ୟୁଟ୍ୟୁବରଙ୍କୁ ୯.୫ କୋଟି ଜରିମାନା, ଭୁଲ ତଥ୍ୟ ଦେଇ ନିବେଶକଙ୍କୁ ଷ୍ଟକ ବଜାର ପ୍ରତି ଆକର୍ଷିତ କରୁଥିଲେ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ପ୍ରତିଭୁତ୍ତି ବିନିମୟ ବୋର୍ଡ(ସେବି) ଜଣେ ୟୁଟ୍ୟୁବ ଇନ୍‌ଫ୍ଲୁଏନ୍ସରଙ୍କୁ ୯ କୋଟି ୫୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛି। ନିବେଶ ସଂକ୍ରାନ୍ତ ଦୁର୍ନୀତିରେ ସମ୍ପୃକ୍ତ ଥିବା ୟୁଟ୍ୟୁବର ତଥା ଷ୍ଟକ ମାର୍କେଟ ବ୍ୟବସାୟୀ ରବିନ୍ଦ୍ର ବାଲୁ ଭାରତୀ ଏବଂ ତାଙ୍କ କମ୍ପାନୀ ରବିନ୍ଦ୍ର ଭାରତୀ ଏଜୁକେସନ ଇନଷ୍ଟିଚ୍ୟୁଟ ବିରୋଧରେ ସେବି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ସହିତ ରବିନ୍ଦ୍ର ଏବଂ ତାଙ୍କ କମ୍ପାନୀଙ୍କୁ ସେବି ପକ୍ଷରୁ ଷ୍ଟକ ମାର୍କେଟରୁ ଆସନ୍ତା ୨୦୨୫ ଏପ୍ରିଲ ୪ ପର୍ଯ୍ୟନ୍ତ ବାସନ୍ଦ କରାଯାଇଛି। ଜରିମାନା କରାଯାଇଥିବା ଅର୍ଥ ​ ସେ ବେଆଇନ ଉପାୟରେ ରୋଜଗାର କରିଥିବାରୁ ତାହାକୁ ଫେରସ୍ତ କରିବାକୁ ସେବି କହିଛି।

ସେବି ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ, ଭାରତୀ ଏବଂ ତାଙ୍କ କମ୍ପାନୀ ଅନଭିଜ୍ଞ ନିବେଶକମାନଙ୍କୁ ଅଣପଞ୍ଜୀକୃତ ନିବେଶ ଉପଦେଶ ଦ୍ଵାରା ଷ୍ଟକ ବଜାର ପ୍ରତି ଆକର୍ଷିତ କରାଇ ବିପଦପୂର୍ଣ୍ଣ ଶେୟାରରେ ନିବେଶ କରାଇବାକୁ ପ୍ରବର୍ତ୍ତାଇଛନ୍ତି। କିଛି ନିର୍ଦ୍ଦିଷ୍ଟ ଶେୟାରଗୁଡ଼ିକର ସର୍ବୋଚ୍ଚ ଲାଭ ସମ୍ପର୍କରେ ୟୁଟ୍ୟୁବ ଜରିଆରେ ପ୍ରଚାର କରାଯାଉଥିଲା, କିନ୍ତୁ ସେଥିରେ ନିବେଶ ଦ୍ଵାରା କି ପ୍ରକାର ସମସ୍ୟା ଆସିବ ସେ ସମ୍ପର୍କରେ କୁହାଯାଉ ନ ଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ଏହାଦ୍ଵାରା ଭାରତୀଙ୍କ କମ୍ପାନୀ ସେବି ଆଇନ ଉଲ୍ଲଂଘନ କରିଥିବା କୁହାଯାଇଛି। ସୂଚନାଯୋଗ୍ୟ, ଭାରତୀୟଙ୍କ ୟୁଟ୍ୟୁବ ଚ୍ୟାନେଲରେ ୧୯ ଲକ୍ଷ ସବସ୍କ୍ରାଇବର ଯୋଡ଼ିହୋଇ ରହିଥିଲେ।

Comments are closed.