କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଗତ ମାସରେ ଏକ ବିଶେଷ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କଗୁଡ଼ିକରେ ବହୁ ବର୍ଷ ଧରି ପଡ଼ିରହିଥିବା ଦାବି ବିହୀନ ଟଙ୍କା – ଅର୍ଥାତ୍ ଯେଉଁ ଟଙ୍କାକୁ କେହି ନେବାକୁ ଆସୁନାହାନ୍ତି – ତାହାର ପ୍ରକୃତ ମାଲିକଙ୍କୁ ଖୋଜି ବାହାର କରି ସେମାନଙ୍କୁ ଫେରାଇ ଦେବା। ଏହି ଅଭିଯାନ ଚାଲିବା ପରେ ଯେଉଁ ତଥ୍ୟ ବାହାରକୁ ଆସିଛି, ତାହା ଅତ୍ୟନ୍ତ ଚିନ୍ତାଜନକ। ଜଣାପଡ଼ିଛି ଯେ ଅନେକ ସରକାରୀ ବିଭାଗ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର କୋଟି କୋଟି ଟଙ୍କା ଗତ ୧୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ବ୍ୟାଙ୍କରେ ଏମିତି ପଡ଼ିରହିଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଟଙ୍କାକୁ କେହି ଖୋଜୁନାହାଁନ୍ତି। ଏହା ସ୍ପଷ୍ଟ ଭାବରେ ପ୍ରମାଣ କରୁଛି ଯେ ଆମର ପ୍ରଶାସନିକ ବ୍ୟବସ୍ଥାରେ କେତେ ଅବହେଳା ଓ ଦାୟିତ୍ୱହୀନତା ରହିଛି। ସରକାରୀ ବିଭାଗଗୁଡ଼ିକ ନିଜ ଟଙ୍କାର ହିସାବ ରଖୁନାହାନ୍ତି। ଯଦି ଏମାନେ ନିଜର ଟଙ୍କାକୁ ୧୦ ବର୍ଷ ଧରି ଭୁଲିଯାଇପାରୁଛନ୍ତି, ତେବେ ଜନସାଧାରଣଙ୍କ କଲ୍ୟାଣ ପାଇଁ ସେମାନେ କେତେ ସଚେତନ ରହିବେ, ତାହା ସହଜରେ ଅନୁମାନ କରାଯାଇପାରେ।
‘ଡିପୋଜିଟର ଏଜୁକେସନ୍ ଆଣ୍ଡ ଆୱେୟାରନେସ୍ ଫଣ୍ଡ’ (ଡିଫ୍) ନାମରେ ଏକ ପାଣ୍ଠି ଅଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦାବି ବିହୀନ ଟଙ୍କାକୁ ସୁରକ୍ଷିତ ରଖିବା ଏବଂ ତାହାକୁ ତା’ର ପ୍ରକୃତ ମାଲିକଙ୍କୁ ଫେରାଇବା; କିନ୍ତୁ ଏବେ ଏହା ନିଖୋଜ ଧନର ଏକ ଗୋଦାମଘର ପାଲଟିଯାଇଛି। ରିଜର୍ଭ ବ୍ୟାଙ୍କର (ଉଦ୍ଗମ୍) ପୋର୍ଟାଲରୁ ଜଣାପଡ଼ିଛି ଯେ ଅନେକ ସରକାରୀ କଲ୍ୟାଣମୂଳକ ଯୋଜନାର ଖାତାଗୁଡ଼ିକ ଅଚଳ ହୋଇପଡ଼ିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କିଛି ଖାତାରେ କୋଟି କୋଟି ଟଙ୍କା ପଡ଼ିରହିଛି। ଗରିବ, ଶ୍ରମିକଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଏହି ଟଙ୍କା ଏବେ ବ୍ୟାଙ୍କ ବ୍ୟବସ୍ଥାରେ ହଜିଯାଇଛି। କେବଳ ସରକାରୀ ବିଭାଗ ନୁହେଁ; ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନର ବି କୋଟି କୋଟି ଟଙ୍କା ଏମିତି ବ୍ୟାଙ୍କରେ ପଡ଼ିରହିଛି। ସୈନ୍ୟବାହିନୀର ରେଜିମେଣ୍ଟଗୁଡ଼ିକର ଟଙ୍କା, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ଅର୍ଥ ଏବଂ କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ତିଆରି ହୋଇଥିବା ଟ୍ରଷ୍ଟଗୁଡ଼ିକର ଧନ – ସବୁ ଦାବି ବିହୀନ ହୋଇ ପଡ଼ିଛି। ଏଠାରେ କିନ୍ତୁ ପ୍ରଶ୍ନ ଉଠେ ଯେ ଏତେ ଅଧିକ ପରିମାଣ ଅର୍ଥ ଦୀର୍ଘ ବର୍ଷ ଧରି କିପରି ଅଚଳ ହୋଇ ରହିଗଲା? ଅଡିଟରମାନେ କ’ଣ କରୁଥିଲେ? ବ୍ୟାଙ୍କଗୁଡ଼ିକର ବୋର୍ଡ଼ ସଦସ୍ୟମାନେ କେଉଁଠି ଥିଲେ? ଆଉ ସବୁଠାରୁ ବଡ଼ କଥା, ଦେଶର ସମସ୍ତ ବ୍ୟାଙ୍କ ଉପରେ ନଜର ରଖୁଥିବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କ’ଣ ଏସବୁ ଦେଖୁନଥିଲା?
ମାର୍ଚ୍ଚ ୨୦୨୪ ସୁଦ୍ଧା ରିଜର୍ଭ ବ୍ୟାଙ୍କର (ଡିଫ୍) ଫଣ୍ଡରେ ୭୮, ୨୧୩ କୋଟି ଟଙ୍କା ପଡ଼ିରହିଛି। କେବଳ ଏତିକି ନୁହେଁ; ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବିଭିନ୍ନ ଅଚଳ ଖାତାରେ ପଡ଼ିଛି, ଯାହାକୁ ଏହି ଫଣ୍ଡକୁ ସ୍ଥାନାନ୍ତରିତ କରିବାର ପ୍ରକ୍ରିୟା ଚାଲିଛି। ଯଦି ଏସବୁକୁ ମିଶାଇ ହିସାବ କରାଯାଏ, ତେବେ ମୋଟାମୋଟି ଭାବେ ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ – ଅର୍ଥାତ୍ ଦେଢ଼ ଲକ୍ଷ କୋଟି ଟଙ୍କା ଏମିତି ନିଷ୍କ୍ରିୟ ହୋଇ ପଡ଼ିଛି। ଭାରତର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି ପାଇଁ ଗର୍ବ କରେ; କିନ୍ତୁ ଦାବି ବିହୀନ ଟଙ୍କା ପରିଚାଳନା ଏହାର ସବୁଠାରୁ ଦୁର୍ବଳ ଦିଗ। କେବଳ ଏକ ସ୍ୱାଧୀନ ଦେଶବ୍ୟାପୀ ଅଡିଟ୍, ଯାହା ସିଏଜି କିମ୍ବା ସିବିଆଇ ଦ୍ୱାରା ପରିଚାଳିତ ହେବ, ତାହା ହିଁ ଜନସାଧାରଣଙ୍କ ବିଶ୍ୱାସ ଫେରାଇ ଆଣିପାରିବ। ଲୋକଙ୍କ ଟଙ୍କା ବ୍ୟାଙ୍କ ବ୍ୟବସ୍ଥାରେ ରହସ୍ୟ ହୋଇ ରହିବା ଅନୁଚିତ୍।



