ରାମନାଗୁଡା : ରାୟଗଡା ଜିଲ୍ଲାରେ ଶୂନ୍ୟ ମୃତ୍ୟୁ ସପ୍ତାହରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା କଡାକଡି ଭାବେ ଯାଞ୍ଚ କରିବା ପାଇଁ ବିଭିନ୍ନ ଥାନାକୁ କଡା ନିର୍ଦ୍ଦେଶ ଦେଇଥିଲେ। ରାୟଗଡା ଜିଲ୍ଲା ରାମନାଗୁଡା ଥାନା ସଦର ମହକୁମାର ବାଙ୍ଗି ଛକ, ଚାକୁଣ୍ଡା, ବ୍ଲକ ଛକ, ରାମନାଗୁଡା ମୁଖ୍ୟ ବଜାର ଛକ, କାରିଣୀଗୁଡ଼ା ଛକ, ତାଣ୍ଡିକଣା ଛକ ଆଦି ବିଭିନ୍ନ ଛକ ମାନଙ୍କରେ ବ୍ଲକ ପ୍ରଶାସନ ଓ ପୁଲିସ ପ୍ରଶାସନ ମିଳିତ ଭାବେ ଦିନରାତି ୨୪ ଘଣ୍ଟିଆ ହେଲମେଟ, ଗାଡ଼ି କାଗଜପତ୍ର ଯାଞ୍ଚ, ଓଭର ଲୋଡିଙ୍ଗ, ଗାଡ଼ିରେ ଅତ୍ୟଧିକ ଯାତ୍ରୀ ନେବା, ନିଶା ସେବନ କରି ଗାଡି ଚଳାଇବା,ବାଇକରେ ତିନି ଜଣ ବସିବା, ହେଲମେଟ ନପିନ୍ଧିବା, ସିଟ ବେଲ୍ଟ ନଲଗାଇବା ଭଳି ଦୋଷ କରୁଥିବା ଅମାନିଆ ଗାଡ଼ି ଚାଳକ ମାନଙ୍କୁ ଜରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସେହିପରି ରାସ୍ତା କଡରେ ମନଇଚ୍ଛା ଗାଡ଼ି ପାର୍କିଂ କରୁଥିବା ଗାଡି ଚାଳକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ତେବେ ରାୟଗଡା ଜିଲ୍ଲା ରାମନାଗୁଡ଼ା ପୁଲିସ ପକ୍ଷରୁ ରାମନାଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ସମସ୍ତ ପ୍ରକାର ଯାନବାହନ କଡାକଡି ଭାବେ ଯାଞ୍ଚ କରାଯାଇଥିଲା। ରାମନାଗୁଡା ଥାନା ଅଧିକାରୀ ସୁଶ୍ରୀ ସୁନିତା ବେହେରାଙ୍କ ନେତୃତ୍ୱରେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁଙ୍କ ସମେତ ତହସିଲ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ସହ ଥାନା ଏସଆଇ ବାବୁଲା ପ୍ରଧାନ, ଏଏସଆଇ ପୃଥ୍ୱୀରାଜ ଝଙ୍କାର, ଏଏସଆଇ ଜଗନ୍ନାଥ ବେହେରାଙ୍କ ସହ ସଦଳବଳେ ରାୟଗଡା ଏବଂ ମୁନିଗୁଡ଼ା ଠାରୁ ଗୁଣୁପୁର ଓ ବ୍ରହ୍ମପୁରକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ଛକ ମାନଙ୍କରେ ଉପସ୍ଥିତ ରହି ସମସ୍ତ ପ୍ରକାର ବାଇକ, ଭ୍ୟାନ, ଟ୍ରକ, ବସ, କାର, ଭଳି ଚାରି ଚକିଆ ଗାଡ଼ି କୁ ଅଟକାଇ ହେଲମେଟ, ସିଟ ବେଲ୍ଟ, ଡ୍ରାଇଭିଂ ଲାଇସେନ୍ସ ସହ ଗାଡି ର କାଗଜପତ୍ର କଡାକଡି ଭାବେ ଯାଞ୍ଚ କରାଯାଇଥିଲା। ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ୮ ଟି ବାଇକ ଏବଂ ଗୋଟିଏ ହାଇୱା ଜବତ କରାଯାଇଛି, ୧୫ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରି ଜରିମାନା ଆଦାୟ କରିଥିବା ବେଳେ ୩ ଜଣ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚାଳନା କରୁଥିବା ଅଭିଯୋଗରେ ଜରିମାନା ଆଦାୟ କରାଯାଇଛି । ସେହିପରି ୬୯ ଜଣଙ୍କ ଠାରୁ ବିନା ହେଲମେଟରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ନିକଟରୁ ୬୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସିଟ ବେଲ୍ଟ ବ୍ୟବହାର ନକରି ୬୯ ଜଣଙ୍କ ଠାରୁ ୬୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ଏବଂ ୫ ଜଣ ନାବାଳକଙ୍କ ପାଇଁ ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ପଡିଥିବା ଜଣାପଡ଼ିଛି । ରାମନାଗୁଡା ଥାନାରେ ଏହି ଯାଞ୍ଚ ସମୟରେ ୩ ଲକ୍ଷ ୮୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ରାମନାଗୁଡା ଥାନା ପକ୍ଷରୁ ସୂଚନା ମିଳିଛି।
Comments are closed.