ସଭାରେ ସୀମିତ ସଡ଼କ ସୁରକ୍ଷା, ୨୦ବର୍ଷରେ ଗଡ଼ିଲାଣି ୫୭୬୩ମୁଣ୍ଡ
ମୃତ୍ୟୁଯନ୍ତା ପାଲଟିଛି ଜାତୀୟ ରାଜପଥ, ୨୦୨୪ରେ ୬୯୫ ଦୁର୍ଘଟଣାରେ ୩୭୭ଜଣଙ୍କ ମୃତ୍ୟୁ
କେନ୍ଦୁଝରଗଡ଼: କେନ୍ଦୁଝର ଜିଲାରେ ସଡ଼କ ଦୁର୍ଘଟଣା ସାରା ରାଜ୍ୟରେ ଉଦ୍ବେଗଜନକ ସ୍ଥିିତିରେ ରହିଛି। ଦୁର୍ଘଟଣାକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବିିଭିନ୍ନ ସମୟରେ ସମୀକ୍ଷା ସହ ସଭାସମିତି ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ଏହା ସତେଯେମିତି ସରକାରଙ୍କ ନାଲିଫିତା ତଳେ ରହିଯାଇଥିବା ପ୍ରତିବର୍ଷ ବୃଦ୍ଧି ପାଉଥିବା ଦୁର୍ଘଟଣାରୁ ପ୍ରମାଣିତ ହୋଇଛି। ‘ସଡ଼କ ସୁରକ୍ଷା-ଜୀବନ ରକ୍ଷା’ ରାଜ୍ୟ ସରକାରଙ୍କ ଏହି ସ୍ଲୋଗାନ କେନ୍ଦୁଝର ଜିଲାରେ ପ୍ରହସନରେ ପରିଣତ ହୋଇଛି। ୨୦୦୫ରୁ ୨୦୨୪ ମଧ୍ୟରେ ବିଗତ ୨୦ବର୍ଷରେ ୧୧୨୩୯ଟି ସଡ଼କଜନିତ ଦୁର୍ଘଟଣାରେ ୫୭୬୩ଜଣଙ୍କ ପ୍ରାଣହାନୀ ଘଟିବା କେନ୍ଦୁଝର ଜିଲାରେ ‘ସଡ଼କ ସୁରକ୍ଷା-ଜୀବନ ରକ୍ଷା’ ଏଥିରୁ ବେଶ୍ ଅନୁମାନ କରାଯାଇପାରେ। ୨୦୨୩ରେ ଜିଲାରେ ସଡ଼କ ଦୁର୍ଘଟଣା ଓ ଏହି କାରଣରୁ ମୃତ୍ୟୁ ସଂଖ୍ୟା ସର୍ବକାଳୀନ ରେକର୍ଡ ହୋଇଥିବାବେଳେ ୨୦୨୪ରେ ଏହା ସାମାନ୍ୟ ହ୍ରାସପାଇ ୬୯୫ଟି ସଡ଼କ ଦୁର୍ଘଟଣାରେ ୩୭୭ଜଣଙ୍କ ପ୍ରାଣହାନୀ ଏବଂ ୨୮୫ଜଣ ଗୁରୁତର, ୩୨୫ଜଣ ଆହତ ହୋଇଛନ୍ତି। କେନ୍ଦୁଝର ଜିଲାରେ ତ୍ରୁଟିପୂର୍ଣ୍ଣ ଓ ଅସମ୍ପୂର୍ଣ୍ଣ ରାସ୍ତା ସାଙ୍ଗକୁ ଜିଲାବ୍ୟାପୀ ଜାତୀୟ ରାଜପଥମାନଙ୍କରେ ବେଆଇନ ହମ୍ପ୍ସ ନିର୍ମାଣ ଓ ରାଜପଥ ଉପରେ ବେଆଇନ ପାର୍କିଂ କାରଣରୁ ସଡ଼କ ଦୁର୍ଘଟଣା ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି। ୨୦୨୪ରେ ପୁଲିସ ପକ୍ଷରୁ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଯାନବାହନ ଯାଞ୍ଚ ସମୟରେ ବିନା ହେଲମେଟ୍ରେ ବାଇକ୍ ଚାଳନାକାରୀ ୧୫୪୭୩ ଜଣଙ୍କଠାରୁ ୩୬ଲକ୍ଷ ୯୧ହଜାର, ବିନା ସିଟ୍ ବେଲ୍ଟରେ ୯୦୪ଜଣ ଯାନ ଚାଳନାକରୀଙ୍କ ଠାରୁ ୪ଲକ୍ଷ ୧୦ହଜାର ୫୦୦, ଟ୍ରାଫିକ୍ ନିୟ ଉଲ୍ଲଂଘନ ଅଭିଯୋଗରେ ୫୦୨୦ଜଣଙ୍କଠାରୁ ୪୦ଲକ୍ଷ ୬୮ହଜାର, ଯାନ ଚାଳନା ସମୟରେ ୯୧ଜଣ ମୋବାଇଲ ବ୍ୟବହାରକାରୀଙ୍କଠାରୁ ୪୮ହଜାର, ନିଶାସକ୍ତ ଯାନ ଚାଳନା ପାଇଁ ୩୮୮ ଜଣଙ୍କଠାରୁ ୭୦ହଜାର ଟଙ୍କାକୁ ମିଶାଇ ମୋଟ ୨୧୮୭୮ଟି ଭିସିଆର ମାଧ୍ୟମରେ ୮୨ଲକ୍ଷ ୮୭ହଜାର ୫୦୦ଟଙ୍କା ଜରିମାନା ଆଦାୟ ସହ ୫୮ଟି ଲାଇସେନ୍ସ ବାତିଲ କରାଯାଇଛି।
ଦୁର୍ଘଟଣାଗ୍ରସ୍ତଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଜାତୀୟ ରାଜପଥରେ ପ୍ରତି ୬୦ କି.ମି.ବ୍ୟବଧାନରେ ଏକ ଟ୍ରମା କେୟାର ସେଣ୍ଟର କାର୍ଯ୍ୟକ୍ଷମ ନିୟମ ରହିଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସମଗ୍ର ଜିଲାରେ ଗୋଟିଏ ହେଲେ ଟ୍ରମା କେୟାର ସେଣ୍ଟର ନାହିଁ। ଫଳରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସଠିକ୍ ସମୟରେ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇ ପାରୁନଥିବାରୁ ଜିଲାରେ ପ୍ରତିବର୍ଷ ଦୁର୍ଘଟଣାଜନିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ଜିଲାବାସୀଙ୍କୁ ନିରାଶ କରିଛି। ବିଶେଷକରି ତ୍ରୁଟିପୂର୍ଣ୍ଣ ଓ ଅସମ୍ପୂର୍ଣ୍ଣ ଜାତୀୟ ରାଜପଥ ରାସ୍ତା ନିର୍ମାଣ ସାଙ୍ଗକୁ ସାଙ୍କେତିକ ଚିହ୍ନ ନଥାଇ ଜିଲାବ୍ୟାପୀ ବେଆଇନ ହମ୍ପସ୍ ନିର୍ମାଣ ଏବଂ ଜାତୀୟ ରାଜପଥରେ ବେଆଇନ ପାର୍କିଂ ଦୁର୍ଘଟଣାର ମୁଖ୍ୟ କାରଣକୁ ସ୍ପଷ୍ଟ ପ୍ରମାଣିତ କରୁଛି।
ଜିଲାର ଜୀବନରେଖା କୁହାଯାଉଥିବା ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥର ବିଶେଷକରି କେନ୍ଦୁଝରରୁ ଯୋଡ଼ା-ବଡ଼ବିଲ ରାସ୍ତାରେ ସଡକଜନିତ ଦୁର୍ଘଟଣା ସର୍ବାଧିକ। ପାଣିକୋଇଲି ଠାରୁ ରିମୁଳି ପର୍ଯ୍ୟନ୍ତ ନବନିର୍ମିତ ୪ଲେନ ପର୍ଯ୍ୟାୟ ରାସ୍ତାର ତୃଟିପୂର୍ଣ୍ଣ ଓ ଅସମ୍ପୂର୍ଣ୍ଣ ନିର୍ମାଣ ଏବେ ଜିଲାବାସୀଙ୍କ ପାଇଁ କାଳ ପାଲଟିଛି। ଏତଦ୍ବ୍ୟତୀତ ଜିଲା ଦେଇ ଯାଇଥିବା ଅନ୍ୟ ଏକ ପ୍ରମୁଖ ୪୯ନଂ ଜାତୀୟ ରାଜପଥର ତୁରୁମୁଙ୍ଗାଠାରୁ ବିଞ୍ଝବାହାଳ ପର୍ଯ୍ୟନ୍ତ କେତେକ ସ୍ଥାନରେ ରାସ୍ତା ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟିଥିବାରୁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନୀ ହେଉଥିଲେ ହେଁ ଏଥିପ୍ରତି ବିଭାଗୀୟ ଅଧିକାରୀ ଆଖିବୁଜି ଦେବା ଜିଲାବାସୀଙ୍କୁ ନିରାଶ କରିଛି। କେବଳ ସେତିକିନୁହେଁ, ଜିଲାଦେଇ ଯାଇଥିବା ଏହି ଦୁଇ ପ୍ରମୁଖ ଜାତୀୟ ରାଜପଥ ପାର୍ଶ୍ବରେ ଅବାଧରେ ଦେଶୀ ବିଦେଶୀ ମଦ ବ୍ୟବସାୟ ଯୋଗୁଁଁ ଚାଳକ ନିଶାସେବନ କରି ଯାନବାହାନ ଚଳାଚଳ କରୁଥିବାରୁ ଦୁର୍ଘଟଣା ବୃଦ୍ଧି ଆଉ ଏକ ପ୍ରମୁଖ କାରଣ। ଦୁର୍ଘଟଣା ଯୋଗୁଁଁ ଅଧିକାଂଶ ସମୟରେ ସ୍ଥାନୀୟ ଜନତାଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇ ରାସ୍ତାରୋକ, ଯାନବାହାନ ପୋଡ଼ାଜଳା ଓ କର୍ମଚାରୀଙ୍କୁ ଆକ୍ରମଣ ଜିଲାରେ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବିପର୍ଯ୍ୟସ୍ତ ସଡ଼କପଥ ବ୍ୟବହାର ସାଙ୍ଗକୁ ବିନା ଲାଇସେନ୍ସରେ ଅନଭିଜ୍ଞ ଚାଳକଙ୍କ ଦ୍ରୁତ ଓ ବେପରୁଆ ଗାଡ଼ିଚାଳନା ଏବଂ ସର୍ବୋପରି ଦାୟିତ୍ୱରେ ଥିବା ବିଭାଗୀୟ କର୍ମଚାରୀଙ୍କ ଆବଶ୍ୟକ ତଦାରଖ ଅଭାବ ଦୁର୍ଘଟଣା ବୃଦ୍ଧିର ପ୍ରମୁଖ କାରଣ କୁହାଯାଇପାରେ। ଜିଲାରେ ଆବଶ୍ୟକ ଭିତ୍ତିଭୂମି ନଥାଇ ଖଣି ଓ ଶିଳ୍ପାନୁଷ୍ଠାନମାନଙ୍କରୁ ସଡକପଥରେ ମାତ୍ରାଧିକ ଖଣିଜସମ୍ପଦ ବୋଝେଇ ଭାରିଯାନ ଚଳାଚଳ କାରଣରୁ ଜିଲାବ୍ୟାପୀ ଟ୍ରାଫିକ୍ ସମସ୍ୟା ବୃଦ୍ଧି ଯୋଗୁଁଁ ସଡକଜନିତ ଦୁର୍ଘଟଣା ବୃଦ୍ଧି ପାଇ ମୃତାହାତଙ୍କ ସଂଖ୍ୟା ଦିନକୁ ଦିନ ଚିନ୍ତାର କାରଣ ପାଲଟିଛି। ସର୍ବୋପରି ଖୋଦ୍ ଜିଲା ମୁଖ୍ୟାଳୟ ମୁଖ୍ୟ ରାସ୍ତା ଉପରେ ଯାତ୍ରୀବାହୀ ଘରୋଇ ବସ୍ ଘଣ୍ଟା ଘଣ୍ଟା ଧରି ବେଆଇନ ପାର୍କିଂ ସାଙ୍ଗକୁ ଲାଇସେନ୍ସ ନଥାଇ ଅଟୋଚାଳକଙ୍କ ବେପରୁଆ ଚାଳନା ଏବଂ ରାସ୍ତା ଅବରୋଧକାରୀ ବ୍ୟବସାୟୀଙ୍କ ଯୋଗୁଁଁ ବର୍ଷତମାମ୍ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇ ସହରରେ ଦୁର୍ଘଟଣା ବୃଦ୍ଧି ପାଇ ବ୍ୟାପକ ଧନଜୀବନ ହାନୀ ସତ୍ତ୍ବେ ପ୍ରଶାସନର ନିଦ ନ ଭାଙ୍ଗିବା ପରୋକ୍ଷରେ ସହରବାସୀଙ୍କୁ ବାରମ୍ବାର ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ କରିଆସୁଛି।
Comments are closed.