ଜାଗରଣର ଅଗ୍ରଦୂତ

0

ପଶ୍ଚିମାକାଶକୁ ରକ୍ତରଙ୍ଗରେ ରଂଜିତ କରି ସୂର୍ଯ୍ୟ ଅସ୍ତ ହେବାକୁ ଯାଉଥାନ୍ତି। ପକ୍ଷୀମାନେ କଳରବ କରି ସ୍ବସ୍ବ ନୀଡ଼କୁ ଫେରିଯାଉଥାନ୍ତି। ଅାସନ୍ନ ସନ୍ଧ୍ୟା ସମୟ, ଠିକ୍‌ ଏହିଭଳି ଏକ ମୁହୂର୍ତ୍ତରେ ଯୁଗପ୍ରବର୍ତ୍ତକ ସ୍ବାମୀ ବିବେକାନନ୍ଦ ବେଲୁଡ ମଠ ନିକଟସ୍ଥ ଗଂଗାତୀରରେ ଭ୍ରମଣ କରୁଥାନ୍ତି। ଏହି ସମୟରେ ଜଣେ ଯୁବଶିଷ୍ୟ ତାଙ୍କ ନିକଟକୁ ଆସି କୌତୂହଳୀ ହୋଇ ପଚାରିଥିଲେ ସ୍ବାମିଜୀ! ଆପଣ ଅସାଧାରଣ ବାଗ୍ମୀ। ୟୁରୋପ ଓ ଆମେରିକାରେ ଆପଣ ଧର୍ମ ବିଷୟରେ ବକ୍ତୃତା ଦେଇ ସମଗ୍ର ବିଶ୍ବବାସୀଙ୍କୁ ଚମତ୍କୃତ କରିଦେଇଥିଲେ। ହେଲେ ସେଠାରୁ ଫେରି ନିଜ ଜନ୍ମଭୂମିରେ ଚୁପ୍‌ଚାପ୍‌ ବସିଛନ୍ତି ଯେ?
ସ୍ବାମୀ ବିବେକାନନ୍ଦଙ୍କ ପାଇଁ ଏହା ଅତୀବ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଥିଲା- କିଛି କରିବା ନିମନ୍ତେ ଆହ୍ବାନ ପ୍ରଦାନକାରୀ ପ୍ରଶ୍ନ। ଶାନ୍ତ ଭାବରେ ଶିଷ୍ୟଙ୍କୁ ବୁଝାଇ ଦେଇଥିଲେ- ‘ପ୍ରଥମେ ଦେଶରେ ସେ ନିମନ୍ତେ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ହେବ। ଭିତ୍ତିଭୂମି ଉପଯୁକ୍ତ ନଥିଲେ ଯେତେ ଯାହା କଲେ ବି ଏହା ଊଷରଭୂମିରେ ବୀଜବପନ ସଦୃଶ ହେବ। ପାଶ୍ଚାତ୍ୟର ଯେଉଁ ଦେଶ କଥା କହି​‌ଲ ସେଠାରେ ବାତାବରଣ ବେଶ୍‌ ଅନୁକୂଳ ଥିଲା। ଅନ୍ନଅଭାବରେ ଦେଶବାସୀଙ୍କ ଦେହ, ମନ ଦୁର୍ବଳ; ରୋଗ, ଦୁଃଖଶୋକରେ ସେମାନେ ପୀଡ଼ିତ। ଏଭଳି ଏକ ପ୍ରତିକୂଳ ସ୍ଥିତିରେ ଭାଷଣରେ ସେମାନଙ୍କର ବା କି ଲାଭ ହେବ?
ପ୍ରଥମେ କିଛି ତ୍ୟାଗୀ, ଉତ୍ସର୍ଗୀକୃତ ମନୋଭାବ ସଂପନ୍ନ କର୍ମୀ ଲୋଡ଼ା ଯେଉଁମାନେ ଶିକ୍ଷାସମାପ୍ତ ପରେ ଘରଘର ବୁଲି, ବିଭିନ୍ନ ସ୍ଥାନ ଭ୍ରମଣ କରି ଲୋକମାନଙ୍କୁ ସେମାନଙ୍କ ଦୁରବସ୍ଥାର କାରଣ ସମ୍ପର୍କରେ ବୁଝାଇବେ। ଏହାସହ ସେମାନଙ୍କୁ ସତ୍ୟ, ଧର୍ମ, ତ୍ୟାଗ, ପରୋପକାରର ମହନୀୟତା ସମ୍ପର୍କରେ ଅବଗତ କରାଇବେ । ତେବେଯାଇ ଏହି ଭୂମିର ଅଧିବାସୀମାନେ ଜାଗ୍ରତ ହେବେ। କାଳ ପ୍ରବାହରେ ଏହିଭଳି ଦେଖାଯାଇଥାଏ। ହେଲେ ଏ ଭୂମି ନାନା ସଂସ୍କାରରେ ଅନୁପ୍ରାଣିତ। ତୁମେ କ’ଣ ଦେଖି ପାରୁନାହଁ ପୂର୍ବ ଦିଗରେ ସିନ୍ଦୂରା ଫାଟିଲାଣି, ସୂ‌େର୍ଯ୍ୟାଦୟ ନିମନ୍ତେ ଆଉ ବେଶୀ ସମୟ ବାକି ନାହିଁ।
ଏବେ ସମୟ ଉପଗତ। ତୁମେମାନେ ଅଣ୍ଟାଭିଡ଼ି ଅଗ୍ରସର ହୁଅ, ଦେଶବାସୀଙ୍କୁ ଜାଗ୍ରତ କର। ଯଦି ଏହା ନକରିପାର, ତେବେ ଧିକ୍‌କାର ତୁମର ଲେଖାପଢ଼ାକୁ। ସେସବୁର କିଛି ମୂଲ୍ୟ ନାହିଁ ବୋଲି ବୁଝିବାକୁ ହେବ। ଆଉ ଆଧ୍ୟାତ୍ମିକ ଜାଗରଣ ନିମନ୍ତେ ତୁମମାନଙ୍କର ଯେଉଁସବୁ ମଠମନ୍ଦିର ଅଛି ତାକୁ ମଧ୍ୟ ଧିକ୍‌କାର କରିବା କଥା। ଏ ଜଗତକୁ ଆସିଛ କିଛି ଦିନପାଇଁ। ଅଳ୍ପ ଦିନର ଅତିଥି, ହେଲେ ଏଠୁ ଗଲାବେଳେ କିଛି ଗୋଟାଏ ଚିହ୍ନ ଛାଡ଼ିଯାଅ ମାଟି ମାଆ ଦେହରେ।’ ସ୍ବାମିଜୀଙ୍କ ମହାପ୍ରୟାଣର ଦୀର୍ଘ ବର୍ଷ ପରେ ମଧ୍ୟ ଏବର ପରିପ୍ରେକ୍ଷୀରେ ତାଙ୍କ ବାଣୀର ଉପଯୋଗିତା ଅନୁଭୂତ ହୁଏ।

kalyan agarbati
Leave A Reply