Patra electronics

ଜଙ୍ଗଲ ଜମିରେ ଆଦିବାସୀଙ୍କ ଅଧିକାର

0

ଅକ୍ଷୟ କୁମାର ପାତ୍ର

ଜଙ୍ଗଲକୁ ଧ୍ବଂସମୁଖରୁ ସୁରକ୍ଷା ଦେବା ପାଇଁ ବ୍ରିଟିଶ ଶାସନକାଳରେ ସର୍ବପ୍ରଥମେ ୧୮୭୮ରେ (ଇଣ୍ଡିଆନ ଫରେଷ୍ଟ ଆକ୍ଟ-୭) ବା ଭାରତୀୟ ଜଙ୍ଗଲ ସୁରକ୍ଷା ଆଇନ ପ୍ରଣୟନ କରାଯାଇଥିଲା। ଏହି ଆଇନ ଜରିଆରେ କୌଣସି ଜଙ୍ଗଲକୁ ସଂରକ୍ଷିତ (ରିଜର୍ଭ ଫରେଷ୍ଟ ବା ପ୍ରୋଟେ​‌େ​‌କ୍ଟଡ୍‌ ଫରେଷ୍ଟ)ରେ ପରିଣତ କରିବା ପୂର୍ବରୁ ଜଙ୍ଗଲ ଜମି ବନ୍ଦୋବସ୍ତ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇ ଜନସାଧାରଣଙ୍କ ପାରମ୍ପରିକ ଅଧିକାରକୁ ସୁରକ୍ଷା ଦେବା ଓ ସମସ୍ୟା ସମାଧାନ କରିବା ଆଦି ଅନିବାର୍ଯ୍ୟ ଥିଲା। ୧୮୯୪ ମସିହାରେ ଗ୍ରାମବାସୀଙ୍କର ଜଙ୍ଗଲଜାତ ଦ୍ରବ୍ୟ ଉପରେ ଅଧିକାରକୁ ଆହୁରି କୋହଳ କରିବାର ବ୍ୟବସ୍ଥା କରାଗଲା। ଏହି ନିୟମ ଓ ନୀତିଗୁଡ଼ିକ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶ (ପ୍ରୋଭିନ୍ସ)ରେ ମଧ୍ୟ ପୂର୍ଣ୍ଣମାତ୍ରାରେ ଲାଗୁ କରାଗଲା। ୧୯୩୬ ମସିହାରେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ଜନ୍ମ ନେଲା। ଆଦିବାସୀମାନେ ସେମାନଙ୍କର ଜୀବନଧାରଣ ନିମନ୍ତେ ପାର୍ବତ୍ୟ ଅଞ୍ଚଳଗୁଡ଼ିକରେ ଜଙ୍ଗଲକାଟି ପୋଡୁଚାଷ କରିବାରେ କୌଣସି ପ୍ରତିବନ୍ଧକ ନଥିଲା। ଏହି କ୍ରମରେ ଜଙ୍ଗଲ ପରିସୀମାରେ ସେମାନଙ୍କର ଜନବସତି କ୍ରମେ ସଂପ୍ରସାରିତ ହେଲା ଏବଂ ବସତି ଅଞ୍ଚଳରେ ସ୍ବତ୍ବ ଭାବେ ସେମାନଙ୍କର ବଞ୍ଚି ରହିବାର ଅଧିକାରକୁ ଏକ ପରମ୍ପରା ଭାବେ ସରକାରୀ ଦସ୍ତାବିଜ୍‌ରେ ରେକର୍ଡଭୁକ୍ତ କରାଗଲା। ଉଦ୍ଦିଷ୍ଟ ବସତି ସୀମା ବାହାରେ ମଧ୍ୟ ଅନଧିକାର ଘରବାଡ଼ିର କାୟା ପ୍ରସାରିତ ହେଲା। ଏହି କାର୍ଯ୍ୟକୁ ବନବିଭାଗ କିମ୍ବା ରାଜସ୍ବ ବିଭାଗ କୌଣସି ଗୁରୁତ୍ବ ଦେଲେନାହିଁ, ଫଳତଃ ଅନଧିକାର ଘରବାଡ଼ି, ଜମି ଇତ୍ୟାଦି ସେମାନଙ୍କ ଅଧିକାର ଭାବେ ପରିଗଣିତ ହେଲା। ଏପରି ଆଦିବାସୀ ସମ୍ପ୍ରଦାୟର ଲୋକେ କିମ୍ବା ଅଣ-ଆଦିବାସୀ ତିନିପିଢ଼ି ଧରି ଜଙ୍ଗଲରେ ବସବାସ କରି ନିଜର ଜୀବିକା ଉପାର୍ଜନ କରି ଆସୁଥିବା ଯେକୌଣସି ବ୍ୟକ୍ତିବିଶେଷ ଓ ଗୋଷ୍ଠୀକୁ ୨୦୦୬ ମସିହାରେ ପ୍ରଣୀତ ଜଙ୍ଗଲ ଅଧିକାର ଆଇନ ବଳରେ ଉକ୍ତ ଜଙ୍ଗଲ ଜମିରେ ପାରମ୍ପରିକ ଅଧିକାର ଦେବାର ବ୍ୟବସ୍ଥା କରାଗଲା। ଜଙ୍ଗଲ ଜମିର ସଂଜ୍ଞା ୧୯୮୦ ମସିହା ପୂର୍ବରୁ ନିୟମତଃ ବ୍ୟବହାର କରାଯାଇନଥିଲା। ୧୯୮୦ ମସିହାରେ ଜଙ୍ଗଲ ସଂରକ୍ଷଣ ଆଇନ ପ୍ରଚଳନ ହେବା ପରେ ଜଙ୍ଗଲ ଜମିର ସତ୍ତା ଲିପିବଦ୍ଧ ହେଲା ଓ ସୁପ୍ରିମକୋର୍ଟ ଏହାର ବୈଧତା ଉପରେ ବ୍ୟାଖ୍ୟା କରିଥିଲେ। ଏହି ବ୍ୟାଖ୍ୟା ଅନୁସାରେ ସରକାରୀ ଦସ୍ତାବିଜ୍‌ରେ ଯେକୌଣସି ଜାଗାରେ ଜଙ୍ଗଲ ଥାଉ କି ନ ଥାଉ, ଜଙ୍ଗଲ କିସମ ଭାବେ ଦର୍ଶାଯାଇଥିଲେ କିମ୍ବା କୌଣସି ଅଞ୍ଚଳ ଜଙ୍ଗଲ ପରି ପରିଦୃଶ୍ୟ ହୋଇଥିଲେ ସେହି ଜାଗା ଓ ଅଞ୍ଚଳକୁ ‘ଜଙ୍ଗଲ ଜମି’ର ବୈଧତା ପ୍ରଦାନ କରାଗଲା।
ଜଙ୍ଗଲ ଅଧିକାର ଆଇନ ଅନୁସାରେ ଗ୍ରାମସଭାକୁ ମୂଳ ସମିତି ଭାବେ ଦର୍ଶାଯାଉଛି ଓ ଏହି ସମିତିର ସୁପାରିସ କ୍ରମେ ସମସ୍ତ ଦରଖାସ୍ତ, ସଂଲଗ୍ନ ଦସ୍ତାବିଜ୍‌, ପ୍ରମାଣକୁ ମହକୁମାସ୍ତରୀୟ (ସବ୍‌ଡିଭିଜନାଲ କମିଟି) ତର୍ଜମା କରି ସେମାନଙ୍କର ମତାମତ ଜିଲାସ୍ତରୀୟ କମିଟିକୁ ପଠାଇବା ପରେ ଉପଯୁକ୍ତ ଦରଖାସ୍ତକାରୀ କିମ୍ବା ଗୋଷ୍ଠୀ ସମୂହକୁ ଆଇନତଃ ଅଧିକାର ଦେବାର ବ୍ୟବସ୍ଥା ରହିଛି। ଜିଲାସ୍ତରୀୟ କମିଟି ଦ୍ବାରା ପ୍ରତ୍ୟାଖ୍ୟାତ କରାଯାଇଥିବା ୧୧ଲକ୍ଷ ୯୨ହଜାର ଦରଖାସ୍ତରକାରୀଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ପୁନଃବିଚାର କରି ଚୂଡ଼ାନ୍ତ ତାଲିକା ପ୍ରଦାନ କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରତ୍ୟାଖ୍ୟାତ ହୋଇଥିବା ସମୁଦାୟ ଦରଖାସ୍ତର ୨୦ ପ୍ରତିଶତ ଆମ ଓଡ଼ିଶାର ବୋଲି ପତ୍ରପତ୍ରିକାରେ ପ୍ରକାଶ କରାଯାଇଛି। ଏକ ସାର୍ବଭୌମ ରାଷ୍ଟ୍ରରେ ଆଇନକୁ ଉପଯୁକ୍ତ ସମ୍ମାନ ଦେବା ଓ ପାଳନ କରିବା ସରକାରଙ୍କର ଏକ ସାମ୍ବିଧାନିକ ଦାୟିତ୍ବ ଓ କର୍ତ୍ତବ୍ୟ। ପ୍ରଶ୍ନ ଉଠୁଛି, ଯଦି ଅଗ୍ରାହ୍ୟ କରାଯାଇଥିବା ସମସ୍ତ ଦରଖାସ୍ତକୁ ପୁନଃ ଅନୁଧ୍ୟାନ କରି ପୁଣି କିଛି ଦରଖାସ୍ତକାରୀଙ୍କୁ ସେମାନଙ୍କର ଅଧିକାର ଦିଆଯାଏ, ତେବେ ଯେଉଁ ଦରଖାସ୍ତଗୁଡ଼ିକ ପୁଣି ଅଗ୍ରାହ୍ୟ ହେବ, ଉକ୍ତ ଦରଖାସ୍ତକାରୀଙ୍କୁ କ’ଣ ଉଚ୍ଛେଦ କରାଯିବ ନାହିଁ ? ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାର ଏହାର ବିରୋଧ କରିବା ଉଚିତ ହେବ ନାହିଁ; ବରଂ ସୁଚିନ୍ତିତ ପଦକ୍ଷେପ ନିମ୍ନମତେ ନେବାର ବ୍ୟବସ୍ଥା କରିବା ଗ୍ରହଣୀୟ ହେବ।
କେତେକ ବିଶେଷଜ୍ଞଙ୍କ ମତରେ ଏହି ଆଇନକୁ ତର୍ଜମା କରି କୁହାଯାଉଛି ଯେ, ଜଙ୍ଗଲ ଅଧିକାର ଆଇନର ଉଚ୍ଛେଦ କରିବାର କୌଣସି ବ୍ୟବସ୍ଥା ନାହିଁ। ଏହା ଏକ ଭୁଲ୍‌ ଧାରଣା, କାରଣ ଯେଉଁ ଦରଖାସ୍ତକାରୀଙ୍କ (ଆଦିବାସୀ ହୁଅନ୍ତୁ କି ଅଣ-ଆଦିବାସୀ ହୁଅନ୍ତୁ) ଦରଖାସ୍ତ ପ୍ରତ୍ୟାଖ୍ୟାତ ହୋଇଛି, ସେମାନେ ନିୟମତଃ ଜଙ୍ଗଲ ଜମିରେ ଅନୁପ୍ରବେଶକାରୀ ଭାବେ ଦୋଷୀ ଓ ଦଣ୍ଡନୀୟ। ସେମାନଙ୍କୁ ଜଙ୍ଗଲ ଜମିରୁ ଓଡ଼ିଶା ଜଙ୍ଗଲ ଆଇନ ୧୯୭୨ର ଉଦ୍ଦିଷ୍ଟ ଧାରା ଅନୁଯାୟୀ ଉଚ୍ଛେଦ କରିବାର ବ୍ୟବସ୍ଥା ରହିଛି। ତେଣୁ ସେମାନଙ୍କୁ ଉଚ୍ଛେଦ କରିବାରେ ଆଇନତଃ କୌଣସି ଭୁଲ୍‌ ହେବନାହିଁ; କିନ୍ତୁ ମାନବିକତା ଦୃଷ୍ଟିକୋଣରୁ ହୁଏତ ସେମାନଙ୍କ ମଧ୍ୟରେ ପ୍ରକୃତରେ କେହି କେହି ବାସହୀନ ଆଦିବାସୀ ଦରଖାସ୍ତକାରୀ ଥିଲେ, ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ଏକ ଜନମଙ୍ଗଳ ରାଷ୍ଟ୍ରର ପ୍ରଧାନ କର୍ତ୍ତବ୍ୟ।
ଯଦି ୪୫ଲକ୍ଷ ଗରିବ ଚାଷୀଙ୍କୁ ସରକାର କୋଟିକୋଟି ଟଙ୍କା ସହାୟତା ଦେଇପାରୁଛନ୍ତି, ତେବେ ପ୍ରାୟ ଦୁଇଲକ୍ଷ ଦରଖାସ୍ତକାରୀଙ୍କୁ ସହାୟତା ଦେବାରେ କୌଣସି ତ୍ରୁଟି ହେବନାହିଁ। ଅନ୍ୟତ୍ର ଏହି ବ୍ୟବସ୍ଥା ଅନୁସାରେ ରାଜ୍ୟ ସରକାର ଆଇନକୁ ସମ୍ମାନ ଦେଇପାରିବେ ଓ ଆଦିବାସୀମାନେ ଜଙ୍ଗଲ ଜମିରେ ଅବହେଳିତ ଭାବେ ବଞ୍ଚିବା ଅପେକ୍ଷା ପୁନଃବସତି ଗ୍ରାମରେ ଉନ୍ନତମାନର ଜୀବନ ଅତିବାହିତ କରିପାରିବେ। ଏପରି ବ୍ୟବସ୍ଥାକୁ ଯଥାଶୀଘ୍ର ବିଚାର କରିବା ବାଞ୍ଝନୀୟ।
ଏଚ୍‌ଆଇଜି-୨୬୭, କଳିଙ୍ଗବିହାର, ଭୁବନେଶ୍ବର-୧୯

Leave A Reply