ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଜନସଚେତନତା କାର୍ଯ୍ୟକ୍ରମ

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଧାଇପୁର ପଞ୍ଚାୟତର ଗଦାଧରପୁର ଗ୍ରାମରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧୀକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ପରାମର୍ଶକ୍ରମେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ସ୍ୱାସ୍ଥ୍ୟ ହିଁ ସଂପଦ ଏବଂ ଆମ ସ୍ୱାସ୍ଥ୍ୟ ଆମ ହାତରେ ରହିଛି ବୋଲି କହିଥିଲେ। ଏଥିସହ ସୁସ୍ଥ ରହିବା ଲାଗି ଏକ ସୁସ୍ଥ ପରିବେଶ ଓ ସଚେତନତା ଲୋଡାବୋଲି ସେ ମତବ୍ୟକ୍ତ କରିଥିଲେ। ଚଳିତବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ରହିଛି ‘ଉତ୍ତମ ସ୍ୱାସ୍ଥ୍ୟ ସଭିଙ୍କ ପାଇଁ ’। ରାଜ୍ୟ ସରକାର ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇ ସବୁ ଶ୍ରେଣୀର ଲୋକଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ବିନାମୂଲ୍ୟରେ ପରାମର୍ଶ, ପରୀକ୍ଷା, ଚିକିତ୍ସା, ଔଷଧ ବିତରଣ, ଖାଦ୍ୟ ଓ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ଏଥି ସହିତ ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ମଧ୍ୟ ଯୋଗାଇ ଦେବା ସହ ଦୁର୍ଗମ ଅଞ୍ଚଳର ରୋଗୀଙ୍କ ପାଇଁ ବାୟୁ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ବିଶେଷଜ୍ଞ ଡାକ୍ତରଙ୍କୁ ପଠାଇ ସେବା ଯୋଗାଇ ଦିଆଯାଉଥିବା ଶ୍ରୀ ଅସଲମ କହିଥିଲେ। ନିଜ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଜନସାଧାରଣ ସଚେତନ ହେବା ସହ ସବୁ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌ ବୋଲି ସେ ଗୁରୁତ୍ୱାରୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ବିଜୟ କୁମାର ଜେନା, ସିଏଚଓ ଜ୍ୟୋସ୍ନାରାଣୀ ମହାନ୍ତି, ଅଙ୍ଗନବାଡିି କର୍ମୀ ଶୁଭଲକ୍ଷ୍ମୀ ରାଉତ, ଆଶାକର୍ମୀ ପୁଷ୍ପଲତା ସାହୁଙ୍କ ସମେତ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦେଇ ଏକ ସଚେତନତା ଶୋଭାଯାତ୍ରାରେ ଗଦାଧରପୁର ଗ୍ରାମ ପରିକ୍ରମା କରିଥିଲେ।

Comments are closed.