ହ୍ୟାଣ୍ଡବଲ ଚମ୍ପିଆନସିପ୍‌‌ ଉଦ୍‌‌ଘାଟିତ

କେନ୍ଦୁଝରଗଡ଼: କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମରେ ମଙ୍ଗଳବାର ପୂର୍ବାହ୍ନରେ ୨୧ତମ ରାଜ୍ୟସ୍ତରୀୟ ସବ୍‌‌ଜୁନିୟର ବାଳକ ବାଳିକା ହ୍ୟାଣ୍ଡବଲ ଚମ୍ପିଆନସିପ ଉଦ୍‌‌ଘାଟିତ ହୋଇଯାଇଛି। ଦୁଇଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ପ୍ରତିଯୋଗିତାରେ ୧୫ଟି ଜିଲାର ୨୪ଟି ଦଳର ୩୨୦ ଜଣ ଖେଳାଳୀ, ୧୧୦ ଜଣ ଷ୍ଟେଟ ଅଫିସିଆଲ, ରେଫରି ଓ ସ୍ୱେଛାସେବୀ ଯୋଗଦାନ କରିଛନ୍ତି। କେନ୍ଦୁଝର ବନଖଣ୍ଡର ଅଧିକାରୀ ଧନରାଜ ଏଚ.ଡି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରିବା ସହ ସମସ୍ତ ଖେଳାଳୀ ଖେଳୁୱାର୍ଡ ମନୋଭାବ ନେଇ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ। ପ୍ରେସ କ୍ଲବ କେନ୍ଦୁଝରର ଭାରପ୍ରାପ୍ତ ସଭାପତି ଜୟକୃଷ୍ଣ ପଣ୍ଡା, ରାଜ୍ୟ ହ୍ୟାଣ୍ଡବଲ ସଂଘ ସମ୍ପାଦକ ଇଂ ମାନସ କୁମାର ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲା ହ୍ୟାଣ୍ଡବଲ ସଂଘ ସଭାପତି ଇଂ ବସନ୍ତ କୁମାର ଦାନି ଓ ସମ୍ପାଦକ ରିତିକ ଅଧିକାରୀ ମଞ୍ଚାସୀନ ଥିଲେ।

୨୦୨୫ ରେ କେନ୍ଦୁଝର ହ୍ୟାଣ୍ଡବଲ ସଂଘ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଥିବାରୁ ଜିଲାରେ ପ୍ରଥମଥର ଏକ ଜାତୀୟସ୍ତରର ପ୍ରତିଯୋଗିତା ଆୟୋଜନ କରିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଆର୍ନ୍ତଜାତୀୟ ହ୍ୟାଣ୍ଡବଲ ରେଫରୀ ତଥା କେନ୍ଦୁଝର ସଂଘର ପ୍ରମୁଖ କର୍ମକର୍ତ୍ତା ପ୍ରଣୟ ପାଣିୀ ଏହା କହିଛନ୍ତି। କେନ୍ଦୁଝର ଜିଲାରେ ଏହି ଖେଳ ଦିନକୁ ଦିନ ଶିର୍ଷକୁ ପହଞ୍ଚିବା ସହ ପ୍ରତିବର୍ଷ ଭଲ ମ୍ୟାଚ ଆୟୋଜନ ହୋଇ ପଡ଼ିଆରେ ସବୁବେଳେ ପିଲା ଖେଳୁଛନ୍ତି ଓ ଏଥିରୁ ଭଲ ଖେଳାଳୀ ବାହାରୁଛନ୍ତି। ଏଣୁ ଏହିଭଳି ଖେଳ ଜାରି ରହୁ। ମୁଁ ଏଠାରେ ଥାଏ କି ନ ଥାଏ ଯେବେ ଜାତୀୟସ୍ତରର ଖେଳ ହେବ ମୁଁ ନିଶ୍ଚିନ୍ତ ଆସିବି ବୋଲି ମୁଖ୍ୟଅତିଥି ଶ୍ରୀ ଧନରାଜ ଏହା କହିଛନ୍ତି। ପ୍ରତିଯୋଗିତାର ପ୍ରଥମଦିନରେ ଲିଗ ଖେଳରେ ବାଳକ ବିଭାଗରେ ଆୟୋଜକ କେନ୍ଦୁଝର ଜଗତସିଂପୁରକୁ ୨୮-୩, ପୁରୀ ଭଦ୍ରକକୁ ୧୨-୮, ଦେବଗଡ଼଼ ଜଗତସିଂପୁରକୁ ୯-୨, କେନ୍ଦୁଝର ପୁରୀକୁ ୨୩-୭, ଦେବଗଡ଼ ପୁରୀକୁ ୧୬-୧୧, ଗଞ୍ଜାମ ଯାଜପୁରକୁ ୧୧-୫, ଢେଙ୍କାନାଳ ବଲାଙ୍ଗିରକୁ ୧୧-୭, ଗଞ୍ଜାମ ଭୁବନେଶ୍ୱରକୁ ୧୨-୯, ଯାଜପୁର ବଲାଙ୍ଗିରକୁ ୧୬-୭, ଭୁବନେଶ୍ୱର ଢେଙ୍କାନାଳକୁ ୮-୫ ଗୋଲରେ ପରାସ୍ତ କରିଥିବା ବେଳେ ବାଳିକା ଲିଗ ମ୍ୟାଚରେ କେନ୍ଦୁଝର ଦେବଗଡ଼କୁ ୮-୪ ଓ ଯାଜପୁର ଭଦ୍ରକକୁ ୧୩-୨ ଗୋଲରେ ପରାସ୍ତ କରିଛି।

Comments are closed.