ଜାନୁଆରୀ ୮ରେ ପଶ୍ଚିମବଙ୍ଗ ରଥଯାତ୍ରା ଉପରେ ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବିଜେପିର ପ୍ରସ୍ତାବିତ ‘ରଥଯାତ୍ରା’ର ରଥ ଆଗକୁ ଗଡି ପାରୁନାହିଁ। ଏହି କାର୍ଯ୍ୟକ୍ରମ ବିରୋଧରେ କଲିକତା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି ନିମନ୍ତେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତୀ ରଞ୍ଜନ ଗୋଗୋଇ ଓ ବିଚାରପତି ଏସ୍. କେ. କାଉଲଙ୍କ ପୀଠ ଗୁରୁବାର ସହମତି ପ୍ରକାଶ କରିଥିଲେ ମଧ୍ୟ ଶୁଣାଣି ତାରିଖ ଜାନୁଆରୀ ୮କୁ ଧାର୍ଯ୍ୟ କରିଛନ୍ତି। ଫଳରେ କାର୍ଯ୍ୟକ୍ରମର ଶୁଭାରମ୍ଭ ନେଇ ଅନିଶ୍ଚିତତା ଲାଗି ରହିଛି। ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ୪୨ଟି ନିର୍ବାଚନ ମଣ୍ଡଳୀରେ ବିଜେପି ରଥଯାତ୍ରା କରି ଜନତାଙ୍କ ନିକଟରେ ପହଞ୍ଚିବାକୁ ଯୋଜନା କରିଥିଲା। ମାତ୍ର ବିଜେପିର ଏହି ରଥଯାତ୍ରା ଯୋଗୁ ପଶ୍ଚିମବଙ୍ଗରେ ଅଶାନ୍ତ ପରିବେଶ ସୃଷ୍ଟି ହେବାର ଆଶଙ୍କା ଥିବା ଦର୍ଶାଇ ରାଜ୍ୟ ସରକାର ଏହାକୁ ଅନୁମତି ଦେବାକୁ ମନା କରିଥିଲେ। ମାମଲା କୋର୍ଟରେ ପହଞ୍ଚିବା ପରେ କଲିକତା ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହାକୁ ଅନୁମତି ପ୍ରଦାନ କରିଥିଲେ। ମାତ୍ର ପରେ ହାଇକୋର୍ଟ ଜଣିକିଆ ଖଣ୍ଡପୀଠର ନିର୍ଦେଶକୁ ନାକଚ କରି ରଥଯାତ୍ରା ପାଇଁ ଅନୁମତି ପ୍ରଦାନ ନ କରିବାକୁ ରାୟ ଦେଇଥିଲେ। ଏହି ରାୟ ବିରୋଧରେ ଡିସେମ୍ବର ୨୧ରେ ବିଜେପି ସର୍ବୋଚ୍ଚ ଅଦାଲତର ଆଶ୍ରୟ ନେଇଥିଲା।