ଗୋପବନ୍ଧୁ ନର୍ସିଂ କଲେଜ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ
ଗୁରୁଡିଝାଟିଆ : ସ୍ୱାସ୍ଥ୍ୟ ହିଁ ସମ୍ପଦ । ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଅପରିହାର୍ଯ୍ୟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି “ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ” ଶୀର୍ଷକ ବିଷୟବସ୍ତୁକୁ ନେଇ ଗୋପବନ୍ଧୁ ନର୍ସିଂ କଲେଜର ସେବିକା ବିଦ୍ୟାର୍ଥୀମାନଙ୍କ ଦ୍ବାରା ଜେ କେ ଲକ୍ଷ୍ମୀ ସିମେଣ୍ଟ କାରଖାନା ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଧିକାରୀମାନଙ୍କ ପର୍ଯ୍ୟନ୍ତ ଯେଉଁ ଯେଉଁ ସ୍ୱାସ୍ଥ୍ୟ ସଂପର୍କିତ ସମାସ୍ୟାରେ ସମ୍ମୁଖିନ ହେଉଛନ୍ତି ତାହାର ଉତ୍ତମ ସମାଧାନ ତଥା କିପରି ସୁସ୍ଥ ଓ ନିରାମୟ ରହିପାରିବେ ତାହାକୁ ନେଇ ଗୋପବନ୍ଧୁ ନର୍ସିଂ କଲେଜର ଅଧ୍ୟାପକ ଦେବାଶିଷ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଚେତନତାଧର୍ମୀ ନାଟକ ପ୍ରଦର୍ଶନ କରାଯାଇଥିଲା। ଯାହାକି ଉପସ୍ଥିତ କର୍ମଚାରୀଙ୍କ ହୃଦୟକୁ ଛୁଇଁଥିଲା । ଏହି କାର୍ଯ୍ୟକ୍ରମକୁ କାରଖାନାର ମୁଖ୍ୟ ଗିରୀଶ ତିୱାରୀ ଉଦଘାଟନ କରି ସୁସ୍ଥବାନ ସବୁ କ୍ଷେତ୍ରରେ ଶ୍ରେଷ୍ଠ ହୋଇ ପାରିଥାଏ ବୋଲି କହିବା ସହ ନର୍ସିଂ ବିଦ୍ୟାର୍ଥୀଙ୍କ ଏଭଳି ସଚେତନତା ବାସ୍ତବିକ ପ୍ରଂଶସନୀୟ ବୋଲି କହିଥିଲେ। କାରଖାନାର ପାରିପାର୍ଶ୍ବିକ ଉନ୍ନୟନ ଅଧିକାରୀ ସୁଶିଲ କୁମାର ରାଉତ, ଗୋପବନ୍ଧୁ ଚିକିତ୍ସାଳୟର ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର ଓ ନର୍ସିଂ କଲେଜର ଅଧ୍ୟାପକ, ଅଧ୍ୟାପିକାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଭାବେ ଶିକ୍ଷାନୁଷ୍ଠାନ ପରିସରରେ ସ୍ୱାସ୍ଥ୍ୟ ସଂପର୍କିତ ପ୍ରାଚୀର ପତ୍ର ପ୍ରଦର୍ଶିତ କରାଯାଇ ଶ୍ରେଷ୍ଠ ପ୍ରାଚୀର ପତ୍ରକୁ ପୁରସ୍କୃତ କରାଯାଇଥିଲା। ଶେଷରେ ଅଧ୍ୟାପକ ଆକାଶଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.