ବିହାର ବିଧାନସଭା ନିର୍ବାଚନ ବିଗୁଲ ବାଜିଛି। ଭାରତୀୟ ନିର୍ବାଚନ ଆୟୋଗ ଏ ନେଇ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୬ ଓ ୧୧, ଦୁଇଟି ପର୍ଯ୍ୟାୟରେ ୨୪୩ ଆସନରେ ଭୋଟ ପଡିବ। ପୁଣି ଥରେ ନୀତୀଶ କୁମାରଙ୍କ ଜେଡିୟୁ-ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଓ ବିରୋଧୀ ଭୂମିକାରେ ଥିବା ତେଜସ୍ବୀ ଯାଦବଙ୍କ ଆରଜେଡି-କଂଗ୍ରେସ-ବାମଦଳର ମହାଗଠବନ୍ଧନ ମଧ୍ୟରେ ସିଧାସଳଖ ମୁକାବିଲା ହେବ। ଗତଥର ଫଳାଫଳକୁ ଆମେ ବିଶ୍ଲେଷଣ କଲେ ସ୍ପଷ୍ଟ ଦେଖିପାରିବା ଯେ ଏଥର ପ୍ରଥମ ପର୍ଯ୍ୟାୟର ଯେଉଁ ୧୨୧ଟି ଆସନରେ ମତଦାନ ହେବ, ସେଥିରେ ୨୦୨୦ରେ ଏନଡିଏ ଠାରୁ ମହାଗଠବନ୍ଧନର ଭୋଟହାର ୧.୮ ପ୍ରତିଶତ ଅଧିକ ଥିଲା। ତେଜସ୍ବୀଙ୍କ ମେଣ୍ଟ ୬୧ ଆସନ ଜିତିଥିଲା ଓ ଏନଡିଏ ୫୯ ଆସନ ପାଇଥିଲା। ଅନୁରୂପ ଭାବେ ଏଥର ଦ୍ବିତୀୟ ପର୍ଯ୍ୟାୟର ନଭେମ୍ବର ୧୧ରେ ହେବାକୁ ଥିବା ୧୨୨ ଆସନରୁ ଗତଥର ଏନଡିଏ ୧.୭ ପ୍ରତିଶତ ଅଧିକ ଭୋଟ ସହ ୬୬ଟି ଆସନ ପାଇଥିବାବେଳେ ମହାମେଣ୍ଟକୁ ୪୯ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ୨୦୨୦ ନିର୍ବାଚନରେ ଏନଡିଏ ୧୨୫ ଓ ମହାମେଣ୍ଟ ୧୧୦ ଆସନ ପାଇଥିଲା। ତେବେ ବିଗତ ଫଳାଫଳଗୁଡିକୁ ଯଦି ଅନୁଧ୍ୟାନ କରାଯାଏ, ତେବେ ଏନଡିଏର ବିଜେପି କ୍ରମାଗତ ଅଧିକ ଆସନ ପାଉଥିବାବେଳେ ସହଯୋଗୀ ଜେଡିୟୁ ଆସନ କମିବାରେ ଲାଗିଛି। ଅନୁରୂପ ଭାବେ ଇଣ୍ଡିମେଣ୍ଟରେ ତେଜସ୍ବୀଙ୍କ ଆରଜେଡିର ଆସନ ସଂଖ୍ୟା ବଢୁଥିବାବେଳେ କଂଗ୍ରେସ ଓ ବାମଦଳ ସେଭଳି ପ୍ରଦର୍ଶନ କରିପାରୁନାହାନ୍ତି।
ବିହାରର ରାଜନୈତିକ ସମୀକରଣ ବଦଳୁଛି। ଏନଡିଏ ପାଇଁ ସବୁଠୁ ବଡ଼ ଶକ୍ତି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେହେରା। ୨୦୧୪ରୁ କ୍ରମାଗତ ମୋଦୀଙ୍କ ଯାଦୁ ଏଠାର ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନଗୁଡିକରେ ବେଶ୍ ପ୍ରଭାବଶାଳୀ ରହିଛି। ବିଜେପି ତା’ର ସ୍ଥିତିକୁ କ୍ରମାଗତ ମଜଭୁତ କରିଚାଲିଛି। ଉଚ୍ଚବର୍ଗର ଭୋଟ ବିଜେପି ନିକଟରେ ଅଧିକ ଥିବାବେଳେ ମୋଦୀ ଖୋଦ୍ ଓବିସି ବର୍ଗରୁ ଆସୁଥିବାରୁ ଏହି ଶ୍ରେଣୀର ଭୋଟ ମଧ୍ୟ ଏନଡିଏକୁ ବଳ ଦେଉଛି। ବିହାରରେ ଜାତି, ବର୍ଣ୍ଣ, ସମ୍ପ୍ରଦାୟର ପ୍ରଭାବ ରହିଥିବାରୁ ଏ ଦିଗରେ ମୁସଲମାନ, ଯାଦବ ଭୋଟ ତେଜସ୍ବୀଙ୍କ ମହାମେଣ୍ଟ ଆଡ଼କୁ ଅଧିକ ଯାଇପାରେ। ଏହା ଏନଡିଏ ପାଇଁ ଚିନ୍ତା ବଢାଇପାରେ। ଅନ୍ୟପକ୍ଷରେ ବିଜେପିର ରାଜ୍ୟରେ ସେଭଳି କୌଣସି ଆକର୍ଷଣୀୟ ଚେହେରା ନଥିବାରୁ ମୋଦୀଙ୍କ ଉପରେ ଦଳ ଅଧିକ ଭରସା କରିବା ସ୍ବାଭାବିକ। ଅନୁରୂପ ଭାବେ ଜେଡିୟୁ ନେତା ନୀତୀଶ କୁମାର ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବାରୁ ତାଙ୍କ ପ୍ରତି ଭୋଟରଙ୍କ ଆକର୍ଷଣ କମିବା ସ୍ବାଭାବିକ। ଶାସକ ବିରୋଧୀ ପବନ (ଇନକ୍ୟୁବାନ୍ସି) ଏନ୍ଡିଏ ପାଇଁ ମଧ୍ୟ କିଛିଟା ରହିପାରେ। ସମୟ ଓ ସୁଯୋଗ ଦେଖି ମେଣ୍ଟ ବଦଳାଇବା ପରି ନୀତୀଶଙ୍କ ସୁବିଧାବାଦୀ ରାଜନୀତି ବିହାରବାସୀଙ୍କୁ ଅନେକ ସମୟରେ ଅସନ୍ତୁଷ୍ଟ କରିଛି। ଏହା ସତ୍ତ୍ବେ ଲାଲୁ-ରାବ୍ଡି କାଳର ଜଙ୍ଗଲରାଜ୍ ଶାସନକୁ ବିହାରବାସୀ ଦେଖିଥିବାରୁ ମହାମେଣ୍ଟ ଅପେକ୍ଷା ଏନ୍ଡିଏ ପ୍ରତି ସମର୍ଥନ ଅବ୍ୟାହତ ରହିପାରେ। ଏନ୍ଡିଏ ପାଇଁ ସବୁଠୁ ବଡ଼ ଶକ୍ତି ହେଉଛି ବିଜେପିର ମଜଭୁତ୍ ସାଂଗଠନିକ ଶକ୍ତି, ଆଗୁଆ ରଣନୀତି ଓ ନିର୍ବାଚନ ପରିଚାଳନାର କୌଶଳ।
ସେହିଭଳି ଆର୍ଜେଡି ପାଇଁ ବଡ଼ ସମ୍ବଳ ହେଉଛନ୍ତି ତେଜସ୍ବୀ ଯାଦବଙ୍କ ଭଳି ଯୁବ ନେତା। ଖୋଦ୍ ଲାଲୁ କନିଷ୍ଠ ପୁତ୍ର ତେଜସ୍ବୀଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଥିବାରୁ ଯାଦବ, ମୁସଲମାନ ଓ ଲାଲୁ ପ୍ରଶଂସକଙ୍କ ସମର୍ଥନ ଆର୍ଜେଡି ପ୍ରତି ରହିବା ସ୍ବାଭାବିକ। ମହାମେଣ୍ଟର ଅନ୍ୟତମ ସାଥୀ କଂଗ୍ରେସ ଓ ଏହାର ନେତା ରାହୁଲ ଗାନ୍ଧୀଙ୍କ ବିହାର ଭୋଟର ତାଲିକା ସଂଶୋଧନକୁ କଠୋର ସମାଲୋଚନା ଓ ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ଅଭିଯାନ ଦଳକୁ କିଛିଟା ଶକ୍ତି ଦେବା ସମ୍ଭାବନା ରହିଛି। ତେବେ ରାହୁଳଙ୍କ ସଂଗଠନାତ୍ମକ ପରିଚାଳନା ଓ ରାଜନୀତିରେ ଯେ ଜଣେ ସିରିୟସ୍ ନେତା, ଏ କ୍ଷେତ୍ରରେ ସେ ଭୋଟରଙ୍କ ଦୃଢ ଆସ୍ଥାଭାଜନ ହୋଇପାରିନାହାନ୍ତି। ଏଥର ବିହାର ନିର୍ବାଚନରେ ଜନ ସୁରାଜ ପାର୍ଟି ଗଢିଥିବା ଚର୍ଚ୍ଚିତ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ପ୍ରତ୍ୟକ୍ଷ ପ୍ରବେଶ ଦେଖିବାକୁ ମିଳିବ। ପରିବର୍ତ୍ତନର ମୁଖାଧାରୀ ପ୍ରଶାନ୍ତ କିଶୋରଙ୍କ ପାଇଁ ଯୁବବର୍ଗ ସବୁଠୁ ବଡ଼ ବଳ; ମାତ୍ର ସଂଗଠନ ନଥିବାରୁ ତାଙ୍କୁ ଏ ନିର୍ବାଚନ କେତେ ସଫଳତା ଦେବ ତାହା ସମୟ କହିବ। ଏହା ଭିତରେ ପୂର୍ବଥର ବିହାରରେ ୫ରୁ ଅଧିକ ଆସନ ଜିତିଥିବା ଏଆଇଏମ୍ଆଇଏମ୍ ମୁଖ୍ୟ ଓସାଦୁଦ୍ଦିନ୍ ୱେବେସୀଙ୍କ ସବୁ ଆସନରେ ପ୍ରାର୍ଥୀ ଦେବା ନିଷ୍ପତ୍ତି ମୁସଲମାନ ଭୋଟରକୁ ବିଭାଜିତ କରିପାରେ। ଏହା ତେଜସ୍ବୀଙ୍କ ମହାମେଣ୍ଟର ଚିନ୍ତା ବଢାଇବ। ଭୋଟର ତାଲିକା ସଂଶୋଧନର ରାଜନୈତିକ ହୋ-ହଲ୍ଲା ଭିତରେ ମୋଦୀ ଓ ଅମିତ ଶାହାଙ୍କ ଜନସମାବେଶ, ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ ଆରମ୍ଭ ହୋଇସାରିଛି। ତେଜସ୍ବୀ ଓ ରାହୁଳ ଯୋଡି ମଧ୍ୟ ପରିବର୍ତ୍ତନର ଧ୍ବନି ଦେଇ ଜାତୀୟ ତଥା ରାଜ୍ୟ ପ୍ରସଙ୍ଗ ଉଠାଇ ବିହାରରେ ଉଷ୍ମତା ଭରିଲେଣି। ଜାତୀୟ ହାର ତୁଳନାରେ ବେକାରୀ, ଜନସଂଖ୍ୟାଜନିତ ସାମାଜିକ-ଆର୍ଥିକ ଦୁର୍ବଳତା ତଥା ମୁଣ୍ଡପିଛା ଆୟ କ୍ଷେତ୍ରରେ ବିହାର ପଛରେ ପଡିବା, ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଭିତ୍ତିଭୂମି ଦୁର୍ବଳ ଆଦି ବିହାର ନିର୍ବାଚନରେ ପ୍ରସଙ୍ଗ ହେବା ସ୍ବାଭାବିକ। ମୋଟ ୭.୪ କୋଟି ମଧ୍ୟରୁ ୧୪ ଲକ୍ଷ ପ୍ରଥମ ଭୋଟର ଓ ୧.୬ କୋଟି ଯୁବ ଭୋଟର (୨୦-୨୯ ବୟସର) ଫଳାଫଳ କ୍ଷେତ୍ରରେ ନିର୍ଣ୍ଣାୟକ ହେବେ। ଦେଖାଯାଉ, ବିହାର ମତ ଏଥର କୁଆଡେ ଯାଉଛି !



