ମହିଳା ହକି ସିରିଜ୍: ପ୍ରଥମ ମ୍ୟାଚ୍ ଜିତିଲା ଭାରତ
କୁଆଲାଲୁମ୍ପୁର : ସହଜ ବିଜୟ ସହ ଭାରତୀୟ ସିନିୟର ମହିଳା ହକି ଦଳ ମାଲେସିଆ ଗସ୍ତ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ରେ ଘରୋଇ ମାଲେସିଆକୁ ଗୁରୁବାର ୩-୦ ଗୋଲ୍ରେ ଭାରତ ପରାସ୍ତ କରିଛି। ଏହି ବିଜୟ ଫଳରେ ୫ ମ୍ୟାଚ୍ର ହକି ସିରିଜ୍ରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି। ୬ରେ ମାଲେସିଆ ବିପକ୍ଷରେ ଭାରତ ୨ୟ ମ୍ୟାଚ୍ ଖେଳିବ।
ଦୁର୍ବଳ ମାଲେସିଆ ବିପକ୍ଷରେ ଆଶା ଅନୁସାରେ ଭାରତୀୟ ମହିଳା ଦଳ ଏହି ମ୍ୟାଚ୍ରେ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ତେବେ ୩ୟ ମିନିଟରେ ଭାରତୀୟ ଡିଫେଣ୍ଡରଙ୍କ ତ୍ରୁଟି ଯୋଗୁଁ ମାଲେସିଆକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଭାରତୀୟ ଗୋଲ୍ରକ୍ଷକ ସବିତା ରୋକି ଦେଇଥିଲେ। ୫ ମିନିଟରେ ଭାରତର ଲାଲରେମ୍ସିଆମି ଓ ୭ ମିିନିଟରେ ନବନୀତ କୌର ଗୋଲ୍ଦେବାର ସୁଯୋଗ ପାଇଥିଲେ ହେଁ ଏଥିରେ ବିଫଳ ହୋଇଥିଲେ। ୯ ମିନିଟରେ ଭାରତର ପେନାଲ୍ଟି କର୍ଣ୍ଣର ମଧ୍ୟ ବେକାର ହୋଇଥିଲା। ୧୭ ମିନିଟରେ ଭାରତୀୟ ଆକ୍ରମଣରୁ ପ୍ରଥମ ଗୋଲ୍ ହୋଇଥିଲା। ଅଭିଜ୍ଞ ବନ୍ଦନା କାଟାରିୟା ଏହି ଗୋଲ୍ଟି ଦେଇଥିଲେ। ଏହି ଗୋଲ୍ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲା। ତେବେ ମଧ୍ୟାନ୍ତର ପର୍ଯ୍ୟନ୍ତ ଆଉ ଗୋଲ୍ ହୋଇନଥିଲା। ଦ୍ବିତୀୟାର୍ଦ୍ଧରେ ଭାରତ ଅଧିକ ଆକ୍ରମଣାତ୍ମକ ଖେଳିଥିଲା। ୩୮ ମିନିଟରେ ଲାଲରେମ୍ସିଆମି ଭାରତ ପାଇଁ ୨ୟ ଗୋଲ୍ ଦେଇଥିଲେ। ୪ର୍ଥ କ୍ବାର୍ଟରରେ ଭାରତୀୟ ଖେଳାଳି ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିବାର ପ୍ରୟାସ କରିଥିଲେ। ଫଳରେ ମାଲେସିଆ ଗୋଲ୍ ସୁଝାଇବାର ମଉକା ପାଇନଥିଲା। ମ୍ୟାଚ୍ର ଅନ୍ତିମ ମିନିଟରେ ଭାରତ ୩ୟ ଗୋଲ୍ ଦେଇଥିଲା। ୬୦ ମିନିଟରେ ବନ୍ଦନା କାଟାରିୟା ବ୍ୟକ୍ତିଗତ ୨ୟ ଏବଂ ଦଳ ପାଇଁ ୩ୟ ଗୋଲ୍ ସ୍କୋର୍ କରିଥିଲେ।
Comments are closed.