କାଠୁଆ ଗଣବଳାତ୍କାରରେ କ୍ରାଇମ ବ୍ରାଞ୍ଚର ତଦନ୍ତକୁ ନେଇ ସନ୍ଦେହ: ବିଜେପି ଜାରି କଲା ଭିଡ଼ିଓ
ନୂଆଦିଲ୍ଲୀ: କାଠୁଆ ଗଣବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ନିଆଯାଇ ଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ବିଜେପି ପକ୍ଷରୁ ଏକ ଭିଡ଼ିଓ ଜାରି କରାଯାଇଛି। ଜମ୍ମୁ କାଶ୍ମୀର ବିଜେପିର ୱେବସାଇଟ ଓ ଟ୍ୱିଟରରେ ଏହି ଭିଡିଓକୁ ସର୍ବସାଧାରଣ କରାଯାଇଛି। କାଠୁଆ ଗଣବଳାତ୍କାର ପରେ ବିଜେପିର କିଛି ବିଧାୟକ ଓ ମନ୍ତ୍ରୀଙ୍କ ଭୂମିକାକୁ ନେଇ ଆଲୋଚନା ହୋଇଥିଲା। ସମ୍ପ୍ରତ୍ତି ପ୍ରକାଶିତ ଭିଡ଼ିଓଟି ଆଇନଜୀବୀ ମୋନିକା ଆରୋରାଙ୍କ କେତେକ ପ୍ରଶ୍ନକୁ ନେଇ ଉତ୍ତୋଳନ କରାଯାଇଛି। ଏଥିରେ ସେ ୮ବର୍ଷିୟା ନାବାଳିକାର ଗଣବଳାତ୍କାର ପରେ କ୍ରାଇମ ବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଉପରେ ଶ୍ରୀମତି ମୋନିକା ସନ୍ଦେହ ପ୍ରକାଶ କରିଛନ୍ତି। କାଠୁଆ ଗଣବଳାତ୍କାର ପରେ ଏହି ଘଟଣାର ସ୍ୱତନ୍ତ୍ର ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରାଯାଇ ଥିଲା। ଏହି ଟିମରେ ଶ୍ରୀମତି ମୋନିକା ଜଣେ ସଦସ୍ୟ। ଏହି ଯାଞ୍ଚ ପ୍ରକ୍ରିୟା ପରେ ଶ୍ରୀମତି ମୋନିକା ଅଭିଯୁକ୍ତଙ୍କ ଗିରଫ ପ୍ରକ୍ରିୟା ଉପରେ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି।
ଜମ୍ମୁ କାଶ୍ମୀର ସରକାରରେ ୨ ମନ୍ତ୍ରୀଙ୍କ ଇସ୍ତଫାର ଏକ ମାସ ପରେ ବିଜେପି ପକ୍ଷରୁ ଏଭଳି ଭିଡ଼ିଓ ଜାରି କରାଯାଇଛି। କାଠୁଆ କାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସପକ୍ଷରେ ବାହାରି ଥିବା ଶୋଭାଯାତ୍ରାରେ ବିଜେପିର ଦୁଇ ମନ୍ତ୍ରୀ ସାମିଲ ହେବା ଅଭିଯୋଗରେ ସେମାନେ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଏହି ଘଟଣାର ସିବିଆଇ ତଦନ୍ତ ଦାବୀ କରାଯାଉ ଥିବାବେଳେ ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତି ସରକାର ରାଜ୍ୟ ପୁଲିସର ତଦନ୍ତକୁ ଉଚିତ ମଣୁଛନ୍ତି। ଏହା ବ୍ୟତୀତ ମାମଲାର ଶୁଣାଣି ଜମ୍ମୁ କାଶ୍ମୀରରୁ ବାହାରେ ଅନ୍ୟ କୌଣସି ରାଜ୍ୟର କୋର୍ଟରେ ଶୁଣାଣି କରିବା ପାଇଁ ସୁପ୍ରିମ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି।
କ’ଣ ରହିଛି ଭିଡ଼ିଓରେ:
ବିଜେପି ପକ୍ଷରୁ ଏହି ଭିଡ଼ିଓରେ କାଠୁଆ ଗଣବଳାତ୍କାର ମାମଲାରେ ବଡ଼ ଖୁଲାସା ବୋଲି ଯୁକ୍ତି ଦର୍ଶାଇଛି। ଆଇନଜୀବୀ ମୋନିକା ଆରୋରା ସଂସଦୀୟ କମିଟିର ସଦସ୍ୟ ଅଟନ୍ତି। ଏହି କମିଟିରେ ନାଗପୁର ପ୍ରାକ୍ତନ ଜିଲା ଜଜ୍ ମୀରା ଖଡ଼କ୍କାର, କାଶ୍ମୀର ସାମ୍ବାଦିକ ସର୍ଜନା ଶର୍ମା, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ସୋନାଲି ଚିତଲକର ଓ ସାମାଜିକ କର୍ମକର୍ତ୍ତା ମୋନିକା ଅଗ୍ରୱାଲଙ୍କ ସମେତ ଆଇନଜୀବୀ ମୋନିକାଙ୍କୁ ସାମିଲ କରାଯାଇ ଥିଲା। ଏହି ଟିମ ସେମାନଙ୍କ ରିପୋର୍ଟ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ପ୍ରଦାନ କରିଛନ୍ତି।
ଟିମ ଅଭିଯୁକ୍ତଙ୍କ ପରିବାରବର୍ଗ ଓ ସେମାନଙ୍କ ଦ୍ୱାରା ନିୟୋଜିତ ଓକିଲଙ୍କ ସହ ଆଲୋଚନା କରିଛି। ଏହା ବ୍ୟତୀତ ଜମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବା ପ୍ରକ୍ରିୟାକୁ ଅଟକାଇ ଥିବା ସଂସ୍ଥାନର ବୟାନ ମଧ୍ୟ ଟିମ୍ ରେକର୍ଡ଼ କରିଛି। ଅବଶ୍ୟ ଟିମ୍ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟି ନାହିଁ। ତେବେ ଏହି ଯାଞ୍ଚ ରିପୋର୍ଟରେ ସିବିଆଇ ତଦନ୍ତର ଆବଶ୍ୟକତାକୁ ସମର୍ଥନ କରାଯାଇଥିବା ସୂଚନା ମିଳିଛି।