ବିଶ୍ବକପ: ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଲା ଭାରତ
ଧର୍ମଶାଳା : ବିଶ୍ବକପ କ୍ରିକେଟରେ ଭାରତ ପୁଣି ଅପରାଜେୟ। ଚଳିତ ବିଶ୍ବକପରେ ଭାରତର ଲଗାତାର ପଞ୍ଚମ ବିଜୟ ହାସଲ କରିଛି। ଧର୍ମଶାଳାରେ ଅନୁଷ୍ଠିତ ଆଇସିସି ବିଶ୍ବକପର ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ଦେଇଛି ଭାରତ। ୨୦୦୩ ପରେ ପ୍ରଥମ ଥର ପାଇଁ ବିଶ୍ବକପରେ ଭାରତଠାରୁ ପରାଜୟ ବରଣ କରିଛି ନ୍ୟୁଜିଲାଣ୍ଡ। ଏହି ବିଜୟ ସହ ବିଶ୍ବକପ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଭାରତ। ଧର୍ମଶାଳାରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଛି ଭାରତ। ନ୍ୟୁଜିଲାଣ୍ଡର ସ୍କୋର ୫୦ ଓଭରରେ ୨୭୩ରନ ରହିଥିଲାବେଳେ ଭାରତର ସ୍କୋର ୪୮ ଓଭରରେ ୨୭୪/୬ ରହିଥିଲା।
ବିଜୟ ପାଇଁ ନ୍ୟୁଜିଲାଣ୍ଡ ଭାରତ ଆଗରେ ୨୭୪ ରନର ଟାର୍ଗେଟ ରଖିଥିଲା। ୨୭୪ରନ ବିଜୟ ଲକ୍ଷ୍ୟର ପିଛା କରି ଭାରତ ପକ୍ଷରୁ ରୋହିତ ଶର୍ମା ( ୪୬ ରନ) ଓ ଶୁଭମନ ଗିଲ (୨୬ରନ) ଭଲ ଆରମ୍ଭ କରିଥିଲେ। କିନ୍ତୁ ମଧ୍ୟକ୍ରମରେ ବ୍ୟାଟିଂ ପତନ ପରେ ଟିମ ଇଣ୍ଡିଆ ଚାପକୁ ଆସିଯାଇଥିଲା । କିନ୍ତୁ ବିରାଟ କୋହଲି ପୁଣି ଥରେ ଟିମ ଇଣ୍ଡିଆ ପାଇଁ ସଂକଟ ମୋଚକ ସାଜିଥିଲେ । ସେ ୯୫ ରନ କରି ଭାରତୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଶ୍ରେୟସ ଆୟର ୩୩ ରନ କରିଥିବାବେଳେ କେଏଲ ରାହୁଲ ୨୭ରନ କରିଥିଲେ । ରବୀନ୍ଦ୍ର ଜାଦେଜା (୩୫ ରନ) ଚୌକା ମାରି ଦଳ ପାଇଁ ବିଜୟ ଆଣିଦେଇଥିଲେ। ତେବେ ୫ ୱିକେଟ ନେଇଥିବା ମହମ୍ମଦ ସାମିଙ୍କୁ ଆଜି ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା।
ଆଜି ପର୍ଯ୍ୟନ୍ତ ଭାରତ ଓ ନ୍ୟୁଜିଲାଣ୍ଡ ସବୁ ମ୍ୟାଚରେ ବିଜୟୀ ହୋଇଛନ୍ତି। ଦୁଇଦଳ ମଧ୍ୟରେ କଡ଼ା ମୁକାବିଲା ପରିଲକ୍ଷିତ ହୋଇଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ସ୍ଥିତିକୁ ମଜଭୁତ କରିବାରେ ସଫଳ ହୋଇଥିଲା ନ୍ୟୁଜିଲାଣ୍ଡ। ଆଜି ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଅସିଥିବା ନ୍ୟୁଜିଲାଣ୍ଡ ଦଳର ଷ୍ଟାର ଓପନର ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲେ। ନ୍ୟୁଜିଲାଣ୍ଡର ସ୍କୋର ୯ ଥିବାବେଳେ ଦେଭନ କନୱେ ୯ଟି ବଲ ଖେଳି କୌଣସି ରନ ନ କରି ପ୍ୟାଭିଲିଅନକୁ ଫେରି ଯାଇଥିଲେ। ଏହାପରେ ଦଳୀୟ ସ୍କୋର ୧୯ଥିବାବେଳେ ମହମ୍ମଦ ସାମିଙ୍କ ବଲରେ ଆଉଟ ହୋଇଯାଇଥିଲେ ୱିଲ ୟଙ୍ଗ। ଆରମ୍ଭରୁ ୨ଟି ଓ୍ବିକେଟ ହରାଇ ସଂକଟର ସମ୍ମୁଖୀନ ହୋଇଥିଲା ନ୍ୟୁଜିଲାଣ୍ଡ । ଦଳୀୟ ସ୍କୋର ୧୯ ରନ ହୋଇଥିବାବେଳେ ଦଳ ଦୁଇ ଓପନର ଦେୱନ କନୱେ ଓ ୱିଲ ୟଙ୍ଗଙ୍କ ୱିକେଟ ହରାଇଥିଲା । କିନ୍ତୁ ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ର ଓ ଡାରିଲ ମିଚେଲ ଲଢୁଆ ବ୍ୟାଟିଂ ଦଳକୁ ସଂକଟରୁ ଉଦ୍ଧାର କରିଥିଲା ଏବଂ ସେମାନେ ଦୁହେଁ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ। ମିଚେଲ ବିସ୍ଫୋରକ ବ୍ୟାଟିଂ କରି ୧୩୦ ରନ କରିଥିଲେ ଓ ଶେଷ ଓଭରରେ ମହମ୍ମଦ ସାମିଙ୍କ ବଲରେ ଆଉଟ ହୋଇଥିଲେ। ସେହିପରି ରବୀନ୍ଦ୍ର ୭୫ ରନ କରିଥିଲେ।
ଭାରତୀୟ ବୋଲରମାନେ ଭଲ ବୋଲିଂ କରି ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ଓ ନିମ୍ନକ୍ରମକୁ ସହଜରେ ଆଉଟ କରିବାରେ ସଫଳ ହୋଇଥିଲେ । ଫଳରେ ନ୍ୟୁଜିଲାଣ୍ଡ ୨୭୩ ରନରେ ଅଲଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ମହମ୍ମଦ ସମୀ ୫ଟି ୱିକେଟ ନେଇଥିଲେ । ସେହିପରି କୂଳଦୀପ ଯାଦବ ୨ଟି ଏବଂ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
Comments are closed.