ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ମାମଲା : ୯ରେ ପ୍ରକାଶ ପାଇବ ସୁପ୍ରିମକୋର୍ଟ ରାୟ

0

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ମାମଲାରେ ସୁପ୍ରିମକୋର୍ଟ ଚଳିତମାସ ୯ରେ ରାୟ ପ୍ରକାଶ କରିବେ ବୋଲି ଜଣାପଡିଛି। ଏହି ନିର୍ବାଚନକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଥିଲା। ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦାଖଲ କରିବାର ସୁଯୋଗ ଦିଆଯାଇନଥିଲା ବୋଲି ପିଟିସନରେ ଅଭିଯୋଗ ହୋଇଥିଲା। ଜଷ୍ଟିସ ଆର.କେ.ଅଗ୍ରୱାଲ ଓ ଜଷ୍ଟିସ ଏ.ଏମ.ସାପ୍ରେଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ମାମଲାର ଶୁଣାଣି କରିବା ସହ ୯ରେ ରାୟ ଶୁଣାଇବେ ବୋଲି କହିଛନ୍ତି।
ମେ’ ୧, ୩ ଓ ୫ରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ମେ’ ୮ରେ ଭୋଟଗଣତି ହେବ। ପ୍ରାର୍ଥୀପତ୍ର ଦାଖଲ ଓ ପ୍ରତ୍ୟାହାରର ଶେଷ ତାରିଖ ଯଥାକ୍ରମେ ଏପ୍ରିଲ ୯ ଓ ୧୧କୁ ଧାର୍ଯ୍ୟ କରାଯାଇଛି। ଅଭିଯୋଗ ଅନୁଯାୟୀ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସବୁ ବିଡିଓଙ୍କୁ ସହକାରୀ ପଞ୍ଚାୟତ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଛି। ତେବେ ବିଡିଓମାନେ କୌଣସି ବିଜେପି ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦେଉନଥିବାରୁ ସେଠାରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଏହାକୁ କେନ୍ଦ୍ରକରି ଅନେକ ସ୍ଥାନରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡିଛି।

Leave A Reply