ଚାଷୀ-ମିଲର ବିବାଦ ତୁଟିଲା, କୁଲାଇଲୋ ମଣ୍ଡିରୁ ଧାନ ଉଠିଲା
ଆଠଗଡ : ଚାଷୀ ମିଲର ବିବାଦ ତୁଟିଲା, କୁଲାଇଲୋ ମଣ୍ଡିରୁ ଧାନ ଉଠିଲା। କୁଲାଇଲୋ ସେବା ସମବାୟ ସମିତି ମଣ୍ଡିରେ ଧାନର ଏଫଏକ୍ୟୁ ମାନକୁ ନେଇ ଚାଷୀ ଓ ମିଲରଙ୍କ ମଧ୍ୟରେ ଲାଗିରହିଥିଲା। ଶୁକ୍ରବାର ଏହାର ସମାଧାନ ହେବା ପରେ ଶନିବାର ଚାଷୀଙ୍କ ଧାନ ଉଠିଥିବା ଜଣାପଡିଛି । କୁଲାଇଲୋ ମଣ୍ଡିକୁ ବିକ୍ରୟ ପାଇଁ ଚାଷୀ ଆଣିଥିବା ଧାନର ନିର୍ଦ୍ଧାରିତ ଏଫଏକ୍ୟୁ ମାନ ସଠିକ ନଥିବା ଦର୍ଶାଇ ସେହି ମଣ୍ଡି ପାଇଁ ନିଯୁକ୍ତ ମିଲର ଧାନ ଉଠାଇବାକୁ ଅରାଜି ହୋଇଥିଲେ। ଧାନର ମାନ ଏଫଏକ୍ୟୁ ଅନୁଯାୟୀ ଠିକ୍ ନଥିଲେ କ୍ବିଣ୍ଟାଲ ପିଛା ୫ କେଜି କମ୍ କଲେ ସେମାନେ ଧାନ ଉଠାଇବେ ବୋଲି ମିଲର କହିଥିବାବେଳେ ଚାଷୀ ୩ କେଜିରୁ ଅଧିକ ନକାଟିବାକୁ ଅଡି ବସିଥିଲେ । ଫଳରେ ସେଠାରେ ଅଚଳାବସ୍ଥା ଜାରି ରହିବାରୁ ଆଠଗଡ ସହକାରୀ ଯୋଗାଣ ଅଧିକାରୀ ଓ ସମବାୟ ବିଭାଗ ଅଧିକାରୀ କୁଲାଇଲୋ ମଣ୍ଡିକୁ ଯାଇ ଚାଷୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ଉତ୍ତ୍ୟକ୍ତ ଚାଷୀ ମଣ୍ଡି ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହ ଶନିବାର ଆଠଗଡ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଥିଲେ । ତେବେ ଶନିବାର କୁଲାଇଲୋ ଠାରେ ପ୍ରଶାସନ, ଚାଷୀ ଓ ମିଲରଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ପରେ ସମାଧାନର ରାସ୍ତା ବାହାରିଥିଲା । ଯେଉଁ ଚାଷୀଙ୍କ ଧାନ ସଠିକ ଏଫଏକ୍ୟୁ ମାନର ହୋଇନଥିବ ତାଙ୍କର କ୍ବିଣ୍ଟାଲ ପିଛା ୪ କେଜି କମ୍ କରି ମିଲର ଧାନ ଉଠାଇବେ ବୋଲି ସହମତି ପ୍ରକାଶ ପାଇବା ପରେ ଧାନ କ୍ରୟ ପ୍ରକ୍ରିୟା ସ୍ୱାଭାବିକ ହୋଇଥିଲା ।
Comments are closed.