ଗରାଏ ପାଣିର କରୁଣ ଦୃଶ୍ୟ

ଭୁବନେଶ୍ଵର:  ଜଳ ହିଁ ଜୀବନ କହିଲେ ଅତ୍ୟୁକ୍ତ ହେବନାହିଁ। କାରଣ ମଣିଷ ଶରୀର ହାରାହାରି ୬୦ ପ୍ରତିଶତ ଜଳରେ ଗଠିତ। ମଣିଷ କ୍ଷୁଧାର୍ତ୍ତ ହୋଇ କିଛି ସମୟ ରହିଯାଇପାରେ, ମାତ୍ର ତୃଷାର୍ତ୍ତ ହୋଇ ବହୁ ସମୟ ରହିପାରିନାହିଁ। ଦେଖାଯାଏ, ଅତ୍ୟନ୍ତ କ୍ଷୁଧା ହେଉଥିବା ବେଳେ କିଛିଟା ଜଳ ଆହରଣ କରିଦେଲେ, ମଣିଷକୁ ଟିକେ ଆଶ୍ୱସ୍ତ ଲାଗିଥାଏ। ଓଡ଼ିଆରେ ପ୍ରବାଦ ଅଛି “ଜଳ ବହୁଳେ ସୃଷ୍ଟି ନାଶ, ଜଳ ଗହଳେ ସୃଷ୍ଟି ନାଶ” କାରଣ ଏହା ଅସ୍ୱୀକାର କରାଯାଇ ନ ପାରେ ଯେ ଦୁନିଆଟା ସୃଷ୍ଟି ହୋଇଛି, ଅଗ୍ନି, ବାୟୁ ଓ ଜଳର ସମାହାରରେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ, ମଣିଷ ଶରୀରରେ ଅତ୍ୟଧିକ ମାତ୍ରାରେ ଜଳ ରହିଲେ ତାହା ଶରୀର ପ୍ରତି କ୍ଷତିକାରକ, ଅପରପକ୍ଷରେ ଠିକ୍‌‌ ସେହିପରି ମଣିଷ ଦେହରେ ଜଳର ପରିମାଣ କମିଗଲେ ତାହା ମଧ୍ୟ ଦେହ ପକ୍ଷେ ହାନିକାରକ। ତେଣୁ ଏ ସୃଷ୍ଟିର ଆବାହନରେ ବାୟୁ ପ୍ରଥମ ଉପାଦାନ ହେଲେ ଦ୍ୱିତୀୟ ଉପାଦାନଟି ଜଳ। ଜଳ ବିନା ମଣିଷ ବଞ୍ଚିବା କଷ୍ଟକର ହୋଇପଡ଼ିବ।
ପ୍ରସଙ୍ଗଟିର ମର୍ମକୁ ଆସିବା ପାଇଁ ବର୍ତ୍ତମାନ ଟିକେ ବାସ୍ତବତାକୁ ଆସିବା। ଗୋଟିଏ ଦିନ ଆମ କିଛି ବନ୍ଧୁମାନଙ୍କୁ କଳାହାଣ୍ଡି ଜିଲାର ଗୋଲମୁଣ୍ଡା ବ୍ଲକର ଯମୁନାପୁର ଗ୍ରାମ ପରିଦର୍ଶନର ସୁଯୋଗ ମିଳିଥିଲା। ସେଠାରେ ଆମେ, ମା’, ମାଉସୀ ଓ ଭଉଣୀମାନେ ବହୁ ଦୂରରୁ ଗରାଧରି ଆସି ଗୋଟିଏ ନଳକୂପ ଆଗରେ ଜଳ ଟିକକ ପାଇଁ ଧାଡ଼ି ବାନ୍ଧି ଠିଆ ହବାର କରୁଣ ଦୃଶ୍ୟ ଦେଖିବାକୁ ପାଇଲୁ, ଯାହା ଆମମାନଙ୍କ ହୃଦୟକୁ କୁଠାରଘାତ କଲା। ସମସ୍ତଙ୍କ କାଖରେ ଗୋଟିଏ ଗୋଟିଏ ଗରା ଦେଖିବାକୁ ମିଳିଲା ଏବଂ ଖରାଦିନଟାରେ ପାଣି ପାଇଁ ମା’ମାନେ ଅତ୍ୟନ୍ତ ଡହଳବିକଳ ହେଉଥାନ୍ତି।
ପାଠକେ, ପ୍ରକୃତରେ ଦେଖିବାକୁ ଗଲେ, ଆମ ରାଜ୍ୟର ଅଧିକାଂଶ ଗ୍ରାମାଞ୍ଚଳରେ ଜଳର ଅଭାବ ବିଶେଷତଃ ଗ୍ରୀଷ୍ମଦିନେ ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଛି। ଓଡ଼ିଶା ସରକାରଙ୍କର ଏକ ସଦ୍ୟ ରିପୋର୍ଟ ଅନୁଯାୟୀ, ପ୍ରାୟ ୪୦ ପ୍ରତିଶତରୁ ଅଧିକ ଗ୍ରାମୀଣ ପରିବାରର ଲୋକେ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଟନ୍ତି। ପୁନଶ୍ଚ ସରକାରୀ ଆକଳନ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୪୫ ପ୍ରତିଶତ ଗ୍ରାମୀଣ ପରିସରକୁ ପାଇପ ଯୋଗେ ଜଳ ଯୋଗାଣ ସମ୍ଭବ ହୋଇପାରିଛି। ଆସନ୍ତୁ ଜଳ ସମସ୍ୟାର କାରଣ ଓ ଏହାର ପ୍ରତିକାର ସମ୍ବନ୍ଧରେ ଏକ ଅନୁଶୀଳନ କରିବା। ବିଭିନ୍ନ ଜଳଯୋଗାଣର ସମସ୍ୟା ମଧ୍ୟରେ ପ୍ରଥମେ ଲୋକମାନଙ୍କୁ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ଜଳ ବିଶେଷଜ୍ଞମାନଙ୍କ ମତରେ, ପାନୀୟ ଜଳର ଅଭାବ ସାଧାରଣତଃ ନିମ୍ନ ଲିଖିତ କାରଣ ଯୋଗୁଁଁ ହୋଇଥାଏ। ଯଥା (୧) ଜଳବାୟୁର ପରିବର୍ତ୍ତନ (୨) ଭୂତଳ ଜଳ ସ୍ତର ନିମ୍ନଗାମୀ ହେବା (୩) ଜଳ ଦୂଷିତକରଣ (୪) ଜଳଯୋଗାଣ ପାଇଁ ଉପଯୁକ୍ତ ଭିତ୍ତିଭୂମିର ଅଭାବ (୫) ଦୂଷିତ ଓ ମଇଳା ଜଳକୁ ବିଶୁଦ୍ଧ କରିବାର କୌଶଳ ପ୍ରୟୋଗ ନ କରିବା ଇତ୍ୟାଦି। ଜଳବାୟୁ ପରିବର୍ତ୍ତନ ଜଳାଭାବର ଏକ ପ୍ରମୁଖ ସମସ୍ୟାଭାବେ ଉପୁଜିଛି। କାରଣ ଏହାର ସିଧାସଳଖ ବୃଷ୍ଟିପାତର ଅନିୟମିତତା, ଉପରେ ପ୍ରଭାବ ପକାଇଥାଏ। ଭୂପୃଷ୍ଠ ଉତ୍ତପ୍ତ ହେବା ଫଳରେ ବନ୍ୟା, ମରୁଡ଼ି, ବାତ୍ୟାର ପ୍ରଭାବ ଜଳାଭାବ ସୃଷ୍ଟି କରିଥାଏ। ବୃଷ୍ଟିପାତ ଠିକ୍‌‌ ଭାବରେ ମନସୁନ ସମୟରେ ହୁଏନାହିଁ। ଅତ୍ୟଧିକ ବହୁ ଦିନଧରି ଉତ୍ତପ୍ତ ଓ ଶୁଷ୍କ ଜଳବାୟୁର ଆବିର୍ଭାବ ପରେ ଅତ୍ୟଧିକ ମାତ୍ରାରେ ତୀବ୍ର ବୃଷ୍ଟିପାତ ପାନୀୟ ଓ କୃଷି ପାଇଁ ଜଳ ସଂରକ୍ଷଣ କରିବାରେ ବାଧା ସୃଷ୍ଟି କରିଥାଏ। ଏ ପ୍ରକାର ବୃଷ୍ଟିପାତକୁ ଇଂରାଜୀରେ Erratic Rainfall କୁହାଯାଏ। ଇରାଟିକ୍‌‌ ରେନଫଲ ଦ୍ୱାରା କିଛି କିଛି ଜାଗାରେ ମରୁଡ଼ି ହୋଇଯାଏ ତ ଆଉ କିଛି ଜାଗାରେ ବନ୍ୟା ପରିଲକ୍ଷିତ ହୋଇଥାଏ। ସମୁଦ୍ରକୂଳ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ହେବା ଫଳରେ ଲବଣାକ୍ତ ଜଳ ମଧୁରଜଳକୁ ଦୂଷିତ କରିଥାଏ। ଫଳରେ ତାହା ପାନୀୟ ଉପଯୋଗୀ ହୋଇ ନଥାଏ। ତୃତୀୟରେ ଭୂତଳ ଜଳସ୍ତର ନିମ୍ନଗାମୀ, ହେବାର ଅନେକ କାରଣ ଯଥା – ଅତ୍ୟଧିକ ମାତ୍ରାରେ ଗ୍ରୀଷ୍ମକାଳରେ ଭୂତଳ ଜଳର ବିନିଯୋଗ, ପରିବର୍ତ୍ତିତ ବୃଷ୍ଟିପାତ ବା ସଠିକ୍‌‌ ଭାବରେ ବର୍ଷା ନହେବା ଦ୍ୱାରା ଭୂତଳର ଜଳସ୍ତର କମି କମି ଯାଉଛି। ଉଚ୍ଚ ଅଟ୍ଟାଳିକା ନିର୍ମାଣ ସାଙ୍ଗକୁ ବୃକ୍ଷ ଛେଦନ ଭୂତଳ ଜଳର ନିମ୍ନଗାମୀ ହେବା ଏବଂ ଜଳ ସଂରକ୍ଷଣ ନ ହେବା ମଧ୍ୟ ଅନ୍ୟ କାରଣ ଅଟେ। ବାତ୍ୟାର ପ୍ରଭାବରେ ଜଳ ଉତ୍ସଗୁଡ଼ିକର ଭିତ୍ତିଭୂମି କ୍ଷତି ହେବା ଫଳରେ ପାନୀୟ ଜଳ ଯୋଗାଣରେ ବ୍ୟାଘାତ ଘଟିଥାଏ। ଜଳ ନଷ୍ଟ କରିବା ଓ ଆବଶ୍ୟକ ଠାରୁ ଅଧିକ ଜଳ ବ୍ୟବହାର ପାନୀୟ ଜଳ ଅଭାବ ଆଉ ଏକ ମୁଖ୍ୟ କାରଣ। ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁଁ ଅଧିକ ଜଳ ବ୍ୟବହାର ହେବା ନିଶ୍ଚିତ। ଅଧିକାଂଶ କ୍ଷେତ୍ରରେ ଦୂଷିତ ଜଳକୁ ବିଶୋଧିତ କରି ପାନୀୟ ଜଳରେ ପରିଣତ କରିବାର ବୈଜ୍ଞାନିକ କୌଶଳର ଉପଯୋଗ କରାଯାଇପାରୁ ନାହିଁ।
ଏକ ସଦ୍ୟ ଆକଳନ ଅନୁଯାୟୀ, ଜଣାଯାଇଛି ଯେ, ୨୦୫୦ ମସିହା ବେଳକୁ ଓଡ଼ିଶାରେ ଅତ୍ୟନ୍ତ ଜଳକ୍ଲିଷ୍ଟ ବା ଜଳାଭାବ ପରିଲକ୍ଷିତ ହେବ। ଯାହାଫଳରେ ମୋଟ୍‌‌ ଜଳର ଆବଶ୍ୟକତା ଓ ପ୍ରୟୋଜନୀୟତାଠାରୁ ପ୍ରାପ୍ୟ ଜଳର ପରିମାଣ କମିଯିବ। ଏପରି ଜଳ ପରିମାଣ କମିଯିବାର କାରଣ ହେଲା (୧) ଜନସଂଖ୍ୟା ବୃଦ୍ଧି, (୨) ଭୂତଳ ଜଳ ସମ୍ବଳର ଅବକ୍ଷୟ, (୩) ଫଳପ୍ରଦ ଜଳ ପରିଚାଳନାର ଅଭାବ, (୪) ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ପାଇଁ ନୂତନ ଜଳ ସଂରକ୍ଷଣ କୌଶଳର ଅଭାବ ଇତ୍ୟାଦି। ତେଣୁ ଆମମାନଙ୍କୁ ଉପରୋକ୍ତ ଜଳ ଅଭାବର ସମସ୍ୟାଗୁଡ଼ିକ ବିଭିନ୍ନ ବୈଷୟିକ କୌଶଳ ଦ୍ୱାରା ସମାଧାନ କରିବାକୁ ପଡ଼ିବ। ସେଗୁଡ଼ିକ ହେଲା ବର୍ଷାଜଳ ଅମର କୌଶଳ, ଉନ୍ନତ ଜଳ ପରିଚାଳନା ପଦ୍ଧତି, ଯଥା – ଫଳପ୍ରଦ ଜଳସେଚନ ଦ୍ୱାରା ଜଳର ନିୟନ୍ତ୍ରଣ, ଶିଳ୍ପରୁ ନିଃସୃତ ଜଳକୁ ଶିଳ୍ପ ଜଳ ଚକ୍ର ଦ୍ୱାରା ବିଶୋଧନକରି ପାନୀୟ ଜଳ ପାଇଁ ଉପଯୁକ୍ତ କରିବା, ଜଳ ଭିତ୍ତିଭୂମିର ଉନ୍ନତିକରଣ ଯଥା – ନୂତନ ଜଳ ବିଶୋଧନ ପ୍ଲାଣ୍ଟର ନିର୍ମାଣ, ପାଇପ ଲାଇନ ବିଛେଇବାର ସୁବ୍ୟବସ୍ଥା ଇତ୍ୟାଦି। ଲବଣାକ୍ତ ଜଳକୁ ମଧୁର ଜଳରେ ପରିଣତ କରିବାର କୌଶଳ ଆପଣେଇବା ଏବଂ କାଳକ୍ରମେ ପାନୀୟ ଉପଯୋଗୀ କରିବା। ଜଳର ଅପବ୍ୟବହାର ନ କରିବା ଅର୍ଥାତ୍‌‌ ଆବଶ୍ୟକତା ଅନୁଯାୟୀ ଜଳ ବିନିଯୋଗ କରିବା ଏବଂ ବର୍ଷାଜଳ ସଂରକ୍ଷଣ କରିବାର ବିଭିନ୍ନ ଉପାୟ ଅବଲମ୍ବନ କରାଯିବା ଉଚିତ।
ଶେଷରେ ଆସନ୍ତୁ, ସମସ୍ତେ ମିଳିମିଶି ଉପରଲିଖିତ ଜଳସମସ୍ୟାଗୁଡ଼ିକର ଉପଯୁକ୍ତ ଅନୁଧ୍ୟାନ କରି ସମାଧାନର ବାଟ ଖୋଜି ବାହାର କରିବା ନଚେତ୍‌‌ ଗରାଏ ପାଣିର ଆକୁଳ ବେଦନା କାଳକ୍ରମେ ଗିଲାସେ ପାଣିର ବେଦନାରେ ପରିଣତ ହୋଇ ଯାଇପାରେ। ଯାହା ଆଜି ଆମ ମାନଙ୍କ ସମ୍ମୁଖରେ ଏକ ଗମ୍ଭୀର ପ୍ରଶ୍ନବାଚୀ ।

Comments are closed.