ଅସହାୟଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

କେନ୍ଦୁଝରଗଡ଼଼: ଅଧିକରୁ ଅଧିକ ଯୁବବର୍ଗ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅସହାୟଙ୍କ ପ୍ରତି ସମ୍ବେଦନଶୀଳ ହୋଇ ନିଷ୍ଠାର ସହ କାର୍ଯ୍ୟ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ବୁଧବାର ଅପରାହ୍ନରେ ଅଡିଟୋରିୟ ଠାରେ ସ୍ୱେଛାସେବୀ ସଙ୍ଗଠନ ଇଣ୍ଡିଆନ ବାଇ ବାର୍ଥର ପଞ୍ଚମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପରୋକ୍ତ ଆହ୍ୱାନ ଦେବା ସହ ଅନୁଷ୍ଠାନ ପକ୍ଷରୁ ରାଜ୍ୟବ୍ୟାପୀ ବିଭିନ୍ନ ଜିଲାରେ ହାତକୁ ନିଆଯାଇଥିବା ସେବାମୂଳକ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଓ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ସଦସ୍ୟଙ୍କ ଦ୍ୱାରା ବିଭିନ୍ନ ସମୟରେ ହାତକୁ ନିଆଯାଇଥିବା ସେବାମୂଳକ କାର୍ଯ୍ୟ ବେଶ୍‌‌ ପ୍ରଶଂସନୀୟ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ରାଜ୍ୟ ବିଭିନ୍ନ ସ୍ଥାନରୁ ୧୦ଜଣ ସମାଜସେବୀ ଏବଂ ଜିଲାରେ କାର୍ଯ୍ୟରତ ବିଭିନ୍ନ ଖଣି ଓ ଶିଳ୍ପାନୁଷ୍ଠାନର ଔଦ୍ୟୋଗିକ ସାମାଜିକ ଦାୟିତ୍ୱ ତୁଲାଉଥିବା ଅଧିକାରୀଙ୍କୁ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିିତ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସୁନୀଲ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ସମୟଶ୍ରୀ ଚାଟାର୍ଜୀ ମଞ୍ଚ ସଂଯୋଜନା କରିଥିବା ବେଳେ ସହପ୍ରତିଷ୍ଠାତା ସତ୍ୟ ରଞ୍ଜନ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସପତ୍ନୀକ ସିଦ୍ଧମଠସ୍ଥିତ କ୍ଷୀତିିଜ୍ୟୋତି ଆଶ୍ରମରେ ନୂତନ ଭାବେ ହେବାକୁ ଥିବା ପାଦୁକା ମନ୍ଦିରର ଭୂମିପୂଜନରେ ଯୋଗଦେଇ ପୂର୍ଣ୍ଣାହୁତିରେ ସାମିଲ ହୋଇଥିଲେ।

Comments are closed.