ଆଜିଠୁଁ ଐତିହାସିକ ଚତୁର୍ଥ ପାଳି ଆରମ୍ଭ କରିବେ ପୁତିନ୍‌

0

ମସ୍କୋ : ସୋମବାର ରୁଷ୍‌ରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌। ଗତ ମାର୍ଚ୍ଚରେ ଅନୁଷ୍ଠିତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ପୁତିନ୍‌ ରେକର୍ଡ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିବେ ଓ ଆଉ ଛ’ ବର୍ଷ ଯାଏ ରାଷ୍ଟ୍ରପତି ରହିବେ। ସୋଭିଏତ୍‌ ଏକଚ୍ଛତ୍ରବାଦୀ ଶାସକ ଯୋଶେଫ୍‌ ଷ୍ଟାଲିନ୍‌ଙ୍କ ପରେ ପୁତିନ୍‌ ହେଉଛନ୍ତି ଏକମାତ୍ର ନେତା ଯେ କି ଅଦ୍ୟାବଧି ୧୮ବର୍ଷ ଶାସନ କରିସାରିଲେଣି ଏବଂ ୨୦୨୪ ପର୍ଯ୍ୟନ୍ତ ଆଉ ଛ’ ବର୍ଷ ରହିବା ଦ୍ୱାରା ସେ ଏକାଦିକ୍ରମେ ୨୪ବର୍ଷ ଦେଶ ଶାସନ ପୂର୍ବକ ଷ୍ଟାଲିନ୍‌ଙ୍କ ରେକର୍ଡ ଭାଙ୍ଗିବେ। ୨୦୨୪କୁ ସେ ୭୨ବର୍ଷ ବୟସରେ ପଦାର୍ପଣ କରିବେ। ସମ୍ବିଧାନର ସଂଶୋଧନ ବିନା ସେ ପଞ୍ଚମ ଥର ପାଇଁ ରାଷ୍ଟ୍ରପତି ହୋଇପାରିବେ ନାହିଁ। ଅତଏବ ସେ ପର୍ଯ୍ୟନ୍ତ ପୁତିନ ନିରଙ୍କୁଶ ଶାସନ ଉପଭୋଗ କରିବେ। ପୁତିନ୍‌ଙ୍କ କହିବାନୁସାରେ ସେ ୨୦୦୦ ମସିହାଠାରୁ ତାଙ୍କର ଉପଯୁକ୍ତ ଦାୟାଦ ସନ୍ଧାନରେ ଅଛନ୍ତି; କିନ୍ତୁ ପାଉ ନାହାନ୍ତି। ଭବିଷ୍ୟତରେ ରୁଷ୍‌ବାସୀ କାହାକୁ ବାଛିବେ ତାହା ସେମାନଙ୍କ ଉପରେ ନିର୍ଭର କରେ। ବିରୋଧୀମାନେ ଏବେ ପୁତିନ୍‌ଙ୍କୁ ସ୍ୱେଚ୍ଛାଚାରୀ ଶାସକ ଦର୍ଶାଇ ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ନେତୃତ୍ୱରେ ମସ୍କୋ ସମେତ ଦେଶର ୯୦ଟି ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ନିର୍ବାଚନରେ ଆଲେକ୍ସିଙ୍କୁ ବିଭିନ୍ନ ଆଳରେ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ବଞ୍ଚିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ୨୦୦୮ରେ କ୍ଷମତା ଅଦଳବଦଳ କରିଥିଲେ। ସେ ତାଙ୍କ ବିଶ୍ୱସ୍ଥ ଦିମିତି୍ର ମେଦ୍‌ଭେଦେବଙ୍କୁ ରାଷ୍ଟ୍ରପତି ପଦରେ ବସାଇ ନିଜେ ୨୦୧୨ ଯାଏ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପରଠାରୁ ପୁନର୍ବାର ରାଷ୍ଟ୍ରପତି ପଦକୁ ଫେରିବା ସହ ଏହି ପଦରେ ରହି ଆସିଛନ୍ତି।

Leave A Reply