ଦରଦୀ ଜନନୀ
ମହାଭାରତ ଯୁଦ୍ଧ ସରିଯାଇଥାଏ। ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ବତ୍ଥମା ମରଣାପନ୍ନ ଦୁର୍ଯ୍ୟାଧନଙ୍କୁ କଥା ଦେଇଥିଲେ ପାଣ୍ଡବ ପାଞ୍ଚଭାଇଙ୍କ ଛିନ୍ନଶିର ଭେଟି ଦେବା ପାଇଁ। ଦୁେର୍ଯ୍ୟାଧନ ଶାନ୍ତିରେ ଶେଷନିଃଶ୍ବାସ ତ୍ୟାଗ ନିମିତ୍ତ ଅଶ୍ବତ୍ଥମା ଏଭଳି ଏକ ଆଶ୍ବାସନା ପ୍ରଦାନକାରୀ ସିଦ୍ଧାନ୍ତ ନେଇଥିଲେ। ନିଜ ଭିତରେ ଜଳୁଥିବା ପ୍ରତିଶୋଧର ବହ୍ନି ବି ଏହାଦ୍ବାରା ପ୍ରଶମିତ ହୋଇପାରିବ କିୟତ୍ ପରିମାଣରେ। ସେଦିନ ନିଶାର୍ଦ୍ଧରେ ଅଶ୍ବତ୍ଥମା ଲୁଚିଛପି ପାଣ୍ଡବ ଶିବିରରେ ପ୍ରବେଶ କରି ପାଣ୍ଡବ ପାଞ୍ଚଭ୍ରାତାଙ୍କ ପରିବର୍ତ୍ତେ ଭ୍ରମବଶତଃ ଦ୍ରୌପଦୀଙ୍କ ପାଞ୍ଚବାଳୁତ କୁମାରଙ୍କୁ ନିଦ୍ରିତ ଅବସ୍ଥାରେ ହତ୍ୟାକରି ସେମାନଙ୍କ ଛିନ୍ନଶିର ଆଣି ଦୁେର୍ଯ୍ୟାଧନଙ୍କୁ ଭେଟି ଦେଇଥିଲେ। ବଂଶର ଶେଷ ପ୍ରଦୀପ ଏହି ପାଞ୍ଚବାଳୁତ କୁମାରଙ୍କ ଛିନ୍ନଶିର ଦେଖି ଅଶ୍ବତ୍ଥମାଙ୍କୁ ଅନେକ ଧିକ୍କାର କରିଥିଲେ। ସେହି ଦୁଃଖରେ ଦୁେର୍ଯ୍ୟାଧନଙ୍କର ମୂର୍ଦ୍ଧନାପାତ ହୋଇଥିଲା।
ଏଣେ ପାଣ୍ଡବ ଶିବିରରେ ବାଳୁତ ପାଞ୍ଚକୁମାରଙ୍କ ହତ୍ୟାରେ ଘୋର ବିଷାଦ ଛାଇ ହୋଇଯାଇଥିଲା। ଦ୍ରୌପଦୀଙ୍କ କ୍ରନ୍ଦନ ଥିଲା ହୃଦୟବିଦାରକ। ଏଭଳି ପୈଶାଚିକ କାମ କିଏ ବା କରିପାରେ? ଏ ସମ୍ପର୍କରେ ପାଣ୍ଡବମାନେ ଅନୁସନ୍ଧାନ ଆରମ୍ଭ କରି ଦେଇଥିଲେ। ହତ୍ୟାକାରୀ ସନ୍ଧାନରେ ଥିବାବେଳେ ଜାଣିବାକୁ ପାଇଥିଲେ ଗୁରୁପୁତ୍ର ଅଶ୍ବତ୍ଥମା ହିଁ ଏହି ହତ୍ୟାକାଣ୍ଡର ନାୟକ। ଅର୍ଜୁନ ତତ୍କ୍ଷଣାତ୍ ଅଶ୍ବତ୍ଥମାର ସନ୍ଧାନରେ ବାହାରି ଯାଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ଅଶ୍ବତ୍ଥମାକୁ ଧରି ଦ୍ରୌପଦୀଙ୍କ ସମ୍ମୁଖକୁ ଆଣିଥିଲେ।
ସେ ସମୟରେ ଜଡ଼ବତ୍ ବସିରହିଥିବା େଦ୍ରୗପଦୀଙ୍କୁ ମଧ୍ୟମ ପାଣ୍ଡବ ଅର୍ଜୁନ କହିଥିଲେ- ଏବେ ତୁୁମ ସମ୍ମୁଖରେ ତୁମ ପୁତ୍ରର ହତ୍ୟାକାରୀ। ଏହି ଆତତାୟୀକୁ ଯାହା ଇଚ୍ଛା ତାହା ଦଣ୍ଡବିଧାନ କରିପାର। ଏହା ତୁମ ଉପରେ ନିର୍ଭର କରେ। ଦ୍ରୌପଦୀ ଏହାଶୁଣି ସମ୍ମୁଖରେ ଅପରାଧୀ ଭାବରେ ଠିଆ ହୋଇଥିବା ଅଶ୍ବତ୍ଥମାର ମୁହଁକୁ ଚାହିଁଥିଲେ। ଆଖିରୁ ଅନବରତ ଅଶ୍ରୁଧାର ବହି ଚାଲିଥାଏ।
ଅଶ୍ବତ୍ଥମାକୁ ଦେଖିବା ପରେ ତାଙ୍କର ମାତୃହୃଦୟ ଏକ ଅନାହତ ମମତାର ଉଦ୍ବେଳନରେ ଉଦବେଳିତ ହୋଇଉଠିଲା। ଦାରୁଣ ପୁତ୍ର ବିଚ୍ଛେଦର ମର୍ମାନ୍ତିକ ଯନ୍ତ୍ରଣା ପଛରେ ରହିଗଲା। ବେଦନାସିକ୍ତ କଣ୍ଠରେ କହିଥିଲେ- ‘ତାଙ୍କୁ ଛାଡ଼ିଦିଅ, ତାଙ୍କୁ ହତ୍ୟାକଲେ ଗୁରୁପତ୍ନୀ (ଦ୍ରୋଣାଚାର୍ଯ୍ୟଙ୍କ ପତ୍ନୀ ତଥା ଅଶ୍ବତ୍ଥମାଙ୍କ ମା’)ଙ୍କୁ ସେହିଭଳି ପୀଡ଼ା ହେବ ଯାହା ମୁଁ ଏବେ ଅନୁଭବ କରୁଛି। ମାଆ ଭାବରେ ମୁଁ ଚାହୁଁନି ମୋଭଳି ପୁତ୍ରବିୟୋଗଜନିତ ଅସହନୀୟ ଦୁଃଖ ସେ ଭୋଗନ୍ତୁୁ। ଅଶ୍ବତ୍ଥମାଙ୍କ ଜୀବନ ନେଇଗଲେ ମୋ ପୁତ୍ରମାନେ ଆଉ ମୋ ନିକଟକୁ ଫେରିଆସିବେ ନାହିଁ।’
ଦ୍ରୌପଦୀଙ୍କଠାରୁ ଏହାଶୁଣି ପାଣ୍ଡବ ଚକିତ ହୋଇଯାଇଥିଲେ।