ଭକ୍ତ ଦାସିଆ ପୀଠର ସର୍ବାଙ୍ଗୀଣ ଉନ୍ନତି ଦିଗରେ ୧୮ଗୋଟି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ଦାବି
ଭକ୍ତ ଦାସିଆ ସ୍ମୃତି କମିଟିର ସମୀକ୍ଷା ବୈଠକରେ ପ୍ରସ୍ତାବ ଗୃହୀତ

ପିପିଲି: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ପିପିଲି ବାଲିଗାଁସ୍ଥିତ ଜନ୍ମ ଓ ସାଧନା ପୀଠର ସର୍ବାଙ୍ଗୀଣ ଉନ୍ନତି ନିମନ୍ତେ ୧୮ଗୋଟି ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ଦାବି ହୋଇଛି। ଭକ୍ତ ଦାସିଆ ସ୍ମୃତି କମିଟିର ମାସିକ ସମୀକ୍ଷା ବୈଠକରେ ଏନେଇ ପ୍ରସ୍ତାବ ଗୃହୀତ ହେବା ସଙ୍ଗେ ସଙ୍ଗେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗରୁ ଏଥିମଧ୍ୟରେ ଏହି ପୀଠର ଉନ୍ନତିକରଣ ପାଇଁ ୨କୋଟି ଟଙ୍କା ଆର୍ଥିକ ଅନୁଦାନ ମଞ୍ଜୁର ହୋଇଥିବାରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କୁ ବୈଠକରେ ଭୂୟସୀ ପ୍ରଶଂସା କରାଯିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି।
ଭକ୍ତ ଦାସିଆ ସ୍ମୃତି କମିଟିର ସଭାପତି ଡଃ. ପ୍ରତିଭା ମହାରଥୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସହୀଦନଗର ବିଷ୍ଣୁ ମନ୍ଦିର ପରିସରସ୍ଥ ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରାକ୍ତନ ଯନ୍ତ୍ରୀ ମୁଖ୍ୟ ଇଂ ଦେବନାରାୟଣ ପାଲ, କିଟ୍ +୨ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଚିତ୍ତରଞ୍ଜନ ମିଶ୍ର, ଇଂ ବସନ୍ତ କୁମାର ମିଶ୍ର, ଇଂ ସୁରେନ୍ଦ୍ର ନାଥ ପଣ୍ଡା ପ୍ରମୁଖ ଯୋଗଦେଇ ବାଲିଗାଁ ସ୍ଥିତ ଭକ୍ତ ଦାସିଆ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଐତିହ୍ୟ ପୁଷ୍କରଣୀ ଗୋଠଗଡ଼ିଆର ପୁନରୁଦ୍ଧାର କରାଯିବା, ରତ୍ନଚିରା ନଦୀରେ ନୌକାବିହାର, ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆନନ୍ଦ ବଜାର ନିର୍ମାଣ, କମ୍ୟୁନିଟ୍ ହଲ, ଭକ୍ତ ନିବାସ, ଯାତ୍ରୀବାହୀ ବସର ପାର୍କିଂ ବ୍ୟବସ୍ଥା, ଭକ୍ତ ଦାସିଆଙ୍କ ଆଲୌକିକତା ଆଧାରରେ ମ୍ୟୁଜିୟମ ପ୍ରତିଷ୍ଠା, ତୁଳସୀ ଉଦ୍ୟାନ ଓ ପଦ୍ମପୋଖରୀର ଉନ୍ନତିକରଣ, ଗୁଣ୍ଡିଚା ଘର, ସ୍ନାନମଣ୍ଡପର ନବିକରଣ ଆଦି ବିଭିନ୍ନ ୧୮ ଗୋଟି ପ୍ରକଳ୍ପର ଉନ୍ନୟନ ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆର୍କଷଣ କରିଥିଲେ। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରୁ ଉକ୍ତ ପୀଠକୁ ସଂଯୋଗ କରିଥିବା ସଡ଼କର ପ୍ରଶସ୍ତିକରଣ କରାଯାଇ ରାସ୍ତାର ଉଭୟ ପାର୍ଶ୍ବରେ ଆଲୋକିକରଣ ବ୍ୟବସ୍ଥା କରାଯିବା, ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାରୀ ବସ୍କୁ ପୀଠ ପର୍ଯ୍ୟନ୍ତ ଚଳାଚଳ କରାଯିବା ନିମନ୍ତେ ସରକାରଙ୍କୁ ଅନୁରୋଧ କରାଯିବା ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା। ବୈଠକ ପ୍ରାରମ୍ଭରେ ସଂଗୀତକାର ଅଜୟ ଦାସ, ବଂଶୀବାଦକ ପର୍ଶୁରାମ ଦାସ ପ୍ରମୁଖ ଶ୍ରୀଜଗନ୍ନାଥଙ୍କ ସଂଗୀତ ପରିବେଷଣ କରିଥିବାବେଳେ ଅନୁଷ୍ଠାନର ସାଧାରଣ ସଂପାଦକ ଡଃ ଘନଶ୍ୟାମ ସ୍ୱାଇଁ ଅନୁଷ୍ଠାନର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ବରିଷ୍ଠ ସଦସ୍ୟ ଅର୍ଜ୍ଜୁନ ଚରଣ ସାମଲ, ଡ଼କ୍ଟର ଦୁର୍ଗାପ୍ରସାଦ ମିଶ୍ର, ଦିଲ୍ଲିପ କୁମାର ଦ୍ୱିବେଦୀ, ଲକ୍ଷ୍ମୀନାରାୟଣ ଦାସ, ପଞ୍ଚାନନ ନାୟକ, ସମାଜସେବୀ ମନୋରମା ମହାପାତ୍ର, ସପନ କୁମାର ଦାସ, ତ୍ରିନାଥ ଲେଙ୍କା, ବୃନ୍ଦାବନ ମହାପାତ୍ର, ଗୋପାଳ ବଳ ପ୍ରମୁଖ ବୈଠକରେ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ସାଂସ୍କୃତିକ ସଂପାଦକ ସରୋଜ କୁମାର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.