ଏହି ଆଇନର ପ୍ରୟୋଗ ଯେପରି ପୁଲିସ କରିନପାରିବ, ସେଥିପାଇଁ ସରକାର ଚେତାବନୀ ଜାରି କରିବା ଆବଶ୍ୟକ।

kalyan agarbati
Leave A Reply