ପ୍ରାତଃଭ୍ରମଣ ମଣିଷକୁ ସୁସ୍ଥ ଓ ନିଃରୋଗ ରଖିବାରେ ସହାୟକ ହୋଇଥାଏ

କେନ୍ଦୁଝରଗଡ଼: ବଣିଆପାଟସ୍ଥିତ କ୍ଲବ ପରିସରରେ ବୁଧବାର ମା’ତାରିଣୀ ୱାକର୍ସ କ୍ଲବ କେନ୍ଦୁଝରର ତ୍ରୟୋଦଶତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ଲବ ସଭାପତି ତଥା ଅବସରପ୍ରାପ୍ତ ସିଡିଏମ୍‌‌ଓ ଡାକ୍ତର ପି.ସି.ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ୱାକର୍ସ କ୍ଲବ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ମୁକ୍ତିକାନ୍ତ ଅଗସ୍ତି ମୁଖ୍ୟଅତିଥି ଭାବେ ଯୋଗେଦେଇ ସହରର ବରିଷ୍ଠ ନାଗରିକଙ୍କୁ ନେଇ ଗଢ଼ି ଉଠିଥିବା ମା’ତାରିଣୀ ୱାକର୍ସ କ୍ଲବ ସାଧାରଣରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ସହ ବିଶ୍ୱ ଭାତୃତ୍ୱଭାବକୁ ଗୁରୁତ୍ୱ ଦେଇ ଆସିଥିବାରୁ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସାଧୁବାଦ୍‌‌ ଜଣାଇଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ମିଳନୀ ସାହିତ୍ୟ ସଂସଦ କେନ୍ଦୁଝରର ସମ୍ପାଦକ ଡ. ଚିତ୍ତ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ମା’ତାରଣୀ ୱାକର୍ସ କ୍ଲବ ପକ୍ଷରୁ ବିଭିନ୍ନ ସମୟରେ ଆୟୋଜିତ ମାଗଣା ସ୍ୱାସ୍ଥ୍ୟ ଶିବିର ଏବଂ ପରିବେଶ ସଚେତନତାଧର୍ମୀ କାର୍ଯ୍ୟକ୍ରମ ସ୍ୱାଗଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ। ୱାକର୍ସ କ୍ଲବ ଡିଷ୍ଟ୍ରିକ୍ଟ କ୍ୟାବିନେଟ୍‌‌ ସମ୍ପାଦକ ନିରଦ ବରଣ ଖୁଣ୍ଟିଆ ସମ୍ମାନିତ ଅତିିଥି ଭାବେ ଯୋଗଦେଇ ପ୍ରାତଃଭ୍ରମଣ ମଣିଷକୁ କିଭଳି ସର୍ବଦା ଚଳଚଞ୍ଚଳ ରଖିବା ସହ ସୁସ୍ଥ ଓ ନିଃରୋଗ ଜୀବନଯାପନରେ ଅଧିକ ସହାୟକ ହୋଇଥାଏ ତାହାରି ଉପରେ ଆଲୋକପାତ କରିଥିଲେ। କ୍ଲବ ସଭାପତି ଡାକ୍ତର ଦାସ ତାଙ୍କ ଦୀକ୍ଷାନ୍ତ ଭାଷଣ ପ୍ରସଙ୍ଗରେ ସୁସ୍ଥ ଜୀବନଧାରଣରେ ପ୍ରାତଃଭ୍ରମଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବାରୁ ଦୈନିକ ଅତିକମ୍‌‌ରେ ୧ଘଣ୍ଟା ପ୍ରାତଃଭ୍ରମଣ କଲେ ମଧୁମେହ, କିଡନୀ, ରକ୍ତଚାପ ଭଳି ବହୁ ଦୁରାରୋଗ୍ୟ ରୋଗ ଉପଶମ କରିବାରେ ବିଶେଷ ସହାୟକ ହୋଇଥାଏ ବୋଲି ପରାମର୍ଶ ଦେଇଥିଲେ। କ୍ଲବ ସମ୍ପାଦକ ବିଦ୍ୟାଧର ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ କ୍ଲବ ପକ୍ଷରୁ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତା ଓ କ୍ଲବ ସଦସ୍ୟ ଦେବାଶିଷ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ କ୍ଲବର ଦିବଙ୍ଗତ ସଦସ୍ୟ ସଦସ୍ୟାଙ୍କ ଅମରଆତ୍ମାର ସଦ୍‌‌ଗତି ଉଦ୍ଦେଶ୍ୟରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଦେବାଶିଷ ମିଶ୍ର ପ୍ରାରମ୍ଭରେ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କ୍ଲବ ଉପସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଗୁଡ୍‌‌ମର୍ଣ୍ଣିଂ ୱାକର୍ସ କ୍ଲକ ହରିଚନ୍ଦନପୁର ଓ କେଦାରଗୌରୀ ୱାକର୍ସ କ୍ଲବ ଶୁଆକାଟୀର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ। କ୍ଲବ ଯୁଗ୍ମସମ୍ପାଦକ ଜିତେନ୍ଦ୍ର ଦାସ, କୋଷାଧ୍ୟକ୍ଷ ସୁଶୀଲ କୁମାର ସାହୁ, କ୍ଲବର ବରିଷ୍ଠ ଆଇନଜୀବୀ ଶରତ ରାଉତ, ବରଦା ପ୍ରସନ୍ନ ଦାସ, ସଞ୍ଜୟ କୁମାର ସାହୁ, ରାମଚନ୍ଦ୍ର ତ୍ରିପାଠୀ, କିଶୋର ଚନ୍ଦ୍ର ଜେନା, ଭାଗିରଥୀ ହେମ୍ବ୍ରମ୍‌‌, ବିବେକାନନ୍ଦ ମାଇତି, ଜ୍ଞାନରଞ୍ଜନ ଦାଶ, ଆର୍ତ୍ତତ୍ରାଣ ରାଉତ, ପ୍ରହ୍ଳାଦ ଚନ୍ଦ୍ର ସାହୁ, ଅଜୟ ମହାପାତ୍ର, ଆଲୋକ କୁମାର ଜେନା ପ୍ରମୁଖ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Comments are closed.