୩ ଡିଗ୍ରୀ ବଢ଼ିବ ପାରଦ

ଦେବଗଡ଼ ଉତ୍ତପ୍ତ, ବଜ୍ରପାତ ପାଇଁ ୮ ଜିଲାକୁ ସତର୍କ ସୂଚନା

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ୫ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ବୁଧବାର ରେକର୍ଡ ହୋଇଛି । ୪୪ ଡିଗ୍ରୀ ସହ ଦେବଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ, କିନ୍ତୁ ପରବର୍ତ୍ତୀ ସମୟରେ ପାଗରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ। ବୁଧବାର ନୂଆପଡା ୪୦, ବୌଦ୍ଧ ୪୨, ସୁବର୍ଣ୍ଣପୁର ୪୦.୪, ଟିଟିଲାଗଡ ୪୧.୨, ଭୁବନେଶ୍ବର ୩୬.୨, କଟକରେ ୩୭.୨ ଡିଗ୍ରୀ ରହିଛି।
ପୂର୍ବ ବିହାର, ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ସହ ଝାଡଖଣ୍ଡ ଏବଂ ଓଡ଼ିଶା ମଧ୍ୟରେ ବାୟୁମଣ୍ଡଳରୁ ୧.୫ କିମିରୁ ୨.୧ କିମି ଉଚ୍ଚତାରେ ଏକ ନିମ୍ନଚାପରେଖା ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, କୋରାପୁଟ, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ହୋଇପାରେ। ଉକ୍ତ ଜିଲାଗୁଡିକୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

kalyan agarbati

Comments are closed.