ଚୀନର ଲେଜର ଆକ୍ରମଣରେ ଆମେରିକାର ଯୁଦ୍ଧ ବିମାନ ପାଇଲଟ ଆହତ
ନୂଆଦିଲ୍ଲୀ: ଦକ୍ଷିଣ ଚୀନ ସାଗରରେ ଆମେରିକା ଓ ଚୀନ ମଧ୍ୟରେ ଶକ୍ତି ପ୍ରଦର୍ଶନର ପ୍ରତିଯୋଗିତା ଆଉ ଏକ ପର୍ଯ୍ୟାୟ ଆଗେଇ ଯାଇଛି। ଏଭଳି ଦେଖିବାକୁ ମିଳିଛି ଆଫ୍ରିକାର ଜିବୁତୀ ଅଞ୍ଚଳରେ। ଏହି ଅଞ୍ଚଳରେ ଆମେରିକାର ଏକ ଯୁଦ୍ଧ ବିମାନ ଉପରେ ଲେଜର ବୀମ୍ ଆକ୍ରମଣ ହୋଇଛି। ଫଳରେ ଉକ୍ତ ବିମାନର ପାଇଲଟ ଆହତ ହୋଇଛନ୍ତି। ଏଭଳି ଘଟଣା ପରେ ଆମେରିକା ସିଧାସଳଖ ଚୀନକୁ ଦାୟୀ କରିଛି। ଏଭଳି କାର୍ଯ୍ୟ ଚୀନ ବ୍ୟାତୀତ ଆନ୍ୟ କେହି କରି ନଥିବେ ବୋଲି ଆମେରିକା ଅଭିଯୋଗ କରିଛି। ଜିବୁତୀଠାରେ ଉଭୟ ଚୀନ ଓ ଆମେରିକାର ମିଲିଟାରୀ ବେସ ରହିଛି। ଗତ ବର୍ଷ ଜୁଲାଇରେ ଚୀନ ଉକ୍ତ ଅଞ୍ଚଳରେ ମିଲିଟାରୀ ବେସ ପ୍ରତିଷ୍ଠା କରିଥିବାବେଳେ ଆମେରିକା ଦୀର୍ଘ ଦିନ ଧରି ଏଠାରେ ନିଜ ବେସ ନିର୍ମାଣ କରିଛି। ଏହା ବ୍ୟତୀତ ଜାପାନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ମିଲିଟାରୀ ବେସ କରିଛି। ତେବେ ପ୍ରଥମ ଥର ପାଇଁ ଚୀନ ଉପରେ ଆମେରିକା ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି। ଲେଜର ବୀମକୁ ଏକ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ଭାବରେ ଆଧୁନିକ ଦେଶଗୁଡ଼ିକ ବ୍ୟବହାର କରୁଥିବାବେଳେ ଚୀନ ମିଲିଟାରୀ ବେସ ଉପରେ ଆମେରିକାର ଯୁଦ୍ଧ ଜାହାଜକୁ ଲେଜର ବିମ ଦ୍ୱାରା ଆକ୍ରମଣ କରାଯାଇ ଥିଲା।
ଆଫ୍ରିକା ମହାଦ୍ୱୀପର ସୀମାନ୍ତରେ ଜିବୁତୀଠାରେ ଆମେରିକାର ଏକ ବଡ଼ ଧରଣର ସେନା ଘାଟି ରହିଛି। ଏଠାରେ ୪ହଜାରରୁ ଊଦ୍ଧ୍ୱର୍ ସେନା ରହିଛନ୍ତି। ସେମାନଙ୍କ ମଧ୍ୟରୁ ସ୍ପେସାଲ ଅପରେସନ ଗ୍ରୁପ ମଧ୍ୟ ସାମିଲ ଅଛି। ଏହି ଘାଟିରୁ ଆମେରିକା ସୋମାଲିଆର ରାଜନୈତି ଅସ୍ଥିରତା ଓ ୟମନର ଗୃହ ଯୁଦ୍ଧ ଉପରେ ନଜର ରଖିଥାଏ। ଉଭୟ ଆମେରିକା ଓ ଚୀନର ସେନା ଘଟି ମଧ୍ୟରେ ଦୂରତା କିଛି କିମି ମଧ୍ୟରେ ରହିଛି। ଆମେରିକାର ଯୁଦ୍ଧ ଜାହାଜ ହେରକୁଲସ ୧୩୦ ଆକାଶ ମାର୍ଗକୁ ଉଡ଼ିବାକୁ ଯାଉଥିବାବେଳେ ହଠାତ୍ ଚୀନ ପକ୍ଷରୁ ଲେଜର ଆକ୍ରମଣ କରାଯାଇ ଥିଲା। ଫଳରେ ପାଇଲଟର ଆଖି ଖରାପ ହେବା ସହ ସେ ଆହତ ମଧ୍ୟ ହୋଇଛନ୍ତି। ଚୀନ ସମ୍ପୃକ୍ତ ଅଞ୍ଚଳରେ ସେନା ଘାଟି ନିର୍ମାଣ କରିବା ପରଠାରୁ ପ୍ରାୟତଃ ଏଭଳି ଭିନ୍ନଭିନ୍ନ ଘଟଣା ଘଟୁଥିବା ଆମେରିକା ଅଭିଯୋଗ କରିଛି। ତେବେ ଆମେରିକାର ଏଭଳି ଅଭିଯୋଗକୁ ଚୀନ ପକ୍ଷରୁ ଖଣ୍ଡନ କରାଯାଇଛି।