ଭାରତ ଛାଡ଼ିବେ ବିରାଟ-ଅନୁଷ୍କା, ସବୁଦିନ ପାଇଁ ଲଣ୍ଡନରେ ରହିବେ
ନୂଆଦିଲ୍ଲୀ : କ୍ରିକେଟ୍ ତାରକା ବିରାଟ କୋହଲି ଓ ତାଙ୍କ ପତ୍ନୀ ବଲିଉଡ୍ ତାରକା ଅନୁଷ୍କା ଶର୍ମା ଭାରତ ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି। ଦୁହେଁ ସେମାନଙ୍କ ଦୁଇ ସନ୍ତାନ ଭାମିକା ଓ ଆକାୟଙ୍କ ସହ ସବୁଦିନ ପାଇଁ ଲଣ୍ଡନରେ ରହିବେ। ଏହି ସୂଚନା ଦେଇଛନ୍ତି କୋହଲିଙ୍କ ପିଲାଦିନର ପ୍ରଶିକ୍ଷକ ରାଜକୁମାର ଶର୍ମା। ଭାରତ ପାଇଁ ଖେଳୁନଥିବା ବେଳେ କୋହଲି ସପରିବାର ଲଣ୍ଡନ୍ରେ ରହିବେ। କେବଳ ଖେଳିବା ପାଇଁ ସେ ଭାରତ ଆସିବେ ଏବଂ ଦଳ ସହ ବିଦେଶକୁ ଯିବେ। ହେଲେ ଅବସର ନେବା ପରେ ବିରାଟ ସପରିବାର ଲଣ୍ଡନରେ ରହିବେ। ଚଳିତବର୍ଷ ମଧ୍ୟ ଭାରତ ପାଇଁ ଖେଳୁନଥିବା ବେଳେ କୋହଲି ଓ ଅନୁଷ୍କା ଲଣ୍ଡନ୍ରେ ରହୁଥିଲେ। ଗତ ଆଇପିଏଲ୍ ପରେ କୋହଲି ଟ୍ବେଣ୍ଟି୨୦ ବିଶ୍ବକପ୍ ଖେଳିଥିଲେ। ଭାରତ ଚମ୍ପିଆନ୍ ହେବା ପରେ ସସ୍ତ୍ରୀକ କୋହଲି ଲଣ୍ଡନ ଚାଲି ଯାଇଥିଲେ। ପରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳା ଖେଳିବାକୁ ସେ ଆସିଥିଲେ। ଉକ୍ତ ଶୃଙ୍ଖଳା ପରେ ମଧ୍ୟ କୋହଲି ଲଣ୍ଡନ୍ ଯାଇଥିଲେ। ଅଗଷ୍ଟ ପର୍ଯ୍ୟନ୍ତ ରହିବା ପରେ ଘରୋଇ ଶୃଙ୍ଖଳା ଖେଳିବା ପାଇଁ କୋହଲି ଭାରତ ଆସିଥିଲେ। ଭାରତ ଚମ୍ପିଆନ୍ସ ଟ୍ରଫି ଖେଳିବା ପରେ କୋହଲି-ଅନୁଷ୍କା ଲଣ୍ଡନ୍ ଯିବେ ଏବଂ ଆଇପିଏଲ୍ ଖେଳିବାକୁ ମାର୍ଚ୍ଚରେ ଆସିବେ। ଗୁରୁବାର ବିରାଟ ପତ୍ନୀ ଅନୁଷ୍କାଙ୍କ ସହ ମେଲ୍ବୋର୍ଣ୍ଣରେ ପହଞ୍ଚିବା ପରେ ଜଣେ ମହିଳା ସାମ୍ବାଦିକ ଅନୁଷ୍କା ଓ ଦୁଇ ସନ୍ତାନଙ୍କ ଭିଡିଓ ସୁଟିଂ କରିଥିଲେ। ଏଥିରେ କୋହଲି ରାଗିଯାଇ ଉକ୍ତ ସାମ୍ବାଦିକଙ୍କ ସହ ଯୁକ୍ତିତର୍କ କରିଥିଲେ। ପୁଣି ଭାରତରେ ସାମ୍ବାଦିକମାନେ ବାରମ୍ବାର ତାଙ୍କ ପତ୍ନୀ ଓ ଦୁଇ ସନ୍ତାନଙ୍କ ଫଟୋ ଉଠାଉଥିବାରୁ କୋହଲି ଏହାକୁ ନେଇ ଅସନ୍ତୁଷ୍ଟ। ତେଣୁ ଲଣ୍ଡନ୍ରେ ତାଙ୍କ ପରିବାରର ଗୋପନୀୟତା ବଜାୟ ରହିବ ବୋଲି କୋହଲି ଅନୁଭବ କରିଛନ୍ତି। କ୍ରିକେଟ୍ରୁ ଅବସର ପରେ ପତ୍ନୀ ଓ ସନ୍ତାନଙ୍କ ସହ କୋହଲି ଲଣ୍ଡନ୍ରେ ସବୁଦିନ ପାଇଁ ରହିବେ ବୋଲି ରାଜକୁମାର କହିଛନ୍ତି। ନିକଟରେ ବିରୁଷ୍କା ଲଣ୍ଡନରେ ଏକ ମ୍ୟାନେଜମେଣ୍ଟ କମ୍ପାନୀ ଖୋଲିଛନ୍ତି। କ୍ରିକେଟ୍ ଛାଡ଼ିବା ପରେ ଲଣ୍ଡନ୍ରେ ସେ ବ୍ୟବସାୟ କରିବାକୁ କୋହଲି ନିଷ୍ପତ୍ତି ନେଇଛନ୍ତି। ପୁଣି ୨୦୨୧୮ରେ ‘ଜିରୋ’ ପରେ ଅନୁଷ୍କାଙ୍କୁ କୌଣସି ଚଳଚ୍ଚିତ୍ରରେ ବଡ଼ ଭୂମିକା ମିଳିନାହିଁ।
Comments are closed.