ଲାଲ ସାଗରରେ ଯୁଦ୍ଧ ପରିସ୍ଥିତି

ଆମେରିକା-ଇରାନ ମୁହାଁମୁହିଁ

ଆମେରିକୀୟ ତୈଳ ଟ୍ୟାଙ୍କରକୁ ଜବତ କଲା ଇରାନ,  ଆମେରିକା ପଠାଇଲା ୩ ହଜାର ସୈନିକ
ଆକ୍ରମଣର ଜବାବ ଦେବୁ: ଇରାନ,  ସୀମା ଲଙ୍ଘିଛି ଇରାନ: ଆମେରିକା

prayash

ନୂଆଦିଲ୍ଲୀ : ଲାଲ ସାଗରରେ ଆମେରିକୀୟ ଟ୍ୟାଙ୍କର ଉପରେ ଇରାନ ଦଖଲ କରିବା ପରେ ଯୁଦ୍ଧ ସ୍ଥିତି ଉତ୍ପନ୍ନ ହୋଇଛି। ଇରାନର ଏହି ପଦକ୍ଷେପର ଜବାବରେ ୩୦୦୦ରୁ ଅଧିକ ଆମେରିକୀୟ ନୌ ସୈନିକ ଦୁଇ ଯୁଦ୍ଧପୋତରେ ଲାଲ୍ ସାଗରରେ ପହଞ୍ଚିଛନ୍ତି। ଆମେରିକା ନୌସେନା କହିଛି ଯେ ଦେଶର ନାଭିକ ଏବଂ ନୌ ସୈନିକ ପୂର୍ବ ନିର୍ଦ୍ଧାରିତ ମୁତୟନ ଅନୁସାରେ ସୁଏଜ କେନାଳ ଦେଇ ଲାଲ ସାଗରରେ ପ୍ରବେଶ କରିଛି। ଅନ୍ୟପଟେ ଇରାନ ମଧ୍ୟ ଧମକ ଦେଇ କହିଛି, ସେ ଆମେରିକାର ଯେକୌଣସି ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ। ଇରାନ ମଧ୍ୟ ଲାଲ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ନିଜ ନୌସେନାକୁ ହାଇ ଆଲର୍ଟରେ ରଖିଛି।
ଆମେରିକୀୟ ନୌସେନାର ପଞ୍ଚମ ଜାହାଜର ମୁଖପାତ୍ର କହିଛି, ଆମେରିକୀୟ ନୌସେନାର ଯବାନ ଦୁଇଟି ଯୁଦ୍ଧପୋତରେ ଲାଲ ସାଗରରେ ପହଞ୍ଚିଛନ୍ତି। ଏହି ଦୁଇ ଯୁଦ୍ଧପୋତ ଏବଂ ୩୦୦୦ରୁ ଅଧିକ ନୌ ସୈନିକ ଏଠାରେ ପହଞ୍ଚିବା ପରେ ଲାଲ ସାଗରରେ ଆମେରିକାର ଶକ୍ତି ବହୁ ଅଧିକ ହୋଇଛି। ଇରାନ ଗତ ଦୁଇ ବର୍ଷରେ ଏହି କ୍ଷେତ୍ରରେ ପ୍ରାୟ ୨୦ ଅନ୍ତର୍ଜାତୀୟ ପତାକା ଥିବା ଜାହାଜକୁ ଜବତ କରିଛି କିମ୍ୱା ନିଜ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରୟାସ କରିଛି। ଆମେରିକୀୟ ଜାହାଜ ସମୁଦ୍ର କୂଳରେ ସୈନିକ ଏବଂ ବାହନଗୁଡିକୁ ସହଜରେ ଓହ୍ଲାଇପାରିବ।
ଆମେରିକୀୟ ନୌସେନାର ମୁଖପାତ୍ର କମାଣ୍ଡର ଟିମ ହକିନ୍ସ କହିଛନ୍ତି, ‘ଆମେ କାମ କରିବା ବେଳେ ଏହି ୟୁନିଟ ଗୁରୁତ୍ୱପୂର୍ଣ୍ଣ ଅପରେସନଲ କ୍ଷମତାକୁ ବଢାଇଥାନ୍ତି। ଏହାଦ୍ୱାରା ଆମେ ଏହି ଅଞ୍ଚଳରେ ଅସ୍ଥିର ଗତିବିଧିକୁ ରୋକିବା ସହ ଇରାନଠାରୁ ଆମେ ଏହି ଜାହାଜଗୁଡିକୁ ରକ୍ଷା କରିପାରିବୁ। ଏହି ଅଞ୍ଚଳରେ ଉତ୍ତେଜନାକୁ କମ୍‌ କରିବାରେ ସହଯୋଗ ମିଳିବ’। ଜୁଲାଇ ୫ରେ ଓମାନ ନିକଟରେ ଅନ୍ତର୍ଜାତୀୟ ଜଳ କ୍ଷେତ୍ରରେ ବାଣିଜ୍ୟିକ ଟ୍ୟାଙ୍କରକୁ ଜବତ କରିବା ନେଇ ଇରାନ ପ୍ରୟାସକୁ ଏହାର ସୈନିକ ବିଫଳ କରିଥିଲେ। ତୈଳ ଟ୍ୟାଙ୍କର ଦଖଲ କରି ଇରାନ ସୀମା ଲଙ୍ଘନ କରିଛି ବୋଲି ଆମେରିକା କହିଛି।
୧୯୪୫ରେ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମାପ୍ତ ପରେ ଆମେରିକା ନିଜକୁ ବିଶ୍ବର ସର୍ବଶକ୍ତିମାନ ରାଷ୍ଟ୍ର ଭାବେ ପ୍ରତିପାଦିତ କରି ପାରିଥିଲା। ମଧ୍ୟ-ପ୍ରାଚ୍ୟ ଦେଶ ସମୂହର ସମସ୍ତ ନେତା ଆମେରିକାର ବଶତା ସ୍ବୀକାର କରନ୍ତୁ ବୋଲି ଆମେରିକା ଚାହେଁ। ଦ୍ବିତୀୟ ବିଶ୍ବଯୁଦ୍ଧ ଜାରି ରହିଥିବା ସମୟରେ ଇରାନରେ ଏକ ବୃହତ୍‌ ତୈଳ କୂପର ସନ୍ଧାନ ମିଳିଥିଲା। ଏହାକୁ ବ୍ରିଟେନର ଏକ କମ୍ପାନୀ ଆବିଷ୍କାର କରିଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଇରାନକୁ ପହଲବୀ ରାଜବଂଶ ଶାସନ କରୁଥିଲା। ୧୯୪୯ରେ ତତ୍କାଳୀନ ଇରାନ ରାଜା ମହମ୍ମଦ ରାଜା ଶାହା ଦେଶରେ ସମ୍ବିଧାନ ଲାଗୁ କରିଥିଲେ। ସମ୍ବିଧାନ ଲାଗୁ ହେବା ପରେ ଦେଶର ୭ଜଣ ପ୍ରଧାନମନ୍ତ୍ରୀ ଦାୟିତ୍ବ ନିର୍ବାହ କରିଥିଲେ। ଏମାନଙ୍କ କାର୍ଯ୍ୟକାଳ ଥିଲା କମ୍‌ ଦିନ। ୧୯୫୨ରେ ଇରାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋଦାଦିକ୍‌ ଦେଶର ସମସ୍ତ ତୈଳ କୂପଗୁଡ଼ିକର ରାଷ୍ଟ୍ରୀୟକରଣ କରିଥିଲେ। ଏହା ବ୍ରିଟେନ ସରକାରଙ୍କୁ ବାଧି ଥିଲା। କାରଣ ସେତେବେଳେ ବ୍ରିଟେନର ଉକ୍ତ ତୈଳ କମ୍ପାନୀ ଇରାନର ସମସ୍ତ ତୈଳ କୂପଗୁଡ଼ିକର ମାଲିକ ଥିଲା। ବ୍ରିଟେନ ସ୍ବାର୍ଥରେ ବାଧା ପଡ଼ିବାରୁ ଆମେରିକା ସହ ମିଶି ଏହି ଦେଶର ଇରାନର ପ୍ରଧାନମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିବାରେ ସଫଳ ହୋଇ ପାରିଥିଲା। ଏହା ପରେ ପରେ ଦେଶରେ କେବଳ ମାସେ/ ଦୁଇମାସ ପାଇଁ କେହି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଥିଲେ। ଦେଶର ବାସ୍ତବିକ ମୁଖ୍ୟ ଥିଲେ ରାଜା ମହମ୍ମଦ ରାଜା ଶାହା। ତେଣୁ ଆମେରିକା ଓ ବ୍ରିଟେନର ପ୍ର​‌େ​‌ରାଚନାରେ ଶିକାର ହୋଇ ସେ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ବଦଳାଇବାରେ ଲାଗିଲେ। ଏଥିପାଇଁ ଇରାନର ଜନତା ଶାହାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜା ଶାହା ଆମେରିକା ଓ ବ୍ରିଟେନର ଖେଳନା ସାଜିଛନ୍ତି ବୋଲି ଇରାନବାସୀ ମନେ କରିଥିଲେ। ତାଙ୍କ ବିରୋଧୀ ଜନଆନ୍ଦୋଳନ ତେଜିଲା। ଅୟତୁଲ୍ଲା ଅଲ୍ଲୀ ଖାମେନେଇ ନାମକ ଜଣେ ଏହି ଜନ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ୧୯୭୮ରେ ଶାହାଙ୍କ ବିରୋଧରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ରାଜା ଶାହା ଦେଶରେ ମାର୍ଶଲ ଲ’ ଲାଗୁ କରିଥିଲେ। ଇରାନବାସୀ ଏହା ଜାଣି ଶାହାଙ୍କ ବିରୋଧରେ ଆମରଣ ବିକ୍ଷୋଭ ଚଳାଇଲେ। ଜୀବନକୁ ବିପଦ ଥିବା ଭାବି ଶେଷରେ ୧୬ ଜାନୁଆରୀ ୧୯୭୯ରେ ରାଜା ସାହା ଦେଶଛାଡ଼ି ଆମେରିକା ପଳାୟନ କରିଥିଲେ। ଏହାପରେ ଦେଶର ଜନତା ଖାମେନେଇଙ୍କୁ ନେତା ଭାବେ ମନୋନୀତ କରିଥିଲେ। ଏହିଠାରୁ ହଁ ଇରାନର ପାଶ୍ଚାତ୍ୟ ନିତି ବଦଳିବାରେ ଲାଗିଲା। ଇରାନର ତୈଳ କୂପଗୁଡ଼ିକରୁ ଆ​ମେରିକା ଓ ବ୍ରିଟେନ ପ୍ରଚୁର ଅର୍ଥ କମାଉଥିଲେ। ତେବେ ଖାମେନେଇ କ୍ଷମତା ଲାଭ କରିବାରେ ଆମେରିକୀୟ କମ୍ପାନୀଗୁଡ଼ିକୁ ବନ୍ଦ କରି ଦେଇଥିଲେ। ପୂର୍ବରୁ ଆମେରିକା ସରକାର ଇରାନର ଶାସକ ମନୋନୀତ କରୁଥିଲେ। ତେବେ ଖାମେନେଇ ଏଥିରେ ପରିବର୍ତ୍ତନ କରିଥିଲେ। ଆମରିକାର ସ୍ବାର୍ଥରେ ବାଧା ଉପୁଜିବାରୁ ଖାମେନେଇଙ୍କୁ କିପରି ହଟାଯିବ ସେ ନେଇ ଉକ୍ତ ଦେଶ ଚକ୍ରାନ୍ତ ଚଳାଇଥିଲା। ୧୯୮୦ରେ ଯେତେବେଳେ ତତ୍କାଳୀନ ଇରାକୀ ଶାସକ ସଦ୍ଦାମ ହୁସେନ ଇରାନ ଉପରେ ଆକ୍ରମଣ କଲେ ସେତେବେଳେ ଆମେରିକା ସରକାର ଇରାନ ବିରୋଧରେ ସଦ୍ଦାମଙ୍କୁ ସମର୍ଥନ ଯୋଗାଇ ଥିଲେ। ଏହିଠାରୁ ଆମେରିକା ଓ ଇରାନର ମୁହାଁମୁହିଁ ବିବାଦ ଆରମ୍ଭ ହୋଇଥିଲା। ମଧ୍ୟ-ପ୍ରାଚ୍ୟର ଅନେକ ଦେଶ ଆମେରିକାର ପ୍ରଭୂତ୍ବ ସ୍ବୀକାର କରିଥିଲେ ହେଁ ଇରାନ ଏ ପର୍ଯ୍ୟନ୍ତ କରି ନାହିଁ।

Comments are closed.