ମହିଳା କ୍ରିକେଟ ବିଶ୍ବକପ: ଅଷ୍ଟ୍ରେଲିଆର ୨ୟ ବିଜୟ
ମାଉଣ୍ଟ ମଙ୍ଗାନୁଇ : ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ବକପରେ ଅଷ୍ଟ୍ରେଲିଆ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ଖେଳା ଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୭ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ୨ଟି ମ୍ୟାଚରୁ ୨ଟି ବିଜୟ ସହ ୪ ପଏଣ୍ଟ ପାଇଥିବାବେଳେ ପାକିସ୍ତାନ କ୍ରମାଗତ ୨ୟ ପରାଜୟ ବରଣ କରିଛି। ପାକିସ୍ତାନ ବିଜୟ ପାଇଁ ଅଷ୍ଟ୍ରେଲିଆ ସମ୍ମୁଖରେ ୧୯୧ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଅଷ୍ଟ୍ରେଲିଅା ୩୪.୪ ଓଭର ଖେଳି ୩ ୱିକେଟରେ ୧୯୩ରନ କରି ବିଜୟୀ ହୋଇଥିଲା। ଆଲିସା ହେଲି ୭୨, ରିଚେଲ ହେନ୍ସ ୩୪, ଅଧିନାୟିକା ମେଗ୍ ଲେନିଙ୍ଗ ୩୫ରନ କରି ଆଉଟ୍ ହୋଇଥିବାବେଳେ ଏଲିସା ପେରି ୨୬ ଓ ବେଥ ମୁନି ୨୩ରନ କରି ଅପରାଜିତ ଥିଲେ। ପାକିସ୍ତାନର ଓମାଇମା ସୋହେଲେ ୨ଟି ୱିକେଟ ନେଇଥିଲେ।
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୪ ରନରେ ୪ଟି ୱିକେଟ ହରାଇଥିଲା। ସିଦ୍ରା ଅମିନ ୨, ନାହିଦା ଖାନ ୯, ଓମାଇମା ସୋହେଲ ୧୨ ଓ ନିଦା ଦର ୫ରନ କରି ଆଉଟ୍ ହୋଇଥିଲେ। ପଞ୍ଚମ ୱିକେଟରେ ଅଧିନାୟିକା ବିସ୍ମା ମାରୁଫ ଓ ଆଲିଆ ରିଆଜ ୯୯ରନ ଯୋଡ଼ି ସ୍ଥିତିକୁ ସମ୍ଭାଳିଥିଲେ। ଆଲିଆ ୫୩ରନ କରି ଆଉଟ୍ ହୋଇଥିଲେ। ଷଷ୍ଠ ୱିକେଟରେ ମାରୁଫ ଓ ଫତିମା ସାନା ୩୩ରନ ଯୋଗ କରିଥିଲେ। ଫତିମା ୧୪ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡକୁ ମାରୁଫଙ୍କ ଅପରାଜିତ ୭୮ରନ ସହାୟତାରେ ପାକିସ୍ତାନ ୫୦ ଓଭର ଖେଳି ୬ ୱିକେଟରେ ୧୯୦ ରନ କରିଥିଲା। ମାରୁଫ ୧୨୨ଟି ବଲରୁ ୮ଟି ଚୌକା ସହ ୭୮ରନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଲେନ୍ କିଙ୍ଗ ୨ଟି ୱିକେଟ ନେଇଥିଲେ। ଆଲିସା ହେଲି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
Comments are closed.