୨ମାସ ହେଲା ପାଣି ବୁନ୍ଦାଏ ପାଇଁ ହନ୍ତସନ୍ତ ବେହେରେନସିଲେଟ ଗ୍ରାମବାସୀ

ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ

କଣ୍ଟାବାଞ୍ଜି: ପିଇବା ପାଣି ପାଇଁ ହନ୍ତସନ୍ତ ଗାଁ ଲୋକେ । ପାଣି ବୁନ୍ଦାଏ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆମେ କହୁଛୁ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବେହେରେନସିଲେଟ ଗାଁ କଥା । ଗାଁରେ ପିଇବା ପାଣି ଯୋଗାଣ ପାଇଁ ବସୁଧା ଯୋଜନାରେ ଏକ ଓଭରହେଡ ଟାଙ୍କି ନିର୍ମାଣ କରାଯାଇଛି। ଏହି ଓଭରହେଡ ଟାଙ୍କି ଯୋଗେ ଗାଁ ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଉଥିଲା । ତେବେ ଗତ ୨ମାସରୁ ଅଧିକ ଦିନ ହେବ ରାସ୍ତା ଉପରେ ପାଇପ ଫାଟି ଯାଇଥିବାରୁ ଗାଁ ଲୋକ ପାଣି ପାଇ ପାରୁନାହାଁନ୍ତି। ଏନେଇ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ସେମାନେ ଆଜି ହେବ କାଲି ହେବ ବୋଲି ୨ ମାସ ହୋଇଗଲା ସମସ୍ୟାର କୌଣସି ସମାଧାନ ହେଉନାହିଁ। ବର୍ତ୍ତମାନ ତାମପାତ୍ରା ୪୦ ଡିଗ୍ରୀ ଉପରେ। ଏଭଳି ପରିସ୍ଥିତିରେ ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ବାରମ୍ବାର ଅଭିଯୋଗ କଲା ପରେ କଣ୍ଟାବାଞ୍ଜି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅଧିକାରୀ ପ୍ରଶାନ୍ତ ବାଘେଲ ଏବଂ ଏହି ପ୍ରକଳ୍ପକୁ ଠିକା ନେଇଥିବା ରାଜା ଖଡିଆଳର ଠିକାଦାର ଅମୁଲ୍ୟ ସାହୁ ଯଥାଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହୁଥିଲେ। ଏବେ ଗାଁର ଯୁବକମାନେ ଫୋନ ଯୋଗେ ସେମାନଙ୍କୁ ଯୋଗାଯୋଗ କଲେ ମଧ୍ୟ ସେମାନେ ଫୋନ ଉଠାଉ ନାହାଁନ୍ତି।

ଅନ୍ୟ ପକ୍ଷରେ ବେହେରେନସିଲେଟ ଗାଁର ନାଏକ ପଡାକୁ ବସୁଧା ଯୋଜନା ପାଣି ପହଞ୍ଚି ପାରିନାହିଁ। ନାଏକ ପଡ଼ା ଲୋକ ମଧ୍ୟ ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନିକ ଅଧିକାରୀ ଏହି ପଡ଼ାକୁ ଆଜି କାଲି ପାଣି ଆସିଯିବ ବୋଲି କେବଳ ପ୍ରତିଶ୍ରୁତି ଦେଇଚାଲିଥିବା ପଡା ଲୋକ ଅଭିଯୋଗ କରିଛନ୍ତି । ପିଇବା ପାଣି ସମସ୍ୟା ଶୀଘ୍ର ସମାଧାନ କରିବାକୁ ଗାଁଲୋକ ଦାବି କରିଛନ୍ତି । ଯଦି ଦାବି ପୂରଣ ନହୁଏ ତେବେ ଆଗକୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ବେହେରେନସିଲେଟ ଗାଁରେ ଥିବା ଯୁବ ଆମ୍ବେଦକର ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.